ଭୁବନେଶ୍ୱର: ପିପିଲି ଉପନିର୍ବାଚନ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଆଉ ନାହାନ୍ତି । ଭୁବନେଶ୍ୱର ଆପୋଲ୍ ହସ୍ପିଟାଲ୍ ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କୋଭିଡ୍ ରେ ଆକ୍ରାନ୍ତ ହୋଇ ସେ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୨ ବର୍ଷ ବୟସ ହୋଇଥିଲା ।
ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ଯୋଗୁଁ ଆଗାମୀ ୧୭ ତାରିଖରେ ହେବାକୁ ଥିବା ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ ପକ୍ଷରୁ ଏହି ସୂଚନା ମିଳିଛି । କେନ୍ଦ୍ରୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସାନି ଉପନିର୍ବାଚନ ତାରିଖ ପରେ ବିଧିବଦ୍ଧ ଭାବେ ଘୋଷଣା କରାଯିବ ।
ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବା ବେଳେ ଅଜିତ ମଙ୍ଗରାଜ ଓରଫ୍ କାବୁ ଭାଇ ଗତ ୬ ତାରିଖରୁ ଅସୁସ୍ଥ ହୋଇପଡ଼ିଥିଲେ । ସେ କୋଭିଡ୍ ରେ ଆକ୍ରାନ୍ତ ହୋଇଥିବା ୧୦ ତାରିଖ ଦିନ ସୋସିଆଲ୍ ମିଡ଼ିଆ ଆକାଉଣ୍ଟରେ ସୂଚନା ଦେଇଥିଲେ । କଂଗ୍ରେସ କର୍ମୀମାନେ ଏକଜୁଟ୍ ହୋଇ କଠିନ ପରିଶ୍ରମ କରିବାକୁ ସେ ପରାମର୍ଶ ଦେବା ସହ କୌଣସି ଗୁଜବରେ ବିଶ୍ୱାସ ନ କରିବାକୁ ନିବେଦନ କରିଥିଲେ ।
ଦୁଇ ଦିନ ତଳେ ତାଙ୍କର ଅବସ୍ଥା ଗୁରୁତର ହୋଇପଡ଼ିଥିଲା ଏବଂ ସେ ଭେଣ୍ଟିଲେଟରକୁ ଚାଲିଯାଇଥିଲେ । ଆଜି ଅପରାହ୍ନ ପ୍ରାୟ ୪ଟାରେ ତାଙ୍କର ହୃଦଯନ୍ତ୍ର କ୍ରିୟା ବନ୍ଦ ହୋଇ ଆଖି ବୁଜି ଦେଇଥିଲେ ।
ଜଣେ ଅତ୍ୟନ୍ତ ଅମାୟିକ ଓ ଭଦ୍ର ମଣିଷ ଥିଲେ ଅଜିତ ମଙ୍ଗରାଜ । ୨୦୦୯ ମସିହାରେ ସେ ପିପିଲିରୁ ବିଜେପି ପ୍ରାର୍ଥୀ ଭାବେ ଲଢ଼ିଥିଲେ । ପରବର୍ତ୍ତୀ ସମୟରେ ସେ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସରୁ ଟିକେଟ ପାଇ ନିର୍ବାଚନ ଲଢ଼ିଥିଲେ ।
ଅଜିତ ମଙ୍ଗରାଜଙ୍କ ମୃତ୍ୟୁରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ସବୁ ଦଳର ବରିଷ୍ଠ ନେତୃବର୍ଗ ଗଭୀର ଶୋକପ୍ରକାଶ କରିଛନ୍ତି । ସ୍ୱର୍ଗତ ମଙ୍ଗରାଜଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି ।
ତାଙ୍କର ଶେଷଦର୍ଶନ ପାଇଁ ଆପୋଲ୍ ହସ୍ପିଟାଲ୍ ରେ ପ୍ରବଳ ଭିଡ଼ ହୋଇଛି । କଂଗ୍ରେସ ସମେତ ବିଭିନ୍ନ ଦଳର ନେତୃବୃନ୍ଦ ସେଠାରେ ପହଞ୍ଚିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମଧ୍ୟ ହସ୍ପିଟାଲ୍ ରେ ପହଞ୍ଚିଥିଲେ । ମଙ୍ଗରାଜଙ୍କ ମୃତ୍ୟୁ ଖବର ପିପିଲିରେ ପ୍ରଚାର କ୍ଷଣି ନିର୍ବାଚନ ପ୍ରଚାର ବନ୍ଦ ହୋଇଯାଇଛି ।