ଭୁୁବନେଶ୍ୱର: ନବେ ଦଶକର ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବେକାନନ୍ଦ ଓରଫ୍ ବିବନ ବିଶ୍ୱାଳ ଜୀବିତ ଧରାପଡ଼ିଛି । ଓଡ଼ିଶା ପୁଲିସ ଓ ସିବିଆଇ ଆଖିରେ ଧୂଳି ଦେଇ ଦୀର୍ଘ ୨୨ ବର୍ଷ ଧରି ଅନ୍ତର୍ଦ୍ଧାନ ହୋଇଯାଇଥିବା ବିବନକୁ କମିଶନରେଟ୍ ପୁଲିସ ସତେ ଯେମିତି ପାତାଳରୁ ଧରି ଆଣିଛି । ପରିଚୟ ବଦଳାଇ ମହାରାଷ୍ଟ୍ରରେ ପାଇପ୍ ମିସ୍ତ୍ରୀ କାମ କରୁଥିବା ଏହି ଯୌନ ଅପରାଧୀକୁ ଧରିବା ପାଇଁ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ୪ ଜଣିଆ ଟିମ୍ କୁ ଦୀର୍ଘ ୩ ମାସର ଲମ୍ବା କସରତ୍ କରିବାକୁ ପଡ଼ିଥିଲା ।
ଅଞ୍ଜନା ମିଶ୍ର ଗଣ ଦୁଷ୍କର୍ମ ମାମଲା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା । ଯେଉଁଥିରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାର ବି ଟଳି ପଡ଼ିଥିଲା । ଜାନକୀ ବାବୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ । ବିବନ ବିଶ୍ୱାଳଙ୍କ ଭଳି ଅପରାଧୀଙ୍କୁ ସୁରକ୍ଷା ଦେବାକୁ ନେଇ ଜନସାଧାରଣଙ୍କ ଆକ୍ରୋଶ ଏଭଳି ହୋଇଥିଲା ଯେ ଜାନକୀ ପଟ୍ଟନାୟକଙ୍କ କଂଗ୍ରେସ ସରକାର କ୍ଷମତାଚ୍ୟୁତ ହୋଇଥିଲା । ଆଜି ମଧ୍ୟ କଂଗ୍ରେସ ପାଇଁ ଏହା କଳଙ୍କିତ ଅଧ୍ୟାୟ ହୋଇ ରହିଛି ।
ପରବର୍ତ୍ତୀ ସମୟରେ ଦେଶର ଏକ ନମ୍ବର ତଦନ୍ତକାରୀ ସଂସ୍ଥା ସିବିଆଇ ମଧ୍ୟ ବିବନ ବିଶ୍ୱାଳକୁ ଧରି ନ ପାରି ହାତ ଟେକି ଦେଇଥିଲା । ସିବିଆଇର ଏହି ବିଫଳତା ବିବନକୁ ମୃତ୍ୟୁର ପଥିକ ସଜାଇଥିଲା । ବିବନ ମରିଯାଇଥିବା କିଛି ବର୍ଷ ତଳେ ଜୋରଦାର ଚର୍ଚ୍ଚା ହୋଇଥିଲା ।
କେଉଁଠି ଥିଲା ବିବନ?
ମହାରାଷ୍ଟ୍ରର ମୁମ୍ବାଇ- ପୁନେ ରାସ୍ତାର ଲୋନାୱାଲାରେ ଆମ୍ବି ଭାଲିରେ ପାଇପ୍ ମିସ୍ତ୍ରୀ ଭାବେ ଆତ୍ମଗୋପନ କରିଥିଲା ବିବନ । ସେଠି ନିଜର ପରିଚୟ ବଦଳାଇ ନକଲି ନାଁ ଜଳଧର ସ୍ୱାଇଁ ନାମରେ ନିଜକୁ ନାମିତ କରିଥିଲା । ଏହି ଜଳନ୍ଧର ନାଁରେ ଭୋଟର ପରିଚୟପତ୍ର, ଆଧାର କାର୍ଡ, ପାସବୁକ୍ ବାହାର କରିଥିଲା । କାରଖାନାରେ ଏହି ନାଁରେ ସ୍ଥାୟୀ ନିଯୁକ୍ତି ପାଇଥିଲା ବିବନ । ତେବେ ନିଜ ନରଣପୁର ଗାଁ ଠିକଣାକୁ ବଦଳାଇ ନ ଥିଲା ।
ପୁଲିସକୁ କେମିତି ମିଳିଲା ସୁରାକ୍
ଦୀର୍ଘ ଦୁଇ ଦଶନ୍ଧି ଧରି ବିବନ ସେଠି ଆତ୍ମଗୋପନ କରି ନିଜ ଘର ଲୋକଙ୍କ ସହ ସମ୍ପର୍କରେ ଥିଲା । ଘରକୁ ଟଙ୍କା ପଠାଉଥିଲା । ଫୋନ୍ ରେ କଥା ବି ହେଉଥିଲା । ପରିବାର ଲୋକଙ୍କ ସହଯୋଗରେ ତା’ର ମୃତ୍ୟୁ ସାର୍ଟିଫିକେଟ୍ ବାହାର କରିବା ପାଇଁ ଉଦ୍ୟମ ଜାରି ରଖିଥିଲା । ଆଉ ଏହି ଉଦ୍ୟମ ଓ ଟେଲିଫୋନ୍ ବାର୍ତ୍ତାଳାପ ହିଁ ତା’ ପାଇଁ କାଳ ହେଲା । ପୁଲିସକୁ ମିଳିଗଲା ବିବନର ସୁରାକ୍ ।
ଅପରେସନ ‘ସାଇଲେଣ୍ଟ ଭାଇପର୍’
ବିବନ ନିଜ ଘର ଲୋକଙ୍କ ସମ୍ପର୍କରେ ଥିବା କୌଣସି ସୂତ୍ରରୁ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଖବର ପାଇଥିଲେ । ଟେଲିଫେନ୍ କଲ୍ ଟ୍ରାକ୍ କରି ସେ ନଭି ମୁମ୍ବାଇରେ ରହୁଥିବା ଜାଣିବାକୁ ପାଇଥିଲେ । ତେବେ ସେଠି ୧୪ ହଜାର କର୍ମଚାରୀ କାମ କରୁଥିବାରୁ ବିବନକୁ ଠାବ କରିବା କଷ୍ଟକର ଥିଲା । ତାକୁ ଖୋଜି ବାହାର କରିବା ପାଇଁ ୩ ମାସ ତଳେ କମିଶନର ଶ୍ରୀ ଷଡ଼ଙ୍ଗୀ କଟକ ଡିସିପି ପ୍ରତୀକ ସିଂହ, ଅତିରିକ୍ତ ଡିସିପି ପ୍ରମୋଦ ରଥ, ସ୍ପେଶାଲ୍ ସ୍କ୍ୱାଡ୍ ଇନସପେକ୍ଟର ଅଜୟ ଦାସ ଏବଂ ବାରଙ୍ଗ ଥାନା ଆଇଆଇସି ଶଶୀକାନ୍ତ ରାଉତଙ୍କୁ ନେଇ ଏକ ଟିମ୍ କରିଥିଲେ । ଅପରେସନ୍ ର ନାଁ ରଖିଥିଲେ “ସାଇଲେଣ୍ଟ ଭାଇପର୍’ ବା ନିରବ ବୋଡାସାପ । ନିଜେ କମିଶନର ଶ୍ରୀ ଷଡ଼ଙ୍ଗୀ ଏହାର ପରିଚାଳନା କରୁଥିଲେ ।
କେମିତି ଧରା ହେଲା
ଏହି ୪ ଜଣିଆ ଟିମ୍ ଆମ୍ବି ଭାଲି ଯାଇ ନଭି ମୁମ୍ବାଇ ପୁଲିସ କମିଶନର ବିପିନ ସିଂହଙ୍କ ସହଯୋଗରେ ଛାନଭିନ୍ କଲେ । କାରଖାନାଠାରୁ ଅଢ଼େଇ କିଲୋମିଟର ଦୂରରେ ରହୁଥିବା କର୍ମଚାରୀଙ୍କ ବାସସ୍ଥଳୀ ଯାଇଥିଲେ ସାଦା ପୋଷାକରେ । ନାଁ ବଦଳେଇଥିଲେ ମଧ୍ୟ ଗାଁ ଠିକଣା ଆଧାରରେ ପୁଲିସ ଟିମ୍ ବିବନକୁ ଠାବ କରିବାକୁ ଉଦ୍ୟମ କରିଥିଲେ । ତେବେ ବିବନ ପାଖରେ ସାଦା ପୋଷାକରେ ଥିବା ପୁଲିସ ଟିମ୍ ପହଞ୍ଚିଲା କ୍ଷଣି ସେ ଦୌଡ଼ିବାକୁ ଆରମ୍ଭ କରିଥିଲା । ଆଉ ସେ ବିବନ ବୋଲି ପୁଲିସ ଜାଣିବାରେ ଅସୁବିଧା ହେଲାନି ।
ସିବିଆଇ ପାଖରେ ଏହି ମାମଲା ଥିଲେ ମଧ୍ୟ ବିବନର ସନ୍ଧାନ ନ ପାଇବାରୁ ଫାଇଲ୍ ଏକପ୍ରକାର ବନ୍ଦ କରିଦେଇଥିଲା । ତେବେ କମିଶନରେଟ୍ ପୁଲିସ ଖାଲି ଏହି ଫାଇଲ୍ ଖୋଲିନାହିଁ ବରଂ ବିବନକୁ ଖୋଜି ଖୋଜି ଗିରଫ କରିଛି । ତାକୁ ଭୁବନେଶ୍ୱର ଆଣିଲା ପରେ ସାକ୍ଷୀମାନେ ଚିହ୍ନଟ କରିଛନ୍ତି । ସିବିଆଇକୁ ଏ ସମ୍ପର୍କରେ ଅବଗତ କଲା ପରେ କୋଲକତାରୁ ଏକ ଟିମ୍ ଆସି ପହଞ୍ଚିଥିବା ପୁଲିସ କମିଶନର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
କମିଶନରେଟ୍ ପୁଲିସର ଏହି ବିରାଟ ସଫଳତାକୁ ସବୁଆଡୁ ଭୁରି ଭୁରି ପ୍ରଶଂସା କରାଯାଇଛି ।
ମାମଲାର ପୃଷ୍ଠଭୂମି
୧୯୯୯ ମସିହା ଜାନୁଆରୀ ୯ ତାରିଖ ରାତିରେ ଏହି ଲୋମହର୍ଷଣକାରୀ ଘଟଣା ଘଟିଥିଲା । ଅଞ୍ଜନା ମିଶ୍ର ଓ ତାଙ୍କର ପୁରୁଷ ବନ୍ଧୁ ସୁତନୁ ବାରଙ୍ଗ ଥାନା ଅଞ୍ଚଳର ଏକ ଚା ଦୋକାନରେ ଅଟକିଥିବା ବେଳେ ୩ ଜଣ ଦୁର୍ବୃତ୍ତ ଅଞ୍ଜନାଙ୍କୁ ଅପହରଣ କରିନେଇ ଗଣଦୁଷ୍କର୍ମ କରିଥିଲେ । ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଏବଂ ଅନ୍ୟ ଦୁଇ ଅଭିଯୁକ୍ତ ଥିଲେ ପ୍ରଦୀପ ଓରଫ୍ ପଦିଆ ସାହୁ ଓ ଧୀରେନ୍ଦ୍ର ମହାନ୍ତି ।
ପଦିଆ ଓ ଧୀରେନ୍ଦ୍ର ଜାନୁଆରୀ ୨୬ ତାରିଖରେ ଗିରଫ ହୋଇଥିଲେ ମଧ୍ୟ ବିବଚୁ ପୁଲିସ ଧରିପାରି ନ ଥିଲା । ପୁଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା । ଫଳରେ ହାଇକୋର୍ଟ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିଥିଲେ । ୧୯୯୯ ମେ ୫ ତାରିଖରେ ସିବିଆଇ ଏହାର ଚାର୍ଜସିଟ୍ ଦାଖଲ କରିଥିଲା । ୨୦୦୨ ଏପ୍ରିଲ୍ ୨୯ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଜଜ୍ ତାଙ୍କ ରାୟରେ ପଦିଆ ଓ ଧୀରେନ୍ଦ୍ରକୁ ଆଜୀବନ ଜେଲ୍ ଦଣ୍ଡ ଶୁଣାଇଥିଲେ । ଇତିମଧ୍ୟରେ ପଦିଆର ମୃତ୍ୟୁ ହୋଇସାରିଛି । ଧୀରେନ୍ଦ୍ର ଏବେ ଜେଲ୍ ରେ ସଜ୍ଜା କାଟୁଛି ।