ଭୁବନେଶ୍ୱର: ପିପିଲି ଉପନିର୍ବାଚନ ରଣନୀତିକୁ ବିଜେଡ଼ି ଶାଣିତ କରିଛି । ନିର୍ବାଚନ ମଣ୍ଡଳୀକୁ ୪ ଟି ଜୋନ୍ ରେ ବିଭକ୍ତ କରାଯାଇ ୪ ଜଣ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ମହେଶ୍ୱର ମହାନ୍ତି, ସଞ୍ଜୟ ଦାସବର୍ମା ଓ ପ୍ରତାପ ଦେବଙ୍କୁ ପରିଚାଳନା ଦାୟିତ୍ୱ ଦିଆଯାଇଛି । ଏଥିସହ ବ୍ଲକୱାରୀ ଦଳୀୟ ନେତାଙ୍କୁ ଦାୟିତ୍ୱ ଦେଇଛନ୍ତି ସଭାପତି ନବୀନ ପଟ୍ଟନାୟକ । ପିପିଲି ବ୍ଲକ୍ ପାଇଁ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଡେଲାଙ୍ଗ ବ୍ଲକ୍ ପାଇଁ ମନ୍ତ୍ରୀ ନବ କିଶୋର ଦାସ, ମନ୍ତ୍ରୀ ସୁଶାନ୍ତ ସିଂ, ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟଙ୍କୁ ଦାୟିତ୍ୱ ଦିଆଯାଇଥିବା ବିଜେଡ଼ି ସାଧାରଣ ସମ୍ପାଦକ (ଗଣମାଧ୍ୟମ) ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।
ପ୍ରାର୍ଥୀପତ୍ର ଘୋଷଣାର ଢ଼େର୍ ପୂର୍ବରୁ ଦଳ ପକ୍ଷରୁ ପିପିଲି ରଣନୀତି ପ୍ରସ୍ତୁତ କରାଯାଇ ବିଭିନ୍ନ ନେତାଙ୍କୁ ଦାୟିତ୍ୱ ବଣ୍ଟା ସରିଥିଲା । ପିପିଲି ବ୍ଲକ୍ ର ୨୫ ଟି ପଞ୍ଚାୟତ, ଡେଲାଙ୍ଗ ବ୍ଲକ୍ ର ୨୧ ଟି ପଞ୍ଚାୟତ ଓ ପିପିଲି ଏନଏସିର ୧୬ଟି ୱାର୍ଡ ଦଳୀୟ ନେତାଙ୍କ ଦାୟିତ୍ୱରେ ଛଡ଼ାଯାଇଛି । ପ୍ରତି ପଞ୍ଚାୟତ ଓ ୱାର୍ଡରେ ମହିଳା, ଯୁବ ଓ ଛାତ୍ର ସାମ୍ମୁଖ୍ୟର ଜଣେ ଲେଖାଏଁ ସେମାନଙ୍କୁ ସହଯୋଗ କରୁଛନ୍ତି ।
୩୦ ତାରିଖ ପ୍ରାର୍ଥୀପତ୍ର ଦାଖଲ ପରେ ୩୧ ତାରିଖଠାରୁ ବିଜେଡ଼ି ପ୍ରଚାର ଅଭିଯାନ ଜୋରଦାର ଆରମ୍ଭ ହୋଇଛି । ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ସବୁ ପଞ୍ଚାୟତର ଲୋକଙ୍କ ପାଖରେ ଯେଭଳି ପହଞ୍ଚିବେ ଦଳ ପକ୍ଷରୁ ତା’ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି ।