ଭୁବନେଶ୍ୱର: ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଫାଶି ଦିଆଯାଉ । ନଚେତ୍ ବଞ୍ଚିଥିବା ଯାଏଁ ଜେଲ୍ ରେ ରଖାଯାଉ । ୨୨ ବର୍ଷ ହେଲା ମୁଁ ମରି ମରି ବଞ୍ଚିଛି । ମୋ ଭଳି କେହି ଭିକ୍ଟିମ୍ ଥିଲେ ଏଭଳି ଲମ୍ବା ଲଢ଼େଇ ଲଢ଼ିବାକୁ ଧୈର୍ଯ୍ୟ ରଖନ୍ତୁ । ଡରିବେନି କି ଭାଙ୍ଗିବେନି । ନବୀନ ପଟ୍ଟନାୟକଙ୍କୁ ମୋର ଅଶେଷ ଧନ୍ୟବାଦ ତାଙ୍କ ପୁଲିସର ଏହି ସଫଳତା ପାଇଁ ।
ଦୀର୍ଘ ୨୨ ବର୍ଷ ଧରି ଅନ୍ତର୍ଦ୍ଧାନ ଥିବା ବିବନ ବିଶ୍ୱାଳ ଗିରଫ ହୋଇ ଜେଲ୍ ଗଲା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଅଞ୍ଜନା ମିଶ୍ର । ସେ କହିଥିଲେ, ୨୨ ବର୍ଷ ହେଲା ମୁଁ ମରି ମରି ମଞ୍ଚିଛି । ପାଟି ବନ୍ଦ କରି ଘରେ ବସିବାକୁ ମୋତେ ଡରାଯାଉଥିଲା । ମୋତେ ମାରି ପ୍ରତିଶୋଧ ନେବା ପାଇଁ ବାରମ୍ବାର ଉଦ୍ୟମ ହୋଇଛି । ମୋତେ ଓ ମୋ ଘରକୁ ଅନେକ ଥର ଆକ୍ରମଣ ହୋଇଛି । ପଥର ମାରି ମୋର ମୁଣ୍ଡ ଫଟାଇଛନ୍ତି । ସେଥିପାଇଁ ମୁଁ ରହୁଥିବା ଆପାର୍ଟମେଣ୍ଟ ଛାଡ଼ି ହଇରାଣ ହୋଇଛି ସତ ହେଲେ କେବେ ବି ଡରିନି ।
କେଉଁଥିପାଇଁ ଏସବୁ ଘଟଣା ଘଟିଛି ତାହା ସମସ୍ତେ ଜାଣନ୍ତି ବୋଲି ଶ୍ରୀମତୀ ମିଶ୍ର କହିବା ସହ ଜେବି ପଟ୍ଟନାୟକ ବଞ୍ଚିଥିବା ବେଳେ ଏ କେସ୍ ଆସିବାର ଥିଲା ବୋଲି କହିଥିଲେ । କେସ୍ ଆସିବାକୁ ବହୁତ ସମୟ ଲାଗିଗଲା । ଏବେ ମୁଁ ଆଶା କରୁଛି ଏହି ଘଟଣା ପଛରେ କାହାର ଷଡ଼ଯନ୍ତ୍ର ଥିଲା, କିଏ ଏସବୁ କରେଇଥିଲା ସିବିଆଇ ତାହା ବାହାର କରନ୍ତୁ ।
ଏହି ପରିପ୍ରେକ୍ଷୀରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଧନ୍ୟବାଦ ଜଣାଇଥିଲେ ।