କୋଲକତା: ମୋଦି ଓ ଦିଦିଙ୍କ ମଧ୍ୟରେ ଚାଲିଥିବା ଛକାପଂଝାରେ ଆଜି ଆଉ ଏକ ନିର୍ଣ୍ଣାୟକ ଅଧ୍ୟାୟ ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟାୟଙ୍କୁ ଜୋରଜବରଦସ୍ତ କେନ୍ଦ୍ରୀୟ ଡେପୁଟେସନ୍ ରେ ନେବା ଉଦ୍ୟମ ପଣ୍ଡ ହୋଇଛି । ଶ୍ରୀ ବନେ୍ଦାପାଧ୍ୟାୟ ଆଜି ଅଚାନକ ଚାକିରିରୁ ଅବସର ନେଇଯାଇଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଏହି ଘୋଷଣା କରିଛନ୍ତି । ଖାଲି ସେତିକି ନୁହେଁ, ଅଲପନଙ୍କୁ ନିଜର ମୁଖ୍ୟ ପରାମର୍ଶଦାତା ଭାବେ ୩ ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି ଦିଦି ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ବାତ୍ୟା ସମୀକ୍ଷା ବୈଠକକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ବାନାର୍ଜୀ ଏବଂ ମୁଖ୍ୟ ଶାସନ ସଚିବ ଶ୍ରୀ ବନ୍ଦୋପାଧ୍ୟାୟ ବିଳମ୍ବରେ ଆସିବା ଏବଂ ମାତ୍ର ୧୫ ମିନିଟ୍ ରହି ଦୁଇ ହଜାର କୋଟିର ସ୍ମାରକପତ୍ର ପ୍ରଧାନମନ୍ତ୍ରୀଙ୍କୁ ଧରେଇ ଚାଲିଯିବା ଘଟଣାରୁ ବିବାଦ ଆରମ୍ଭ ହୋଇଥିଲା । ଅପମାନିତ ମୋଦିଙ୍କ କ୍ରୋଧରେ ପଡ଼ିଥିଲେ ଅଲପନ ବନ୍ଦୋପାଧ୍ୟାୟ । ଗତ ୨୮ ତାରିଖରେ କେନ୍ଦ୍ର ସରକାରଙ୍କ ପର୍ସୋନାଲ୍ ଆଣ୍ଡ ଟ୍ରେନିଂ ବିଭାଗ ପକ୍ଷରୁ ଅଲପନକୁ ଦିଲ୍ଲୀ ଫେରାଇ ନେବା ଲାଗି ଚିଠି ହୋଇଥିଲା । ତାଙ୍କୁ ତୁରନ୍ତ ରିଲିଭ୍ କରିବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଥିଲା ବେଳେ ମେ ୩୧ ତାରିଖ ଦିନ ୧୦ଟା ସୁଦ୍ଧା ଦିଲ୍ଲୀରେ ରିପୋର୍ଟ କରିବାକୁ ଅଲପନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।
ସୂଚନାଥାଉକି, ଗତବର୍ଷ ଅକ୍ଟୋବର ୧ ରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଥିବା ୧୯୮୭ ବ୍ୟାଚ୍ ର ଆଇଏଏସ୍ ଅଫିସର ଅଲପନଙ୍କ ଚାକିରି କାଳ ୨୦୨୧ ମେ ୩୧ ତାରିଖରେ ସରୁଥିଲା । ମାତ୍ର ବର୍ତ୍ତମାନର ମହାମାରୀ କୋଭିଡ୍ ପରିଚାଳନା ଦୃଷ୍ଟିରୁ ତାଙ୍କ ଅବସର ସମୟ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ କେନ୍ଦ୍ର ସରକାର ଗ୍ରହଣ କରିଥିଲେ । ଗତ ୨୪ ତାରିଖରେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ମାତ୍ର ୨୮ ତାରିଖ ଘଟଣା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ବିବାଦ ଭିତରକୁ ଟାଣି ହୋଇ ଆସିଥିଲେ ଅଲପନ । ଏହି ସର୍ବଭାରତୀୟ ସେବା ଅଧିକାରୀଙ୍କୁ ଦଣ୍ଡସ୍ୱରୂପ ଦିଲ୍ଲୀ ଫେରାଇ ନେବାକୁ ଉଦ୍ୟମ ହୋଇଥିଲା । ମାତ୍ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ଏହି ସୁଯୋଗ ଦେଇନାହାନ୍ତି ।
ବର୍ଦ୍ଧିତ ଚାକିରିକାଳକୁ ଗ୍ରହଣ କରିନାହାନ୍ତି ଅଲପନ । ମେ ୩୧ ରେ ତାଙ୍କର ଅବସର ନେବାର ଥିଲା, ସେ ନେଇଛନ୍ତି । ହେଲେ ପରଦାରୁ ହଟିଯାଇନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ ଅଲପନ ବନ୍ଦୋପାଧ୍ୟାୟ ।