ଭୁବନେଶ୍ୱର: ଅତିରିକ୍ତ ପୁଲିସ ଡିଜି ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ପାଣିଗ୍ରାହୀଙ୍କୁ ଏୟାର ଆମ୍ବୁଲାନ୍ସରେ ଆଜି କୋଲକତା ନିଆଯାଇଛି । ଅପରାହ୍ନ ୧.୧୦ ମିନିଟ୍ ରେ କଟକ ଅଶ୍ୱିନୀ ହସ୍ପିଟାଲ୍ ରୁ ଗ୍ରୀନ୍ କରିଡରରେ ତାଙ୍କୁ ଭୁବନେଶ୍ୱର ଏୟାରପୋର୍ଟ ଅଣାଯାଇଥିଲା । ଅଧଘଣ୍ଟାରେ ଏୟାରପୋର୍ଟରେ ପହଞ୍ଚିବା ପରେ ପ୍ରାୟ ସାଢ଼େ ଦୁଇଟା ବେଳେ କୋଲକତା ଅଭିମୁଖେ ଯାତ୍ରା କରିଥିଲା ଏୟାର ଆମ୍ବୁଲାନ୍ସ । କୋଲକତାରୁ ଆସିଥିବା ୬ ଜଣିଆ ଡାକ୍ତରୀ ଦଳ ଏକମୋ ଚିକିତ୍ସାରେ ତାଙ୍କୁ କୋଲକତା ନେଇଛନ୍ତି । ସେଠାରେ ଏକ ଘରୋଇ ହସ୍ପିଟାଲ୍ ରେ ତାଙ୍କର ଚିକିତ୍ସା ଚାଲିବ ।
କରୋନାରେ ଆକ୍ରାନ୍ତ ହୋଇ ଡକ୍ଟର ପାଣିଗ୍ରାହୀ ଗତ ୨୯ ତାରିଖରୁ କଟକ ଅଶ୍ୱିନୀ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ । ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଥିଲେ ମଧ୍ୟ ତାଙ୍କ ଅବସ୍ଥାରେ ଉନ୍ନତି ଆସି ନ ଥିଲା । ତାଙ୍କର ଏକମୋ ଚିକିତ୍ସା ଜରୁରୀ ହେବାରୁ କୋଲକତା ଘରୋଇ ହସ୍ପିଟାଲ୍ ସହ ଯୋଗାଯୋଗ କରାଯାଇଥିଲା । ସେଠାରୁ ୬ ଜଣିଆ ଡାକ୍ତରୀ ଦଳ କଟକ ଆସି ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଗତକାଲି ତାଙ୍କୁ ଏୟାରଲିଫ୍ଟ୍ କରିବା ଯୋଜନା ହୋଇଥିଲା । ମାତ୍ର କୌଣସି କାରଣରୁ ଏୟାର ଆମ୍ବୁଲାନ୍ସ ନ ଆସିବାରୁ ନିଆଯାଇ ପାରି ନ ଥିଲା । ତାଙ୍କର ଅବସ୍ଥା ଗୁରୁତର ଥିଲେ ମଧ୍ୟ ଏୟାର ଆମ୍ବୁଲାନସ୍ ରେ ଏକମୋ ସପୋର୍ଟ ଦିଆଯାଇଛି ।
ଡକ୍ଟର ପାଣିଗ୍ରାହୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି । ଅଗଣିତ ପ୍ରଶଂସକ, ଶୁଭେଚ୍ଛୁ ତାଙ୍କର ଆଶୁ ଆରୋଗ୍ୟ କାମନା କରି ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି ।