ଭୁବନେଶ୍ୱର: ପଶ୍ଚିମବଙ୍ଗରେ ବିଜେପି ଆଇଟି ସେଲ୍ ର ନିଆଁଗିଳା ମିଛ ପ୍ରଚାର ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ଟିଏମସି କର୍ମୀମାନଙ୍କ ଦ୍ୱାରା ହତ୍ୟାର ଶିକାର ତାଲିକାରେ ଇଣ୍ଡିଆ ଟୁଡେର ସାମ୍ବାଦିକ ଅଭ୍ର ବାନାର୍ଜୀଙ୍କ ଫଟୋକୁ ଦେଖାଇ ଏକ ଭିଡ଼ିଓ ରିଲିଜ୍ କରାଯାଇଥିଲା । ରାଜ୍ୟ ବିଜେପି ସୋସିଆଲ୍ ମିଡ଼ିଆ ଆକାଉଣ୍ଟ୍ ରେ ଭିଡ଼ିଓଟି ପୋଷ୍ଟ ହୋଇଥିଲା । କୋଲକତାରେ ବିଜେପି ସଭାପତି ଜେ.ପି.ନଡ୍ଡାଙ୍କ ଉପସ୍ଥିତିରେ ତାହା ପ୍ରଦର୍ଶିତ କରାଗଲା । ଦିଲ୍ଲୀରେ ଥିବା ଅଭ୍ର ଏହା ଜାଣିବା ପରେ ବିଚଳିତ ହୋଇଯାଇଥିଲେ । ମୁଁ ବଞ୍ଚିଛି, ମରିନି ବୋଲି ତାଙ୍କୁ ଟୁଇଟ୍ କରିବାକୁ ପଡ଼ିଲା । ଏଥିସହ ବିଜେପି ଆଇଟି ସେଲ୍ ଦ୍ୱାରା ପ୍ରସ୍ତୁତ ଫେକ୍ ଭିଡ଼ିଓର ପର୍ଦ୍ଦାଫାସ୍ ହୋଇଥିଲା ।
ଦୁର୍ଭାଗ୍ୟ ଯେ ବିଜେପିର ଏହି ଫେକ୍ ଭିଡ଼ିଓ ଧରାପଡ଼ିବା ପରେ ବି ଦଳୀୟ ନେତାଙ୍କ ମୁହଁରେ ଅନୁତାପ କି ଲାଜ ସରମ ନାହିଁ । ଦଳର ମୁଖପାତ୍ର ସମ୍ବିତ ପାତ୍ର ଏକ ହିନ୍ଦୀ ଚାନେଲ୍ ଡିବେଟ୍ ରେ ବସି ଏହାକୁ ବାଇ ମିଷ୍ଟେକ୍ କହିଥିଲେ ମଧ୍ୟ ସେଥିପାଇଁ ଲଜ୍ଜାବୋଧ କରି ନ ଥିଲେ । ଓଲଟି ନିଜର ସଫେଇ ରଖୁଥିବା ସାମ୍ବାଦିକ ଅଭ୍ର ବାନାର୍ଜୀଙ୍କୁ ଚୁପ୍ କରାଉଥିଲେ । ଟିଏମସି କାର୍ଯ୍ୟକର୍ତ୍ତା ଭଳି ନହୋଇ ସାମ୍ବାଦିକ ଭଳି ଆଚରଣ କରନ୍ତୁ । ସୋଲଡ୍ ଆଉଟ୍ ଜର୍ଣ୍ଣାଲିଷ୍ଟ ଭଳି ହୁଅନ୍ତୁ ନାହିଁ ବୋଲି ଅଭ୍ରଙ୍କୁ କଟାକ୍ଷ କରୁଥିଲେ ।
ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ଭାଇରାଲ୍ ଆଉ ଦୁଇଟି ଫେକ୍ ଭିଡ଼ିଓ ମଧ୍ୟ ସାମନାକୁ ଆସିଛି । ଗୋଟେ ଭିଡ଼ିଓରେ ଦଳେ ଲୋକ ହାତରେ ମାରଣାସ୍ତ୍ର ଧରି ‘ଖେଲା ହୋବେ’ ଗୀତ ତାଳରେ ନାଚୁଛନ୍ତି । ନିର୍ବାଚନ ଫଳ ବାହାରିଲା ପରେ ଟିଏମସି କର୍ମୀମାନେ ହିଂସ୍ର ହୋଇ ଏଭଳି କରୁଥିବା ବିଜେପି ଏହାକୁ ଚିତ୍ରଣ କରିଛି । ମାତ୍ର ଏହି ଭିଡ଼ିଓଟି ଗତବର୍ଷ ସେପ୍ଟେମ୍ବରରୁ ଇଣ୍ଟରେନେଟ୍ ରେ ଘୂରୁଛି । ଖେଲା ହୋବେ ସ୍ଲୋଗାନ୍ ରେ କେବଳ ଏହା ରିମିକ୍ସ କରାଯାଇଛି ।
ଆଉ ଏକ ଭିଡ଼ିଓରେ ଦେଖାଯାଉଥିବା ମାରପିଟ୍ ଘଟଣାଟି ୨୦୧୯ ମେ’ ମାସର । ବିଦ୍ୟାସାଗର କଲେଜରେ ବିଜେପି ଏବଂ ଟିଏମସି କର୍ମୀଙ୍କ ମଧ୍ୟରେ ଏହି ହିଂସାକାଣ୍ଡ ହୋଇଥିଲା । ମାତ୍ର ବିଜେପି ଏହାକୁ ଏବେକାର ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡକୁ ଯୋଡି ପ୍ରଚାର ଚଳାଇଛନ୍ତି ।
ବିଜେପି ନେତା ସ୍ୱପନ ଦାସଗୁପ୍ତା, ମୀନାକ୍ଷୀ ଲେଖି, କୈଳାସ ବିଜୟଭର୍ଗିୟା ପ୍ରମୁଖ ଟ୍ୱିଟ୍ କରି ଟିଏମସି ଗୁଣ୍ଡାରାଜକୁ ସମାଲୋଚନା କରିଛନ୍ତି । ଟିଏମସିର ମୁସଲିମ୍ ଗୁଣ୍ଡାବାହିନୀ ଦ୍ୱାରା ବିଜେପି କର୍ମୀଙ୍କୁ ହତ୍ୟା କରାଯାଉଛି, ଘରୁ ତଡ଼ି ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି । ଟିଏମସି କର୍ମୀମାନେ ବିଜେପି ମହିଳା କର୍ମୀଙ୍କୁ ବଳାତ୍କାର କରୁଥିବା ମଧ୍ୟ ସେମାନେ ଅଭିଯୋଗ ବାଢ଼ିଛନ୍ତି ।
ଅନ୍ୟପକ୍ଷରେ, ବିଜେପିର ବଙ୍ଗ ଦଖଲ ଉଦ୍ୟମରେ ମମତା ବାନାର୍ଜୀ ବ୍ରେକ୍ ଲଗାଇବା ପରେ ବିଜେପି ହତୋତ୍ସାହିତ ହୋଇ ଏଭଳି ମିଥ୍ୟା ପ୍ରଚାରର ଆଶ୍ରୟ ନେଇଥିବା ଟିଏମସି ନେତାମାନେ କହୁଛନ୍ତି । ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡକୁ ସାମ୍ପ୍ରଦାୟିକତା ରଙ୍ଗ ଦିଆଯାଉଥିବା ସେମାନଙ୍କର ଅଭିଯୋଗ । ପଶ୍ଚିବଙ୍ଗରେ ନିର୍ବାଚନୀ ହିଂସାକାଣ୍ଡକୁ ନେଇ ବିଜେପି ୯୫% ମିଛ ପ୍ରଚାର କରୁଥିବା ଟିଏମସି ସାଂସଦ ମହୁଆ ମୌତ୍ର କହିଛନ୍ତି ।
ଏପଟେ ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସାରୁ ଫାଇଦା ଉଠାଇବାକୁ ଓଡ଼ିଶାର ମୁଷ୍ଟିମେୟ ବିଜେପି ନେତାମାନେ ଝାଳନାଳ ବୁହାଇବା ସମସ୍ତଙ୍କୁ ଆମୋଦିତ କରିଛି । ରାଜ୍ୟରେ ମହାମାରୀ କୋଭିଡ୍ ସ୍ଥିତି ସଙ୍ଗୀନ ଥିଲା ବେଳେ ଏମାନେ ଲୋକଙ୍କ ଦୁଃଖରେ ସାମିଲ ହେବା ବଦଳରେ ପଶ୍ଚିମବଙ୍ଗ ରାଜନୀତିକୁ ଗଣ୍ଠି କରିଛନ୍ତି । ପଶ୍ଚିମବଙ୍ଗରେ ଦଳର ଶୋଚନୀୟ ପରାଜୟରେ ଲଜ୍ଜିତ ନ ହୋଇ ଓଲଟି ବସ୍ ଙ୍କୁ ଖୁସି କରିବାକୁ ମମତା ବାନାର୍ଜୀଙ୍କୁ ଗାଳି ଦେବାର ପ୍ରତିଯୋଗିତା କରୁଛନ୍ତି । ଫେକ୍ ଭିଡ଼ିଓ ଜାଣିବା ପରେ ବି ସୋସିଆଲ୍ ମିଡ଼ିଆରେ ସେୟାର୍ କରି ବୀରତ୍ୱ ଦେଖାଇ ଚାଲିଛନ୍ତି ।
ପଶ୍ଚିମବଙ୍ଗ ହେଉ କି ଅତୀତରେ ଓଡ଼ିଶା ନିର୍ବାଚନ ହେଉ, ବିଜେପି ନେତାମାନେ ସେଥିରୁ କିଛି ଶିଖିଲେ ନାହିଁ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ । ଦଳର ମୁଖ୍ୟ କାର୍ଯ୍ୟକର୍ତ୍ତା ବୋଲାଉଥିବା ନେତାମାନଙ୍କ ଆଚରଣ ଓ ଉଚ୍ଚାରଣରେ ଅହଂକାର ଛାପ ଜଳ ଜଳ ଦିଶୁଛି । ସୋସିଆଲ୍ ମିଡ଼ିଆରେ ମିଛ ପ୍ରଚାର କରି ଲୋକଙ୍କ ବିଶ୍ୱାସ ହରାଉଛନ୍ତି । ଏହା ଦଳ ପାଇଁ ଆତ୍ମଘାତୀ ସଦୃଶ ବୋଲି ସେମାନେ କହିଛନ୍ତି ।