କଟକ: ମାହାଙ୍ଗା ଡବଲ ମର୍ଡର ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କର ମୃତ୍ୟୁ ହୋଇଛି । ଗତକାଲି ରାତିରେ ଟାଙ୍ଗୀ ଗୋବିନ୍ଦପୁର ନିକଟବର୍ତ୍ତୀ ଜାତୀୟ ରାଜପଥରୁ ତାଙ୍କର ଖିନଭିନ୍ ଶରୀର ମିଳିଛି । କୌଣସି ଏକ ଭାରିଯାନ ତଳେ ଚାପି ହୋଇଯାଇଥିବାରୁ ଶବ ଚିହ୍ନିବା ଅବସ୍ଥାରେ ନ ଥିଲା । ମାତ୍ର ପାଖରେ ପଡ଼ିଥିବା ମଟର ସାଇକେଲ୍, ବ୍ୟାଗ୍ ଓ ମୋବାଇଲ୍ ଯାଞ୍ଚ ପରେ ସେ ପ୍ରଫୁଲ୍ଲ ବିଶ୍ୱାଳ ବୋଲି ଜଣାପଡ଼ିଥିଲା । ପ୍ରଫୁଲ୍ଲଙ୍କ ଏଭଳି ରହସ୍ୟଜନକ ମୃତ୍ୟୁ ଦୁର୍ଘଟଣାଜନିତ ନା ହତ୍ୟା ତାହା ସମସ୍ତଙ୍କୁ ସନ୍ଦେହରେ ପକାଇଛି । ଆଜି କଟକ ବଡ଼ ମେଡିକାଲରେ ଶବ ବ୍ୟବଚ୍ଛେଦ କରାଯାଇଥିବାରୁ ରିପୋର୍ଟକୁ ଅପେକ୍ଷା କରାଯାଇଛି ।
ଏକାଧିକ ହତ୍ୟା ମାମଲାରେ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କୁ ପୁଲିସ ଫେରାର ଦର୍ଶାଉଥିଲା ବେଳେ ତାଙ୍କ ଘର ନୃତ୍ତାଙ୍ଗଠାରୁ ମାତ୍ର ୨୦ କିମି ଦୂରରେ ତାଙ୍କର ମୃତ ଶରୀର ଠାବ ହୋଇଛି । ସୁତରାଂ ପ୍ରଫୁଲ୍ଲ ସ୍ଥାନୀୟ ଅଞ୍ଚଳରେ ହିଁ ଆତ୍ମଗୋପନ କରିଥିବା ସ୍ପଷ୍ଟ ଜଣାପଡୁଛି । ଗାଁ ପାଖରେ ବୁଲୁଥିବା ପ୍ରଫୁଲ୍ଲଙ୍କୁ ପୁଲିସ କେମିତି ପାଉ ନ ଥିଲା ତାହା ବି ରହସ୍ୟଜନକ ମନେହେଉଛି ।
ମାହାଙ୍ଗା ଥାନା ନୃତ୍ତାଙ୍ଗ ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀ ହେଉଛନ୍ତି ପ୍ରଫୁଲ୍ଲ ବିଶ୍ୱାଳ । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କର କୁଆଡ଼େ ସେ ଖାସ୍ ଲୋକ । ୨୦୧୮ ମସିହାରେ ବିକାଶ ଜେନା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲେ ଏଇ ପ୍ରଫୁଲ୍ଲ । ହତ୍ୟାକାଣ୍ଡ ପରଠାରୁ ପୁଲିସ ଆଖିରେ ସେ ଫେରାର ଥିଲେ ମଧ୍ୟ ଗାଁ ଆଖପାଖ ଓ ଭୁବନେଶ୍ୱରରେ ମନ୍ତ୍ରୀଙ୍କ ଚାରିପଟେ ବୁଲୁଥିବା ଚର୍ଚ୍ଚା ହୋଇଥିଲା । ପ୍ରଫୁଲ୍ଲ ବିଶ୍ୱାଳଙ୍କୁ ଗିରଫ କରିବା ପରିବର୍ତ୍ତେ ପୁଲିସ ଓଲଟି ସୁରକ୍ଷା ଦେଉଥିବା ବିରୋଧୀ ଦଳ ଅଭିଯୋଗ କରିଆସୁଥିଲେ ।
ଆଉ ଗତ ଜାନୁଆରୀ ୨ ତାରିଖରେ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ନୃଶଂସ ହତ୍ୟା ପଛରେ ପୁଣି ଯୋଡି ହେଲା ପ୍ରଫୁଲ୍ଲ ବିଶ୍ୱାଳଙ୍କ ନାଁ । ପୁଲିସ ଏତଲାରେ ସେ ଥିଲେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ । ପୁଲିସ ଏହି ମାମଲାରେ ଏ ପର୍ଯ୍ୟନ୍ତ ୯ ଜଣଙ୍କୁ ଗିରଫ କରିଥିଲେ ମଧ୍ୟ ପ୍ରଫୁଲ୍ଲଙ୍କ ପାଖରେ ପହଞ୍ଚି ପାରି ନ ଥିଲା । ମନ୍ତ୍ରୀଙ୍କ ଛତ୍ରଛାୟାରେ ରହିଥିବାରୁ ପୁଲିସ ପ୍ରଫୁଲ୍ଲଙ୍କ ପାଖ ମାଡିବାକୁ ସାହାସ କରୁ ନ ଥିବା ଅଭିଯୋଗ ହୋଇଥିଲା ।
ଏସବୁ ବାହାରେ ପ୍ରଫୁଲ୍ଲ କେମିତି ମଲେ ତାହା ଏବେ ବଡ଼ ପ୍ରଶ୍ନ । ପାରିପାଶ୍ୱିର୍କ ଅବସ୍ଥାରୁ ତାଙ୍କର ଦୁର୍ଘଟଣା ହୋଇଥିବା ସହଜରେ ବିଶ୍ୱାସ ହେଉନାହିଁ । କାରଣ ତାଙ୍କ ଶରୀର ଖିନଭିନ୍ ହୋଇଯାଇଥିଲେ ମଧ୍ୟ ମଟରସାଇକେଲ ସମ୍ପୂର୍ଣ୍ଣ ଅକ୍ଷତ ଅଛି । ଆକସ୍ମିକ ଦୁର୍ଘଟଣା ନୁହେଁ, ବରଂ ଗାଡି ମଡ଼ାଇ ହତ୍ୟା କରାଯାଇ ଥାଇପାରେ ବୋଲି ସନ୍ଦେହ ଉପୁଜିଛି ।
ଉଭୟ ପ୍ରଫୁଲ୍ଲଙ୍କ ପରିବାର ଏବଂ ସେମାନଙ୍କ ବିରୋଧୀ ବିଜେପି ପକ୍ଷରୁ ପ୍ରଫୁଲ୍ଲଙ୍କୁ ହତ୍ୟା ଅଭିଯୋଗ ଅଣାଯାଇଛି । ରାଜନୈତିକ ଶତ୍ରୁତାରୁ ପ୍ରଫୁଲ୍ଲଙ୍କୁ ହତ୍ୟା କରାଯାଇଛି ଏବଂ ମୃତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ଓ ଅନ୍ୟମାନଙ୍କ ଆଡକୁ ଅଙ୍ଗୁଳି ଉଠାଇଛନ୍ତି ପ୍ରଫୁଲ୍ଲଙ୍କ ପରିବାର । ପୁଅକୁ ସେମାନେ ମିଛ ମାମଲାରେ ଫସେଇ ଶେଷରେ ହତ୍ୟା କରିଥିବା ତାଙ୍କ ମାଆ ଗଣମାଧ୍ୟମରେ କହିଛନ୍ତି ।
କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା ସେହି ହତ୍ୟା ଥିଓରି କହିଛନ୍ତି । ହେଲେ ଏହା ପଛରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରକୁ ଓଲଟି ଅଙ୍ଗୁଳି ଉଠାଇଛନ୍ତି । ସେ କହିଛନ୍ତି, ବିଧାୟକଙ୍କ ଟ୍ରାନ୍ସପୋର୍ଟ ଅଫିସ ସାମ୍ନାରୁ ପ୍ରଫୁଲ୍ଲଙ୍କ ମୃତଦେହ ମିଳିଛି । ଯେମିତି ଦେଖାଯାଉଛି, ତାଙ୍କୁ ପୂରା ଦଳି ଚକଟି ମାରି ଦିଆଯାଇଛି । ପ୍ରଫୁଲ୍ଲଙ୍କୁ ସେମାନେ ଲୁଚାଇ ରଖିଥିଲେ । ପ୍ରଫୁଲ୍ଲ ବହୁତ କଥା ଜାଣିଥିବାରୁ ତଥ୍ୟ ପ୍ରଘଟ ଆଶଙ୍କାରେ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ଶ୍ରୀ ବେହେରା ଅଭିଯୋଗ କରିଛନ୍ତି ।