ପାଟଣା: ଆରଜେଡ଼ି ନେତା ତେଜସ୍ୱୀ ଯାଦବଙ୍କ ନେତୃତ୍ୱାଧୀନ ମହାମେଣ୍ଟକୁ ନିରଙ୍କୁଶ ସଂଖ୍ୟା ଗରିଷ୍ଠ ମିଳିବ ଏବଂ ସେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଅଧିକାଂଶ ଏକଜିଟ୍ ପୋଲ୍ କରିଥିବା ଆକଳନ ଭୁଲ୍ ପ୍ରମାଣିତ ହୋଇଛି । ୧୭ ରାଉଣ୍ଡ ଭୋଟଗଣତି ଶେଷରେ ବିଜେପି ଏବଂ ଜେଡି(ୟୁ) ମେଣ୍ଟ ଏନଡିଏକୁ ବହୁମତ ମିଳିଛି । ସମୁଦାୟ ୩୫ ରାଉଣ୍ଡ ଗଣତି ହେବାକୁ ଥିବାରୁ ବିଳମ୍ବିତ ରାତିରେ ସ୍ପଷ୍ଟ ଫଳାଫଳ ଜଣାପଡ଼ିବ ।
ବଡ଼କଥା ହେଉଛି, ନୀତିଶ କୁମାରଙ୍କ ଜେଡି(ୟୁ)ଠାରୁ ବିଜେପି ଅଧିକ ଆସନରେ ଆଗୁଆ ଅଛି । ବିଜେପି ୧୨୧ ଟି ଆସନରେ ପ୍ରାର୍ଥୀ ଦେଇଥିଲା ବେଳେ ଏ ପର୍ଯ୍ୟନ୍ତ ୭୬ ଆସନରେ ଆଗୁଆ ଅଛନ୍ତି । ସେହିଭଳି ଜେଡି(ୟୁ) ୧୨୨ ଟି ଆସନରେ ପ୍ରାର୍ଥୀ ଦେଇଥିଲା ବେଳେ ୪୨ ଆସନରେ ଆଗୁଆ ଅଛନ୍ତି । ଆରଜେଡି ୭୦, କଂଗ୍ରେସ ୨୦ ଏବଂ ବାମପନ୍ଥୀ ପ୍ରାର୍ଥୀମାନେ ୧୮ ଆସନରେ ଆଗୁଆ ଅଛନ୍ତି । ସୁତରାଂ ଏନଡିଏ ମେଣ୍ଟରେ ବର୍ତ୍ତମାନ ବିଜେପି ବଡ଼ଭାଇ ଭାବେ ଉଭା ହୋଇଛି ।
ବିହାରରେ ମୋଦି ମ୍ୟାଜିକ୍ କାମ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘମାଘୋଟ ପ୍ରଚାର କରିଥିଲେ ଏବଂ ଏହାର ଫଳ ବିଜେପିକୁ ମିଳିଛି । ବିଜେପିର ନିର୍ବାଚନ ଇସ୍ତାହାରରେ ୧୯ ଲକ୍ଷ କର୍ମନିଯୁକ୍ତି ଏବଂ ସମସ୍ତଙ୍କୁ କରୋନା ଟୀକା ମାଗଣାରେ ଦେବାର ପ୍ରତିଶ୍ରୁତି ଲୋକଙ୍କ ମନକୁ ଛୁଇଁଛି । ଅନ୍ୟପକ୍ଷରେ ବେକାରୀ, କରୋନା ପରିସ୍ଥିତିର ମୁକାବିଲାରେ ନୀତିଶ କୁମାର ସରକାରଙ୍କ ବିଫଳତା ଭୋଟରଙ୍କ ଉପରେ ପ୍ରଭାବ ପକାଇ ପାରିନି ।
ଆରଜେଡ଼ି ନେତା ତଥା ନୀତିଶ କୁମାରଙ୍କ ପୂର୍ବତନ ସହଯୋଗୀ ଉପମୁଖ୍ୟମନ୍ତ୍ରୀ ୩୧ ବର୍ଷୀୟ ତେଜସ୍ୱୀ ଯାଦବ ନିର୍ବାଚନ ପ୍ରଚାରରେ କମାଲ୍ ଦେଖାଇଥିଲେ । ତାଙ୍କ ନିର୍ବାଚନ ସଭାରେ ପ୍ରବଳ ଜନସମାଗମ ହେଉଥିଲା ଏବଂ ଲୋକଙ୍କ ମଧ୍ୟରେ ତାଙ୍କର କ୍ରେଜ୍ ବଢ଼ିଥିଲା । ସରକାର ଗଢ଼ିଲେ ପ୍ରଥମ ଦିନ ୧୦ ଲକ୍ଷ ବେକାରୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।