ନୂଆଦିଲ୍ଲୀ/ଭୁବନେଶ୍ୱର: ବିହାରରେ ତେଜସ୍ୱୀଙ୍କ ତେଜ୍ ଆଗରେ ଫେଲ୍ ମାରିଛି ମୋଦି ମ୍ୟାଜିକ୍ । ବିଜେପି ଓ ନୀତିଶ୍ କୁମାରଙ୍କୁ ବିହାର ଜନତା ପ୍ରତ୍ୟାଖ୍ୟାନ କରିଛନ୍ତି । ଆରଜେଡ଼ି ନେତୃତ୍ୱାଧୀନ ମହାଗଠବନ୍ଧନ ସପକ୍ଷରେ ଯାଇଛି ଜନମତ । ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ବିହାର ନିର୍ବାଚନ ଶେଷରେ ଆଜି ବିଭିନ୍ନ ସଂସ୍ଥା ଓ ଜାତୀୟ ଟିଭି ଚାନେଲ୍ ଗୁଡ଼ିକ ପକ୍ଷରୁ ହୋଇଥିବା ଏକଜିଟ୍ ପୋଲ୍ ସର୍ଭେରୁ ଏହା ସ୍ପଷ୍ଟ ହୋଇଛି ।
ସର୍ଭେ ସତ ହେଲେ ଲାଲୁ ଓ ରାବଡି ଦେବୀଙ୍କ ୩୧ ବର୍ଷ ବୟସ୍କ ପୁତ୍ର ତେଜସ୍ୱୀ ଯାଦବ ହେବେ ବିହାର ମୁଖ୍ୟମନ୍ତ୍ରୀ । ଅଧିକାଂଶ ସର୍ଭେରେ ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପ୍ରାୟ ୪୪% ଲୋକେ ପସନ୍ଦ କରିଛନ୍ତି ।
୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ମ୍ୟାଜିକ୍ ନମ୍ବର ହେଉଛି ୧୨୨ । ଆରଜେଡ଼ି ନେତୃତ୍ୱାଧୀନ ମହାଗଠବନ୍ଧନ ଏହାଠାରୁ ଯଥେଷ୍ଟ ଆସନ ହାସଲ କରିବ ବୋଲି ଅଧିକାଂଶ ସର୍ଭେ ରିପୋର୍ଟ କହୁଛି । ମହାଗଠବନ୍ଧନ ଦୁଇ ତୃତୀୟାଂଶ ଆସନରେ ବିଜୟୀ ହେବେ ବୋଲି କିଛି ସର୍ଭେରେ କୁହାଯାଇଛି ।
ଆକ୍ସିସ୍ ମାଇଁ ଇଣ୍ଡିଆ-ଇଣ୍ଡିଆ ଟୁଡେର ଏକଜିଟ୍ ପୋଲ୍ ସର୍ଭେରେ ବିଜେପି, ଜେଡ଼ି(ୟୁ) ନେତୃତ୍ୱାଧୀନ ଏନଡିଏ ୬୯ରୁ ୯୧ ଆସନ ହାସଲ କରିବ ବୋଲି କୁହାଯାଇଥିଲା ବେଳେ ଆରଜେଡ଼ି ନେତୃତ୍ୱାଧୀନ ମହାଗଠବନ୍ଧନ ୧୩୯ରୁ ୧୬୧ ଆସନ ପାଇବ ବୋଲି କୁହାଯାଇଛି । ଏଲଜେପି, ଜିଡ଼ିଏସଏଫ ଏବଂ ଅନ୍ୟାନ୍ୟ ଦଳ ୩ ରୁ ୫ ଟି ଲେଖାଏଁ ଆସନ ପାଇପାରନ୍ତି ।
ରିପବ୍ଲିକ୍ ଟିଭି-ଜନ କି ବାତ୍ ଏକଜିଟ୍ ପୋଲ୍ ସର୍ଭେରେ ଏନଡିଏ ୯୧ରୁ ୧୧୭ ଏବଂ ମହାଗଠବନ୍ଧନ ୧୧୮ ରୁ ୧୩୮ ଆସନ ପାଇବେ ବୋଲି କୁହାଯାଇଛି । ସିଏନଏନ ନିଉଜ୍ ୧୮-ଟୁଡେସ୍ ଚାଣକ୍ୟ ସର୍ଭେରେ ମହାଗଠବନ୍ଧନକୁ କ୍ଲିନ୍ ସ୍ୱିପ୍ ଦିଆଯାଇଛି । ମହାଗଠବନ୍ଧନକୁ ୧୮୦ ଆସନ ମିଳିବ ବୋଲି କୁହାଯାଇଛି ।
ନିଉଜ୍ ଏକ୍ସ-ଡିଭି ରିସର୍ଚ୍ଚ ସର୍ଭେରେ ଏନଡିଏ ଏବଂ ମହାଗଠବନ୍ଧନ ବରାବର ବା ତୀବ୍ର ପ୍ରତିଦ୍ୱନ୍ଦିତାରେ ଥିବା ବେଳେ ଦୈନିକ ଭାସ୍କର ସର୍ଭେରେ ଏନଡିଏ ୧୨୦ ରୁ ୧୨୭ ଆସନ ପାଇ ବିଜୟୀ ହେବ ବୋଲି କୁହାଯାଇଛି ।
କେଉଁ ସର୍ଭେରେ କାହାରିକୁ କେତେ ଆସନ
ଆକ୍ସିସ୍ ମାଇଁ ଇଣ୍ଡିଆ-ଇଣ୍ଡିଆ ଟୁଡେ
ଏନଡିଏ: ୬୯-୯୧, ମହାଗଠବନ୍ଧନ: ୧୩୯-୧୬୧, ଏଲଜେପି: ୩-୫, ଜେଡିଏସଏଫ: ୩-୫, ଅନ୍ୟାନ୍ୟ ଦଳ: ୩-୫
ଏବିପି ନିଉଜ୍-ସି ଭୋଟର
ଏନଡିଏ: ୧୦୪-୧୨୮, ମହାଗଠବନ୍ଧନ: ୧୦୮-୧୩୧, ଏଲଜେପି: ୧-୩, ଅନ୍ୟାନ୍ୟ ଦଳ: ୪-୮
ଟାଇମସ୍ ନାଓ- ସି ଭୋଟର
ଏନଡିଏ: ୧୧୬, ମହାଗଠବନ୍ଧନ: ୧୨୦, ଏଲଜେପି: ୧, ଅନ୍ୟାନ୍ୟ ଦଳ: ୬
ରିପବ୍ଲିକ୍ ଟିଭି-ଜନ କି ବାତ୍
ଏନଡିଏ: ୯୧-୧୧୭, ମହାଗଠବନ୍ଧନ: ୧୧୮-୧୩୮, ଏଲଜେପି: ୫-୮, ଅନ୍ୟାନ୍ୟ ଦଳ: ୩-୬
ନିଉଜ୍ ଏକ୍ସ-ଡିଭି ରିସର୍ଚ୍ଚ
ଏନଡିଏ:୧୧୦-୧୧୭, ମହାଗଠବନ୍ଧନ: ୧୦୮-୧୨୩, ଏଲଜେପି: ୪-୧୦, ଅନ୍ୟାନ୍ୟ ଦଳ: ୮-୨୩
ସିଏନଏନ ନିଉଜ୍ ୧୮-ଟୁଡେସ୍ ଚାଣକ୍ୟ
ଏନଡିଏ: ୫୫, ମହାଗଠବନ୍ଧନ: ୧୮୦, ଏଲଜେପି: ୦, ଅନ୍ୟାନ୍ୟ ଦଳ: ୮
ଦୈନିକ ଭାସ୍କର
ଏନଡିଏ: ୧୨୦-୧୨୭, ମହାଗଠବନ୍ଧନ: ୭୧-୮୧, ଏଲଜେପି: ୧୨-୨୩ ଅନ୍ୟାନ୍ୟ ଦଳ: ୧୯-୨୭