ଭୁୁବନେଶ୍ୱର: ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ପ୍ରବାସୀ ଓଡ଼ିଆ ସଲିଲ ପାଣିଗ୍ରାହୀ । ମାଲଦ୍ୱୀପସ୍ଥିତ ‘ଆଟୋମସ୍ପିୟର୍ ହୋଟେଲସ୍ ଆଣ୍ଡ ରିସର୍ଟସ୍’ ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପାଣିଗ୍ରାହୀ ୨୦୨୧ ମସିହାର ପ୍ରବାସୀ ଭାରତୀୟ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ପର୍ଯ୍ୟଟନ ବର୍ଗରେ ତାଙ୍କୁ ଏହି ସମ୍ମାନ ମିଳିଛି । ଭାରତର ମହାମହିମ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କଠାରୁ ଶ୍ରୀ ପାଣିଗ୍ରାହୀ ଏହି ସମ୍ମାନ ଲାଭ କରିଛନ୍ତି ।
ଭାରତ-ମାଲଦ୍ୱୀପ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଦିଗରେ ଓଡ଼ିଆ ପୁଅ ସଲିଲଙ୍କ ଯଥେଷ୍ଟ ଅବଦାନ ରହିଛି । ମାଲଦ୍ୱୀପଠାରେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ୧୨ ଟି ରିସର୍ଟ ଦୁଇ ଦେଶ ମଧ୍ୟରେ ସମ୍ପର୍କର ସେତୁ ଭାବେ ଛିଡ଼ା ହୋଇଛି । ଭାରତୀୟ ସଂସ୍କୃତିର ଛାପ ଧରିଥିବା ‘ଆଟୋମସ୍ପିୟର୍ ହୋଟେଲସ୍ ଆଣ୍ଡ ରିସର୍ଟସ୍’ ଆତିଥ୍ୟ ପ୍ରଦାନରେ ସଫଳତାର ଶୀର୍ଷ ଛୁଇଁବା ସହ ଭାରତ ମହାସାଗରୀୟ ଅଞ୍ଚଳରେ ଏକ ବ୍ରାଣ୍ଡ ନାଁ ସୃଷ୍ଟି କରିଛି ।
ବିଦେଶ ମାଟିରେ ଶ୍ରୀ ପାଣିଗ୍ରାହୀଙ୍କର ଏହି ମହାନ୍ ପ୍ରୟାସକୁ ଭୂରି ଭୂରି ପ୍ରଶଂସା କରାଯାଇଛି । ପ୍ରବାସୀ ଭାରତୀୟ ସମ୍ମାନରେ ସମ୍ମାନିତ ହେବା ପରେ ଓଡ଼ିଶାର କୋଣ ଅନୁକୋଣରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।