ଭୁବନେଶ୍ୱର: କରୋନା ଯୋଗୁଁ ଓଡ଼ିଶାରେ ମାଟ୍ରିକ୍ ଓ +୨ ପରୀକ୍ଷା ସ୍ଥଗିତ ହୋଇଛି । ରାଜ୍ୟର ସମସ୍ତ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ୍ ପରିସ୍ଥିତି ସୁଧୁରିବା ପରେ ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ଅନ୍ୟପକ୍ଷରେ ଆସନ୍ତା ୧୯ ତାରିଖରୁ ରାଜ୍ୟର ସବୁ ଓଡ଼ିଆ, ଇଂରାଜୀ ମାଧ୍ୟମ ସ୍କୁଲ ଓ ସେମାନଙ୍କ ଦ୍ୱାରା ପରିଚାଳିତ ହଷ୍ଟେଲ୍ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।
କରୋନା ହୁ ହୁ ହୋଇ ବଢ଼ୁଥିବାରୁ ଚଳିତବର୍ଷର ମାଟ୍ରିକ୍ ଓ +୨ ପରୀକ୍ଷାକୁ ନେଇ ସଂଶୟ ସୃଷ୍ଟି ହୋଇଥିଲା । ଗତକାଲି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକ୍ରମେ ସିବିଏସଇ ପରିଚାଳିତ ଦଶମ ପରୀକ୍ଷା ବାତିଲ ଏବଂ ଦ୍ୱାଦଶ ପରୀକ୍ଷା ଘୁଞ୍ଚିବା ପରେ ଓଡ଼ିଆ ସ୍କୁଲ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଥିଲେ । ଛାତ୍ରଛାତ୍ରୀମାନଙ୍କର ସ୍ୱାସ୍ଥ୍ୟ ନିରାପତ୍ତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ଥଗିତ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ମେ’ ୩ ରୁ ହେବାର ଥିଲା । ସେହିଭଳି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା +୨ ପରୀକ୍ଷା ମେ’ ୧୮ ତାରିଖରୁ ଆରମ୍ଭ ହୋଇଥାନ୍ତା । କୋଭିଡ୍ ପରିସ୍ଥିତିରେ ଉନ୍ନତି ଆସିବା ପରେ ଜୁନ୍ ପ୍ରଥମ ସପ୍ତାହରେ ସମୀକ୍ଷା କରାଯାଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।
ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ, ୨୦୨୦-୨୧ ଶିକ୍ଷାବର୍ଷରେ ନବମ ଓ ଏକାଦଶ ଶ୍ରେଣୀରେ ପାଠ ପଢ଼ୁଥିବା ସବୁ ଛାତ୍ରଛାତ୍ରୀଙ୍କୁ ଯଥାକ୍ରମେ ଦଶମ ଓ ଦ୍ୱାଦଶ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯିବ । ଏଥିପାଇଁ ସେମାନଙ୍କୁ କୌଣସି ପରୀକ୍ଷା ଦେବାକୁ ପଡ଼ିବନି । ୨୦୨୦-୨୧ ଶିକ୍ଷାବର୍ଷର ଦଶମ ଓ ଦ୍ୱାଦଶ ଶ୍ରେଣୀର ସମସ୍ତ କ୍ଲାସ୍ ଆସନ୍ତା ୧୯ ତାରିଖରରୁ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟରେ ସ୍କୁଲରେ କୌଣସି ପ୍ରକାର ଶୈକ୍ଷିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ ।
ଏହି ନିଷ୍ପତ୍ତି ଓଡ଼ିଶା ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ସହ ସହବନ୍ଧିତ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ତଥା ଘରୋଇ ବିଦ୍ୟାଳୟ କ୍ଷେତ୍ରରେ ଲାଗୁ ହେବ ।
ସେହିଭଳି ସିବିଏସଇ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସହ ସହବନ୍ଧିତ ରାଜ୍ୟର ସମସ୍ତ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ନିମନ୍ତେ ଗତକାଲି(୧୪ ତାରିଖ) ରୁ ସିବିଏସଇ ପକ୍ଷରୁ ଜାରି ହୋଇଥିବା ନିଦେ୍ର୍ଦଶ କାର୍ଯ୍ୟକାରୀ ହେବ ।