ଭୁୁବନେଶ୍ୱର: ଜଣେ ଅଙ୍ଗନବାଡ଼ି କର୍ମୀ(ଦିଦି)ଙ୍କର ସମ୍ପତ୍ତି ତାଜୁବ କଲାଭଳି । ଖୋଦ୍ ରାଜଧାନୀରେ ତାଙ୍କର ଚାରି ଚାରିଟା କୋଠା ଆଉ ୧୦ଟି ପ୍ଲଟ୍ । ଅନ୍ୟ ଜାଗାରେ ବି ୪ ଟି ପ୍ଲଟ୍ ପକେଇଛନ୍ତି । ଭୁବନେଶ୍ୱରରେ ଥିବା ତାଙ୍କ ଘରଗୁଡ଼ିକ ପୁଣି ଏମିତି ଯାହିତାହି ଘର ନୁହଁ । ଗୋଟିଏ ଚାରି ମହଲାର ପ୍ରାସାଦ, ଗୋଟେ ତିନି ମହଲା ପ୍ରସାଦ ଆଉ ଦୁଇଟି ଦ୍ୱିତଳ ପ୍ରାସାଦ । ପାଖରେ ଏକାଧିକ ଗାଡ଼ି ମଟର ଓ ୨୦ ଭରିରୁ ଅଧିକ ସୁନାଗହଣା । ଏଭଳି ଭାବେ ୪ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତିର ମାଲିକ ବନିଛନ୍ତିି ଅଙ୍ଗନବାଡ଼ି ଦିଦି ।
ଏହି ଅଙ୍ଗନବାଡ଼ି ଦିଦି ହେଉଛନ୍ତି କବିତା ମାଥାନ୍ । ଭୁବନେଶ୍ୱର କରୋଡ଼ାକଣ୍ଟା ଅଙ୍ଗନବାଡ଼ି କେନ୍ଦ୍ରରେ ଚାକିରି କରୁଛନ୍ତି । ମାସକୁ ଦରମା ତାଙ୍କର ସାଢ଼େ ସାତ ହଜାର । ମାତ୍ର କୋଟିପତି ବନିଛନ୍ତି । ଅଚଳାଚଳ ସମ୍ପତ୍ତି ତାଙ୍କର । ତାଙ୍କର ଏହି ବିଶାଳ ସମ୍ପତ୍ତି ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇଥିଲା ଭିଜିଲାନସ୍ । ଆଉ ପ୍ରାଥମିକ ଭାବେ ସମ୍ପତ୍ତିର ଉତ୍ସ ଜାଣିବାକୁ ଜାଲ ବିଛାଇଥିଲା । ଅସାଧୁ ଉପାୟରେ ଏହି ସମ୍ପତ୍ତି ଆସିଥିବା ଏକପ୍ରକାର ନିଶ୍ଚିତ ହେଲା ପରେ ଚଢ଼ଉର ଦିନ ସ୍ଥିର କରିଥିଲା ।
ଯୋଜନା ମୁତାବକ, ଆଜି ବଡ଼ି ସକାଳୁ ଭିଜିଲାନସ୍ ର ୬ ଟି ଟିମ୍ ଭୁବନେଶ୍ୱର ସମେତ କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାରେ ୬ଟି ଜାଗାରେ ଏକକାଳୀନ ଚଢ଼ାଉ କରିଥିଲେ । ଆଜି ଦିନ ତମାମ ଚଢ଼ାଉ ଚାଲିଥିଲା । ଏହି ଟିମ୍ ରେ ଅନ୍ୟାନ୍ୟଙ୍କ ମଧ୍ୟରେ ୧୦ ଡିଏସପି ଏବଂ ୫ ଇନସପେକ୍ଟର ସାମିଲ ଥିଲେ ।
ଚଢ଼ାଉ ବେଳେ ଅଙ୍ଗନବାଡ଼ି ଦିଦିଙ୍କ ସମ୍ପତ୍ତି ଦେଖି ଭିଜିଲାନସ୍ ଅଧିକାରୀମାନେ ତାଜୁବ ହୋଇଛନ୍ତି । କେବଳ ଭୁବନେଶ୍ୱରରେ ତାଙ୍କର ଚାରି ମହଲା, ତିନି ମହଲା ଓ ଦୁଇ ମହଲାର ୪ ଟି ଅତ୍ୟାଧୁନିକ କୋଠା ରହିଛି । ଭୁବନେଶ୍ୱରର ବିଭିନ୍ନ ଜାଗାରେ ୧୦ ଟି ପ୍ଲଟ୍ ଥିବା ବେଳେ ଜଗତସିଂହପୁରର ତାଳକୁସୁମରେ ତିନୋଟି ପ୍ଲଟ୍ ଏବଂ ଖୋର୍ଦ୍ଧା ବାଲିଅନ୍ତାରେ ଗୋଟିଏ ପ୍ଲଟ୍ ଅଛି ।
ତାଙ୍କ ପାଖରେ ଗୋଟିଏ କାର୍, ତିନୋଟି ମଟର ସାଇକେଲ୍ ଓ ସ୍କୁଟି ଥିବା ବେଳେ ୨୧୨ ଗ୍ରାମର ସୁନାଗହଣା ରଖିଛନ୍ତି । ଗହଣାର ମୂଲ୍ୟ ୬.୩୬ ଲକ୍ଷ ହେବ ବୋଲି ଆକଳନ କରାଯାଇଛି । ଚଢ଼ାଉ ବେଳେ ୨.୨ ଲକ୍ଷ ଟଙ୍କାର ବୀମା କାଗଜପତ୍ର ଜବତ କରାଯାଇଛି । ବ୍ୟାଙ୍କରେ କେତେ ଟଙ୍କା ରଖିଛନ୍ତି ଭିଜିଲାନସ୍ ବିଭାଗ ପକ୍ଷରୁ ଖୋଳତାଡ଼ ଚାଲିଛି । ଚଢ଼ାଉ ଜାରି ରହିଥିବାରୁ ଅଧିକ ସମ୍ପତ୍ତି ଠାବ ହୋଇପାରେ ବୋଲି ଜଣେ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ।
ଆଜି ଭିଜିଲାନସ୍ ଚଢ଼ାଉ ବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ ଅଙ୍ଗନବାଡ଼ି ଦିଦି । କହିଥିଲେ, ମୋ ସ୍ୱାମୀ ବି ଜାଗାବାଡ଼ି ବେପାର କରୁଛନ୍ତି । ଆମେ ଜିରୋରୁ ହୀରୋ ହୋଇଛୁ । ଏଠି ଶାଗଖିଆକୁ ପେଜଖିଆ ସହି ପାରୁନାହାନ୍ତି । ମୋର ଉନ୍ନତିକୁ କିଛି ଲୋକ ସହ୍ୟ କରି ନ ପାରି ଭିଜିଲାନସ୍ କୁ ଲଗେଇଛନ୍ତି । ତେବେ ମୋ ପାଇଁ ଭଗବାନ ଅଛନ୍ତି ବୋଲି ଦିଦି କହିଛନ୍ତି ।