ଭୁବନେଶ୍ୱର: ଦଳୀୟ କର୍ମକର୍ତ୍ତାଙ୍କ ଗହଣରେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କର କିଛି ଫଟୋ ସୋସିଆଲ୍ ମିଡ଼ିଆରେ ବୁଲୁଛି । ଅପରାଜିତା ଷଡ଼ଙ୍ଗୀ ଫ୍ୟାନ୍ କ୍ଲବ୍ ଆକାଉଣ୍ଟରେ ପଡ଼ିଛି ଡର୍ଜନରୁ ଅଧିକ ଫଟୋ । ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ନୂଆ ମଣ୍ଡଳ ସଭାପତିମାନଙ୍କୁ ସାଂସଦଙ୍କ ସମ୍ବୋଧନ ଓ ସମ୍ବର୍ଦ୍ଧନା ବେଳେ ଏସବୁ ଫଟୋ ଉଠାଯାଇଛି ।
ଏହି ସବୁ ଫଟୋରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ସାମାଜିକ ଦୂରତ୍ୱ କଥା ଛାଡ଼ନ୍ତୁ, ସାଂସଦ ମ୍ୟାଡାମ୍ ଙ୍କ ସମେତ କୌଣସି କର୍ମକର୍ତ୍ତାଙ୍କ ମୁହଁରେ ମାସ୍କ ନାହିଁ । ମନେହେଉଛି, ଓଡ଼ିଶା ଛାଡ଼ି କୋଭିଡ୍ ପଳାଇଛି ଏବଂ କୋଭିଡ୍ ନିୟମ କାନୁନ୍ ହଟିଯାଇଛି ।
ସାଂସଦ ମ୍ୟାଡାମ୍ ଏବେ ଓଡ଼ିଶା ସାରା ବୁଲୁଛନ୍ତି । ତାଙ୍କର ଫ୍ୟାନ୍ ମାନେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ତାଙ୍କୁ ଉପସ୍ଥାପିତ କରୁଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ନୁହଁନ୍ତି, ଅପରାଜିତା ହିଁ ଯୋଗ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ପ୍ରଚାର କରାଯାଉଛି । ମାତ୍ର ଏଭଳି ବ୍ୟକ୍ତିତ୍ୱ ପାଖରେ ଆଇନକୁ ନ ମାନିବାର ଜିଦ୍ ଶୋଭା ପାଉନି ବୋଲି ତାଙ୍କର ଶୁଭାକାଂକ୍ଷୀମାନେ ସ୍ୱୀକାର କରିଛନ୍ତି ।
ରାଜ୍ୟରୁ କୋଭିଡ୍ ପଳାଇଯାଇନି କି କୋଭିଡ୍ କଟକଣା ସମ୍ପୂର୍ଣ୍ଣ ହଟିଯାଇନି । ସାରା ରାଜ୍ୟର ସହରଠାରୁ ଗାଁ ଗହଳି ପର୍ଯ୍ୟନ୍ତ ଲୋକମାନଙ୍କ ମୁହଁରୁ ମାସ୍କ ଖସିନାହିଁ । ମାସ୍କ ପିନ୍ଧିବାରେ ଜନସାଧାରଣ ଏକପ୍ରକାର ଅଭ୍ୟସ୍ତ ହୋଇଗଲେଣି । ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ଏବଂ ହାତକୁ ସଫା ରଖିବା ଭଳି କୋଭିଡ୍ ର ମୌଳିକ ନିୟମକୁ ସେମାନେ ପାଳନ କରୁଛନ୍ତି । ଖୋଦ୍ ପ୍ରଧାନମନ୍ତ୍ରୀଙ୍କଠାରୁ ମୁଖ୍ୟମନ୍ତ୍ରୀ ଯାଏଁ ଆଜି ମଧ୍ୟ ଜନସାଧାରଣ ନିୟମ ପାଳିବାକୁ ଅନୁରୋଧ କରି ଆସୁଛନ୍ତି । କିଛି ଅଶିକ୍ଷିତ ଓ ଅମାନିଆଙ୍କୁ ଛାଡ଼ିଦେଲେ ପ୍ରାୟ ଲୋକ ଏହାକୁ ପାଳନ କରି କରି ଅଭ୍ୟାସରେ ପଡ଼ିଗଲେଣି ।
ମାତ୍ର ପୂର୍ବତନ ବ୍ୟୁରୋକ୍ରାଟ୍ ତଥା ଭୁବନେଶ୍ୱର ସାଂସଦ କୋଭିଡ୍ ନିୟମ ପାଳିବାକୁ ପ୍ରଥମରୁ ହେଜି ନାହାନ୍ତି । କୋଭିଡ୍ ସଂକ୍ରମଣ ପିକ୍ ରେ ଥିଲା ବେଳେ ବି ମ୍ୟାଡାମ୍ କୋଭିଡ୍ ନିୟମର ଧଜ୍ଜିଆ ଉଡାଇଛନ୍ତି । ଦୁଇମାସ ତଳେ ନିଜର ବାର୍ଥଡେ ସେଲିବ୍ରେସନ୍ ରେ ନାଚଗୀତ କରିବାରୁ ବିଏମସି ତାଙ୍କର ଅଫିସ୍ ରେ ତାଲା ପକାଇ ଦେଇଥିଲା । ସାଂସଦ ସେଥିପାଇଁ ସାମାନ୍ୟତମ ଅନୁଶୋଚନା କଲେ ନାହିଁ । ବରଂ ସିଧା ମୁଖ୍ୟମନ୍ତ୍ରୀଙ୍କୁ ଚାଲେଂଜ କଲେ । ପୂର୍ବରୁ ବାରମ୍ବାର କୋଭିଡ୍ ନିୟମ ଭାଙ୍ଗିବା ଯୋଗୁଁ ବିଏମସି ପକ୍ଷରୁ ତାଙ୍କ ବିରୋଧରେ ଏତଲା ଦିଆଯାଇଥିଲା । କୋଭିଡ୍ ନିୟମ ଭାଙ୍ଗିଥିବା ସାଂସଦ ଫାଇନ୍ ଦେଇ ଲଜ୍ଜିତ ହେବା ବଦଳରେ ନିଜକୁ ସଗର୍ବେ ପ୍ରଚାର କଲେ । ଅମୁକ ଆଇନ ଭାଙ୍ଗୁଛନ୍ତି ସମୁକ ଆଇନ ଭାଙ୍ଗୁଛନ୍ତି, କାହିଁକି କାର୍ଯ୍ୟାନୁଷ୍ଠାନ ହେଉନାହିଁ ବୋଲି ପ୍ରଶ୍ନ କରି କହି ନିଜକୁ ସବୁବେଳେ ବଡ଼ ଦେଖାଇବାକୁ ଚାହୁଁଛନ୍ତି ମ୍ୟାଡାମ୍ ।
ସାଂସଦ ଅପରାଜିତାଙ୍କର ଏହି ଅହଂକାରକୁ ତାଙ୍କ ଦଳର ଅଧିକାଂଶ ନେତା ମଧ୍ୟ ପସନ୍ଦ କରୁନାହାନ୍ତି । କୋଭିଡ୍ ନିୟମ ମାନି ମୁହଁରେ ମାସ୍କ ପିନ୍ଧିଦେଲେ ସାଂସଦ ଛୋଟ ହୋଇଯିବେନି ବରଂ ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବା ସହ ଶୃଙ୍ଖଳାର ପରିଚୟ ଦେଇ ନିଜର ବ୍ୟକ୍ତିତ୍ୱକୁ ଆହୁରି ଉଚ୍ଚା କରିପାରିବେ ବୋଲି ଜଣେ ବରିଷ୍ଠ ବିଜେପି ନେତା କହିଛନ୍ତି । ବିଭିନ୍ନ ଆଳ ରଖି ନିଜେ ଆଇନ ଭାଙ୍ଗିବା ଜଣେ ଲୋକ ପ୍ରତିନିଧିଙ୍କଠାରେ ଶୋଭାପାଏନି ବୋଲି ଅନେକ ତାତ୍ସଲ୍ୟ କରିଛନ୍ତି ।