ଭୁବନେଶ୍ୱର: ଉପନିର୍ବାଚନ ହେଉଥିବା ଦୁଇଟି ଆସନ ପାଇଁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଦଳର ପ୍ରାର୍ଥୀ ଘୋଷଣା କରିଛନ୍ତି । ତିର୍ତ୍ତୋଲ୍ ଆସନରୁ ପରଲୋକଗତ ବିଧାୟକ ବିଷ୍ଣୁଚରଣ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ ପ୍ରାର୍ଥୀ ହୋଇଥିବା ବେଳେ ବାଲେଶ୍ୱର ସଦର ଆସନରୁ ଅଜଣା ଅଶୁଣା ସ୍ୱରୂପ କୁମାର ଦାସଙ୍କୁ ପ୍ରାର୍ଥୀ କରାଯାଇଛି । ଅତୀତରେ ବାଲେଶ୍ୱରରୁ ଥରେ କାଉନସିଲର ନିର୍ବାଚିତ ହୋଇଥିବା ସ୍ୱରୂପଙ୍କୁ ବିଧାୟକ ପ୍ରାର୍ଥୀ କରି ନବୀନ ସମସ୍ତଙ୍କୁ ଚକମା ଦେଇଛନ୍ତି ।
ବାଲେଶ୍ୱର ଆସନରୁ ନିଜେ ଲଢ଼ିବାକୁ ନଚେତ ପତ୍ନୀ ସୁବାସିନୀଙ୍କୁ ପ୍ରାର୍ଥୀ କରିବା ପାଇଁ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଆଗ୍ରହୀ ଥିବା ଚର୍ଚ୍ଚା ହେଉଥିଲା । ସେହିଭଳି ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ମଧ୍ୟ ଟିକେଟ ପାଇବାକୁ ପ୍ରଥମରୁ ଆଶା ବାନ୍ଧିଥିଲେ । ବାଲେଶ୍ୱର ବିଜେଡ଼ିରେ ରବୀନ୍ଦ୍ର ଜେନା ଓ ଜୀବନ ପ୍ରଦୀପ ଦାସଙ୍କ ମଧ୍ୟରେ ତୀବ୍ର ବିବାଦ ଥିବାରୁ ତାହା ଦଳ ପାଇଁ ବଡ଼ ଚାଲେଂଜ ଥିଲା । ଗୋଷ୍ଠୀ କନ୍ଦଳର ସମାଧାନ ପାଇଁ ବିଜେଡ଼ି ନେତାମାନେ ବାଲେଶ୍ୱରରେ ଡେରା ପକାଇଥିଲେ । ଉଭୟ ପକ୍ଷ ମଧ୍ୟରେ ମିଳାମିଶା କରି ସହମତି ଭିତ୍ତିରେ ପ୍ରାର୍ଥୀ କରିବାକୁ ଦଳୀୟ ନେତୃବନ୍ଦ ଉଦ୍ୟମ ଜାରି ରଖିଥିଲେ । ଶେଷ ମୁହୁର୍ତ୍ତ ଯାଏଁ ଦଳ କାହାରିକୁ ପ୍ରାର୍ଥୀ କରିବ କେହି ଟେର୍ ପାଇପାରି ନ ଥିଲେ ।
ସ୍ୱରୂପ କୁମାର ଦାସ ବିଜେଡ଼ିର ସେଭଳି ଆଗଧାଡ଼ିର ନେତା ନୁହଁନ୍ତି । ଅତୀତରେ ସେ ୫ ନଂ ୱାର୍ଡରୁ କାଉନସିଲର ନିର୍ବାଚିତ ହୋଇ ସେହି ୱାର୍ଡ ମଧ୍ୟରେ ନିଜକୁ ସୀମିତ ରଖିଥିଲେ । ଅନ୍ୟ କୌଣସି ଦଳୀୟ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁ ନ ଥିଲା । ମୋଟାମୋଟି ଭାବେ, ବାଲେଶ୍ୱରରେ ତାଙ୍କର ନିଜସ୍ୱ ପରିଚୟ କମ୍ । ପୂର୍ବତନ ନଗରପାଳ ଅନୁପ କୁମାର ଦାସଙ୍କ ଭାଇ ଭାବେ ସେ ବେଶୀ ପରିଚିତ । ସ୍ୱରୂପଙ୍କ ଭାଇ ଅନୁପ ଦୁଇଥର ଏବଂ ଭାଉଜ ଥରେ ନଗରପାଳ ଥିଲେ ।
ତିର୍ତ୍ତୋଲରେ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କ ପ୍ରାର୍ଥୀତ୍ୱ ଏକରକମ ସ୍ପଷ୍ଟ ଥିଲେ ମଧ୍ୟ ବିଷ୍ଣୁ ଦାସଙ୍କ ବିରୋଧୀ ଭାବେ ଜଣାଶୁଣା ସାଂସଦ ରାଜଶ୍ରୀ ମଲ୍ଲିକ ତାଙ୍କ ସ୍ୱାମୀଙ୍କୁ ପ୍ରାର୍ଥୀ କରିବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହୋଇଥିଲା । ଦୁଇପକ୍ଷ ବିବାଦର ଫାଇଦା ନେଇ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଥିବା ଶ୍ରୀମତୀ ମିନତୀ ବେହେରା ଟିକେଟ ପାଇବାକୁ କୁଆଡ଼େ ଆଶା କରିଥିଲେ । ଅନ୍ୟପକ୍ଷରେ ଗତଥର ବିଜେପି ପ୍ରାର୍ଥୀ ଥିବା ରମାକାନ୍ତ ଭୋଇ ସେଠାରୁ ନିରାଶ ହୋଇ ଇସ୍ତଫା ଦେବା ପରେ ଆଜି ସକାଳେ ବିଜେଡ଼ିରେ ମିଶିଛନ୍ତି ।
ସୂଚନାଥାଉକି, ଗତକାଲି ବିଜେପି ଦୁଇଟି ଆସନର ପ୍ରାର୍ଥୀ ଘୋଷଣା କରିଥିଲା । ବାଲେଶ୍ୱର ସଦରରୁ ସ୍ୱର୍ଗତ ବିଧାୟକ ମଦନମୋହନ ଦତ୍ତଙ୍କ ପୁତ୍ର ମାନସ ଦତ୍ତ ପ୍ରାର୍ଥୀ ହୋଇଥିଲା ବେଳେ ତିର୍ତ୍ତୋଲରୁ ପୂର୍ବତନ କଂଗ୍ରେସ ପ୍ରାର୍ଥୀ ରାଜକିଶୋର ବେହେରା ପ୍ରାର୍ଥୀ ହୋଇଛନ୍ତି ।
ଏ ପର୍ଯ୍ୟନ୍ତ କଂଗ୍ରେସ ପ୍ରାର୍ଥୀ ଘୋଷଣା ହୋଇନାହିଁ ।