ଭୁବନେଶ୍ୱର: ରାଜ୍ୟ ମହିଳା କମିଶନଙ୍କ ପାଖରେ ଆଜି ହାଜର ହେଲେ ନାହିଁ ଓଟିଭି ଏମଡି ଜାଗୀମଙ୍ଗତ ପଣ୍ଡା । ଭୁବନେଶ୍ୱର ଗଣଦୁଷ୍କର୍ମ ମାମଲାରେ ଆଜି ତାଙ୍କୁ ହାଜର ହେବାକୁ ମହିଳା କମିଶନ ଦ୍ୱିତୀୟ ଥର ପାଇଁ ସମନ୍ ପଠାଇଥିଲେ । ମାତ୍ର ଜାଗୀ ନିଜେ ନ ଆସି ଓଟିଭି ଲୋକସମ୍ପର୍କ ଅଧିକାରୀଙ୍କୁ ପଠାଇଥିଲେ । ତେବେ ପ୍ରତିନିଧି ଭାବେ ତାଙ୍କୁ କୌଣସି ଲିଖିତ ପତ୍ର ଦେଇ ନ ଥିବାରୁ କମିଶନ ଶୁଣାଣି କରିନାହାନ୍ତି । ଆସନ୍ତା ୫ ରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ।
ମହିଳା କମିଶନଙ୍କ ପୂର୍ବ ସମନ୍ ଅନୁଯାୟୀ ଗତ ୨୧ ତାରିଖରେ ଜାଗୀ ହାଜର ହୋଇଥିଲେ ମଧ୍ୟ ଅନ୍ୟ କାମ ଦର୍ଶାଇ ଶୁଣାଣିରେ ରହି ନ ଥିଲେ । ତେଣୁ କମିଶନ ଦ୍ୱିତୀୟ ସମନ୍ ଟି ଡିସିପିଙ୍କ ଜରିଆରେ ପଠାଇଥିଲେ ।
ଇତିମଧ୍ୟରେ ଶ୍ରୀମତୀ ପଣ୍ଡା ତାଙ୍କ ବିରୋଧରେ ମହିଳା କମିଶନଙ୍କ ନିକଟରେ ବିଚାରାଧୀନ ମାମଲା ବନ୍ଦ କରିବାକୁ ହାଇକୋର୍ଟରେ ଆବେଦନ କରିଥିଲେ । ଗତକାଲି ହାଇକୋର୍ଟ ଏହାର ଶୁଣାଣି କରି ମହିଳା କମିଶନଙ୍କ ଉପରକୁ ନିଷ୍ପତ୍ତି ଛାଡ଼ିଛନ୍ତି ।
ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ମୀନତୀ ବେହେରା କହିଛନ୍ତି, ଓଟିଭି ଏମଡି ତାଙ୍କର ପ୍ରତିନିଧି କରି ପଠାଇଥିବା ଲୋକଙ୍କୁ ଅଥରାଇଜଡ୍ ଲେଟର୍ ଦେବା କଥା । ମାତ୍ର ସେ ତାହା କରିନାହାନ୍ତି । କାହିଁକି ସେ ବ୍ୟକ୍ତିଗତ ଭାବେ ହାଜର ହୋଇପାରିବେନି ତାହା ଲିଖିତ ଭାବେ ଜଣାଇବା କଥା । ଏହା ହାଇକୋର୍ଟଙ୍କ ନିଦେ୍ର୍ଦଶରେ ଉଲ୍ଲେଖ ରହିଛି । ଶ୍ରୀମତୀ ପଣ୍ଡା ତାହା କରିନାହାନ୍ତି ।
ଓଟିଭି ଏମଡିଙ୍କ ଅସହଯୋଗ କାରଣରୁ ବାରମ୍ବାର ଶୁଣାଣି ଘୁଞ୍ଚୁଥିବାରୁ ପୀଡ଼ିତାଙ୍କ ଓକିଲ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଜଣେ ପ୍ରତିଷ୍ଠାତା ମହିଳାଙ୍କ କ୍ଷେତ୍ରରୁ ଏଭଳି ଆଶା କରାଯାଏନି ବୋଲି କହିଛନ୍ତି ।