ଭୁବନେଶ୍ୱର: ପଞ୍ଚମ ଥର ପାଇଁ ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଚଳିତ ନିର୍ବାଚନରେ ଦୁଇ ତୃତୀୟାଂଶ ସ୍ଥାନ ଦଖଲ କରିଥିବା ବିଜୁ ଜନତା ଦଳର ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆଜି ଦିନରେ ସରକାର ଗଠନର ଔପଚାରିକତା ଶେଷ ହୋଇଛି । ଦିନ ସାଢ଼େ ଗୋଟାଏ ବେଳେ ରାଜ୍ୟ ବିଜେଡ଼ି କାର୍ଯ୍ୟାଳୟରେ ବିଜେଡ଼ିର ନବନିର୍ବାଚିତ ବିଧାୟକମାନଙ୍କର ପ୍ରଥମ ବୈଠକ ବସି ନବୀନ ପଟ୍ଟନାୟକଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି । ଦଳର ବରିଷ୍ଠ ବିଧାୟକ ବିକ୍ରମ ଆରୁଖ ନବୀନଙ୍କ ନାଁ ପ୍ରସ୍ତାବ ଦେବା ପରେ ସର୍ବସମ୍ମତିକ୍ରମେ ତାହା ଗୃହୀତ ହୋଇଥିଲା । ତାଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଥିବାରୁ ନବୀନ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

ଏହା ପରେ ନବୀନ ରାଜଭବନ ଯାଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଙ୍କୁ ଭେଟି ସରକାର ଗଠନର ଦାବି ଜଣାଇଥିଲେ । ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ମଧ୍ୟ ରାଜ୍ୟପାଳଙ୍କୁ ଭେଟି ବିଧାୟକମାନଙ୍କ ତାଲିକା ପ୍ରଦାନ କରିଥିଲେ । ଏହାପରେ ରାଜ୍ୟପାଳ ପ୍ରଫେସର ଲାଲ୍ ନବୀନ ପଟ୍ଟନାୟକଙ୍କୁ ସରକାର ଗଠନ ପାଇଁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରିଥିଲେ ।
ଆସନ୍ତା ୨୯ ତାରିଖ ବୁଧବାର ଦିନ ନବୀନ ପଟ୍ଟନାୟକ ଶପଥ ଗ୍ରହଣ କରିବେ । ଲଗାତର ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇ ଦେଶରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ । ମୁଖ୍ୟମନ୍ତ୍ରୀଙ୍କ ସମେତ ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ମଧ୍ୟ ଶପଥ ଗ୍ରହଣ କରିବେ । ପ୍ରଥମ ଥର ପାଇଁ ରାଜଭବନ ବାହାରେ ଶପଥ ଗ୍ରହଣ ଉତ୍ସବର ଆୟୋଜନ କରାଯାଇଛି । ୟୁନିଟ୍-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବ ଲାଗି ଜୋରଦାର ପ୍ରସ୍ତୁତି ଚାଲିଛି । ସକାଳ ୧୦.୩୦ ମିନିଟ୍ ରେ ରାଜ୍ୟପାଳ ଶ୍ରୀ ଲାଲ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଶପଥ ଗ୍ରହଣ ଉତ୍ସବ ପ୍ରାୟ ୧ ଘଣ୍ଟା ଧରି ଚାଲିବ ।
ନବୀନଙ୍କ ପଞ୍ଚମ ପାଳିକୁ ସ୍ମରଣୀୟ କରିବାକୁ ଜୋରଦାର ଉଦ୍ୟମ ହେଉଛି । ଉତ୍ସବକୁ ୫ ହଜାର ଅତିଥିଙ୍କୁ ନିମନ୍ତ୍ରିତ କରାଯାଉଥିବା ସୂଚନା ମିଳିଛି । ରାଜ୍ୟର କୋଣ ଅନୁକୋଣରୁ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀର ପ୍ରତିନିଧିମାନେ ଏଥିରେ ଯୋଗଦେବେ । ରାଜ୍ୟ ବାହାରୁ ମଧ୍ୟ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ଉତ୍ସବକୁ ନିମନ୍ତ୍ରଣ କରାଯାଉଛି । ଆଜି ସଂଧ୍ୟା ସୁଦ୍ଧାର ଏହାର ସମ୍ପୂର୍ଣ୍ଣ ତାଲିକା ପ୍ରସ୍ତୁତ ହୋଇଯିବ ।
ଫନି ବାତ୍ୟାର କ୍ଷୟକ୍ଷତି ଦୃଷ୍ଟିରୁ ଉତ୍ସବକୁ କମ ଆଡ଼ମ୍ବର କରିବାକୁ ଯୋଜନା ହୋଇଥିଲେ ମଧ୍ୟ ପ୍ରବଳ ଗ୍ରୀଷ୍ଣପ୍ରବାହକୁ ଦେଖି ପ୍ରଦର୍ଶନୀ ପଡ଼ିଆର ଖୋଲା ଆକାଶ ତଳେ ଶୀତତାପ ନିୟନ୍ତ୍ରଣର ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ପ୍ରଶାସନ ବାଧ୍ୟ ହେଉଛନ୍ତି । ଏଥିପାଇଁ ଜର୍ମାନ୍ ହାଙ୍ଗର୍ ର ସାହାଯ୍ୟ ନିଆଯାଉଛି ।
ପ୍ରଦର୍ଶନୀ ପଡ଼ିଆରେ ଶପଥ ଗ୍ରହଣ ଉତ୍ସବ ସରିଲା ପରେ ସଚିବାଳୟରେ ନୂଆ ସରକାରଙ୍କ ପାଇଁ ଅନ୍ୟ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଛି । ସେଠାରେ ମୁଖ୍ୟମନ୍ତ୍ରୀ ତାଙ୍କ କ୍ୟାବିନେଟ୍ ସହଯୋଗୀଙ୍କ ସହ ବୈଠକ ସାରି ନୂଆ ସରକାରର ଏଜେଣ୍ଡା ଘୋଷଣା କରିବେ । ପୁଣି ଥରେ କ୍ଷମତାକୁ ଆସିବା ଦିନ ହିଁ ଚାଷୀଙ୍କୁ ଦୁଇଟି କିସ୍ତିର (୧୦ ହଜାର) ‘କାଳିଆ’ ଟଙ୍କା ଦେବାକୁ ନବୀନ ନିର୍ବାଚନ ପ୍ରଚାର ବେଳେ ପ୍ରତିଶ୍ରୁତି ଦେଇଥିଲେ । ଆଉ ସେହି ପ୍ରତିଶ୍ରୁତିକୁ ଅକ୍ଷରେ ଅକ୍ଷରେ ପାଳିବା ପାଇଁ ପ୍ରସ୍ତୁତି ହୋଇଛି । ସେଇ ବୁଧବାର ଦିନ ହିଁ ବକେୟା ‘କାଳିଆ’ ଟଙ୍କା ପ୍ରଦାନର ଶୁଭାରମ୍ଭ କରିବେ ନବୀନ । ସେଥିପାଇଁ ସଚିବାଳୟରେ ଜୋରଦାର କସରତ୍ ଚାଲିଛି । ଦୁଇ ତିନୋଟି ପର୍ଯ୍ୟାୟରେ ୨୫ ଲକ୍ଷରୁ ଅଧିକ ଚାଷୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ସିଧାସଳଖ ଏହି ଟଙ୍କା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ । ପଞ୍ଚମ ପାଳି ସରକାରର ପ୍ରଥମ ଦିନରେ ନବୀନ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତ ନେବେ ବୋଲି ସୂଚନା ମିଳିଛି ।






