ଭୁବନେଶ୍ୱର: ଦୀର୍ଘ ୨ ମାସ ହେଲା ଝାରପଡ଼ା ଜେଲ୍ ର ଅନ୍ତେବାସୀ ହୋଇଥିବା ଆଇଏଫଏସ୍ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଆଜି ଭିଜିଲାନସ୍ କେସ୍ ରେ ଜାମିନ୍ ମିଳିଛି । ବେଆଇନ ସମ୍ପତ୍ତି ଆହରଣ ଏବଂ ଠକେଇ ମାମଲାରେ ପାଠକ ବାପ-ପୁଅ ନଭେମ୍ବର ୨୭ ତାରିଖରେ ଗିରଫ ହୋଇଥିଲେ । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନସ୍ କୋର୍ଟ ଉଭୟଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି । ତେବେ ପୁଲିସ ଓ କ୍ରାଇମବ୍ରାଞ୍ଚ ର ସଙ୍ଗୀନ ଦଫାରେ ଛନ୍ଦି ହୋଇଥିବାରୁ ଉଭୟ ଝାରପଡ଼ା ଜେଲ୍ ରୁ ମୁକୁଳିପାରିବେ ନାହିଁ ।
ନିୟମ ଅନୁଯାୟୀ, ଅଭିଯୁକ୍ତ ଗିରଫ ହେବାର ୬୦ ଦିନ ମଧ୍ୟରେ କୋର୍ଟରେ ଚାର୍ଜସିଟ୍ ଦାଖଲ ହେବା କଥା । ମାତ୍ର ପାଠକ ବାପ-ପୁଅଙ୍କ କ୍ଷେତ୍ରରେ ଭିଜିଲାନ୍ସ ପୁଲିସ ନିର୍ଦ୍ଧାରିତ ସମୟ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିପାରିନାହିଁ । ତେଣୁ ସ୍ୱତନ୍ତ୍ର ଭିଜିଲାନସ୍ କୋର୍ଟରୁ ସେମାନଙ୍କୁ ଜାମିନ୍ ମିଳିଥିବା ଅଭିଯୁକ୍ତଙ୍କ ଓକିଲ ଅରୂପ ଚାନ୍ଦ ସୂଚନା ଦେଇଛନ୍ତି ।
ଅତିରିକ୍ତ ମୁଖ୍ୟ ବନ ସଂରକ୍ଷକ(ବନୀକରଣ) ଦାୟିତ୍ୱରେ ଥିବା ୧୯୮୭ ବ୍ୟାଚ୍ ର ଆଇଏଫଏସ୍ ଅଫିସର ଅଭୟକାନ୍ତ ପାଠକଙ୍କ ଉପରେ ଗତ ନଭେମ୍ବର ଶେଷ ସପ୍ତାହରେ ଭିଜିଲାନସ୍ ଚଢ଼ାଉ କରି ଅଚଳାଚଳ ଆୟ ବିର୍ହଭୂତ ସମ୍ପତ୍ତି ଠାବ କରିଥିଲା । ଆୟଠାରୁ ପ୍ରାୟ ୫୦୦ ଗୁଣ ଅଧିକ ଆୟ ବର୍ହିଭୂତ ସମ୍ପତ୍ତି ଦର୍ଶାଇଥିଲା ।
ବାପାଠାରୁ ପୁଅ ବି ଆହୁରି ଧୂରନ୍ଧର । ପୁଅ ଆକାଶ ଠାକୁର ନିଜକୁ ଟାଟା ମୋଟର୍ସର ଏମଡି ବୋଲାଇ ବିଭିନ୍ନ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଚୂନ ମାରିଥିଲେ । କେବଳ ଭୁବନେଶ୍ୱର ଓ ପୁନେରେ ଥିବା ଆକାଶଙ୍କ ତିନୋଟି ବ୍ୟାଙ୍କ ଆକାଉଣ୍ଟରେ ୧୪ କୋଟି ୭୭ ଲକ୍ଷ ଟଙ୍କା ଡିପୋଜିଟ୍ ଥିଲା । ଆକାଶର ଜାଲିଆତି କାରବାରରେ ବାପା ଅଭୟ ଠାକୁରଙ୍କ ପୃଷ୍ଠପୋଷକତା ଅଭିଯୋଗ ଅଛି ।
ପାଠକ ବାପ-ପୁଅଙ୍କ ବେଆଇନ କାରବାରରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଭାଗିଦାରୀ ମାମଲାକୁ ଅଧିକ ଜଟିଳ କରିଛି । ଆକାଶ ପାଠକଙ୍କୁ ଜ୍ୱାଇଁ କରିବାକୁ ଭାବିଥିବା ବିଧାୟକ ଶ୍ରୀ ପାଣିଗ୍ରାହୀ ନିଜ ନିର୍ବାଚନମଣ୍ଡଳୀରୁ ବେକାର ଯୁବକଯୁବତୀଙ୍କୁ ଟାଟା ମୋଟର୍ସରେ ଚାକିରି କରାଇ ଦେବାର ପ୍ରଲୋଭନ ଦେଇ ଟଙ୍କା ଆଦାୟ କରୁଥିଲେ । ଠକେଇର ଶିକାର ହୋଇଥିବା ଯୁବକମାନଙ୍କ ଏତଲାକ୍ରମେ ଶ୍ରୀ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ପୁଲିସ ଡିସେମ୍ବର ୩ରେ ଗିରଫ କରିଥିଲା । ଏବେ ଝାରପଡ଼ା ଜେଲ୍ ରେ ସେ ଦିନ କାଟୁଛନ୍ତି ।
ସରକାରୀ ଅର୍ଥ ଲୁଟ୍ ଏବଂ ଲୋକଙ୍କୁ ଠକି ପାଠକ ବାପ-ପୁଅ କମେଇଥିବା କୋଟି କୋଟି ଟଙ୍କାରେ ଅୟସ କରୁଥିଲେ ପାଠକ ଓ ପାଣିଗ୍ରାହୀ ପରିବାର । ଲକଡାଉନ୍ ବେଳେ ଉଭୟ ପରିବାର ଚାର୍ଟର ଫ୍ଲାଇଟ୍ ରେ ଦିଲ୍ଲୀ, ମୁମ୍ବାଇ, ପୁନେ ଆକାଶରେ ଉଡୁଥିଲେ । ଦିଲ୍ଲୀ ଓ ମୁମ୍ବାଇର ତାଜ୍ ହୋଟେଲ୍ ରେ ରହୁଥିଲେ । ଭାବି ସମୁଦି ଓ ଭାବି ଜ୍ୱାଇଁଙ୍କୁ ନେଇ ଅସରନ୍ତି ସ୍ୱପ୍ନ ଦେଖିଥିଲେ ପ୍ରଦୀପ ପାଣିଗ୍ରାହୀ । ଡିସେମ୍ବର ୧୧ରେ ଜୟପୁର ପ୍ୟାଲେସ୍ ରେ ଆକାଶ ସହ ବାହାଘର ଧାର୍ଯ୍ୟ ହୋଇ କାର୍ଡ ବଣ୍ଟା ସରିଥିଲା । ମାତ୍ର ଭାବୀ ସମୁଦି ଓ ଜ୍ୱାଇଁଙ୍କ ପଛେ ପଛେ ଝାରପଡ଼ା ଜେଲ୍ ଯିବାକୁ ପଡ଼ିଥିଲା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ।