ଭୁୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇ ସଙ୍କଟାପନ୍ନ ଅବସ୍ଥାରେ ଥିବା ଭଦ୍ରକ ବାସୁଦେବପୁର ଅଞ୍ଚଳର ଯୁବ ଇଂଜିନିୟର ଅଭିଷେକ ମହାପାତ୍ରଙ୍କୁ ଆଜି କୋଲକତା ଏୟାରଲିଫ୍ଟ କରାଯାଇଛି । କଳିଙ୍ଗ ହସ୍ପିଟାଲ୍ ରୁ ଏୟାରପୋର୍ଟ ପର୍ଯ୍ୟନ୍ତ ରାସ୍ତାକୁ ଗ୍ରୀନ୍ କରିଡର କରାଯାଇ ତାଙ୍କୁ ଆମ୍ବୁଲାନସ୍ ରେ ଅଣାଯାଇଥିଲା । ଅଭିଷେକଙ୍କୁ କୋଲକତାର ଏକ ଘରୋଇ ହସ୍ପିଟାଲ୍ ରେ ଏକମୋ ଚିକିତ୍ସା କରାଯିବ ।
୨୮ ବର୍ଷୀୟ ଅଭିଷେକ ଗତ ମେ ୫ ତାରିଖରେ ବିବାହ କରିଛନ୍ତି । ବାହାଘରର ମାତ୍ର ୮ ଦିନ ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଘରେ ଆଇସୋଲେସନ୍ ରେ ଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ପରିବାର ଲୋକେ ତାଙ୍କୁ ଭୁବନେଶ୍ୱରର କଳିଙ୍ଗ ହସ୍ପିଟାଲ୍ ରେ ଭର୍ତ୍ତି କରିଥିଲେ । ଭେଣ୍ଟିଲେଟରରେ ଥିଲେ ବି ତାଙ୍କ ଅବସ୍ଥା ଦିନକୁ ଦିନ ଗୁରୁତର ହେବାକୁ ଲାଗିଥିଲା । ତାଙ୍କୁ ଏକମୋ ଚିକିତ୍ସା ନିହାତି ଜରୁରୀ ବୋଲି ଡାକ୍ତରମାନେ କହିବା ପରେ ପ୍ରବଳ ଆର୍ଥିକ ପ୍ରତିବନ୍ଧକ ମଧ୍ୟରେ ଆଜି ତାଙ୍କୁ କୋଲକତା ଏୟାରଲିଫ୍ଟ କରାଯାଇଛି ।
ନିହାତି ସାଧାରଣ ଘରର ଯୁବକ ଅଭିଷେକଙ୍କ ଏୟାରଲିଫ୍ଟ ଏବଂ ଚିକିତ୍ସା ବାବଦରେ ଦେଢ଼କୋଟିର ଅଧିକ ଅର୍ଥର ଆବଶ୍ୟକତା ଥିଲା ବେଳେ ସ୍ୱାମୀର ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି ପତ୍ନୀ ମୌସୁମୀ ମହାନ୍ତି । ଅର୍ଥ ସାହାଯ୍ୟ କରି ମୋ ସ୍ୱାମୀଙ୍କୁ ବଞ୍ଚେଇ ଦିଅ ବୋଲି ସମସ୍ତଙ୍କୁ ଆକୁଳ ପ୍ରାର୍ଥନା କରିଛନ୍ତି । ଓଡ଼ିଶାର ସାଢ଼େ ଚାରି କୋଟି ଜନତା ଟଙ୍କାଏ ଲେଖାଏଁ ଦେଲେ ତାଙ୍କ ସିନ୍ଦୁର ବଞ୍ଚିବ ବୋଲି ବିକଳ ହୋଇ କହିଛନ୍ତି ।
ସୋସିଆଲ୍ ମିଡ଼ିଆଠାରୁ ଆରମ୍ଭ କରି ବିଭିନ୍ନ ଟିଭି ଚାନେଲ୍ ଏବଂ ଖବରକାଗଜରେ ଏହି ନବ ବିବାହିତାଙ୍କ ଆକୁଳ ନିବେଦନ ପ୍ରଚାରିତ ହେଲା ପରେ ସହଯୋଗର ହାତ ବଢୁଛି । କିଛି ଆର୍ଥିକ ସହଯୋଗ ମିଳିଲା ପରେ ଆଜି ଅଭିଷେକଙ୍କୁ ଏୟାରଲିଫ୍ଟ କରାଯାଇଛି । ତେବେ ଚିକିତ୍ସା ବାବଦରେ ଦୈନିକ ୧ ଲକ୍ଷରୁ ୨ ଲକ୍ଷ ଟଙ୍କା ଆବଶ୍ୟକତା ଥିବାରୁ ଆର୍ଥିକ ସହାୟତାକୁ ଚାହିଁ ବସିଛନ୍ତି ପତ୍ନୀ ଓ ପରିବାର । ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୦ ଲକ୍ଷ ଟଙ୍କା ମିଳିପାରିଛି ।
ଯଦି କେହି ସହୃଦୟ ବ୍ୟକ୍ତି ଅଭିଷେକଙ୍କୁ ସାହାଯ୍ୟ କରିବାକୁ ଚାହୁଁଥାଆନ୍ତି, ତେବେ ମିଲାପ ଫଣ୍ଡ ରେଜର୍ ଆପ୍ କିମ୍ବା ୯୫୮୩୫୯୬୮୮୬(ରୋଶନ ମହାନ୍ତି) ଫୋନ୍ ପେ’ ଜରିଆରେ ସହଯୋଗ କରିପାରିବେ ବୋଲି ଅଭିଷେକଙ୍କ ପତ୍ନୀ ନିବେଦନ କରିଛନ୍ତି ।