ଭୁୁବନେଶ୍ୱର: ପିପିଲି ଉପନିର୍ବାଚନ ପ୍ରଚାର ଜମୁଥିବା ବେଳେ ଆଜି ବିଜେପି-ବିଜେଡ଼ି କର୍ମୀ ମୁହାଁମୁହିଁ ହୋଇଛନ୍ତି । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ରାଲିରେ ଟେକାପଥର ମାଡ଼ ଘଟଣାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ବିଜେପି କର୍ମୀମାନେ ପିପିଲି ଥାନା ଘେରାଉ କରିବାକୁ ଉଦ୍ୟମ କରୁଥିଲା ବେଳେ ବିଜେଡ଼ି କର୍ମୀଙ୍କ ବିରୋଧ ଯୋଗୁଁ ଠେଲାପେଲା ହୋଇଥିଲା ।
ଆଜି ଦିନ ୧୨ଟା ବେଳେ ରାଇଗିରିପୁର ଗାଁରେ ବିଜେପି ପ୍ରଚାର ଶୋଭାଯାତ୍ରା ଯାଉଥିବା ବେଳେ କିଛି ବିଜେଡ଼ି କର୍ମୀ ଟେକାପଥର ମାଡ଼ କରିଥିବା ଅଭିଯୋଗ ହୋଇଛି । ଏଥିରେ ଚିତ୍ତରଞ୍ଜନ ନାୟକ ନାମକ ଜଣେ ବିଜେପି କର୍ମୀ ଆହତ ହେବା ସହ ତାଙ୍କ ବାଇକ୍ ଭାଙ୍ଗିଯାଇଥିବା ଅଭିଯୋଗରୁ ଜଣାପଡ଼ିଛି । ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ସମର୍ଥକମାନଙ୍କ ସହ ଗାଁ ଦାଣ୍ଡରେ ଧାରଣାରେ ବସିଥିଲେ । କିଛି ସମୟ ପରେ ସେଠାରୁ ଉଠି ପିପିଲି ଥାନା ଆଗରେ ଧାରଣା ଦେବାକୁ ଆସିଥିଲେ । ଶତାଧିକ ବିଜେପି କର୍ମୀ ଥାନା ଘେରାଉ କରିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ବିଜେଡ଼ି କର୍ମୀମାନେ ଏହାକୁ ବିରୋଧ କରିଥିଲେ । ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ଠେଲାପେଲା ହୋଇଥିଲା ।
କିଛି ଅଘଟଣ ଘଟିବା ପୂର୍ବରୁ ଶାନ୍ତିର ନାରା ଦେଇ ବିଜେଡ଼ି କର୍ମୀମାନେ ସେଠାରୁ ପଳାଇ ଆସିଥିଲେ । ଅନ୍ୟପକ୍ଷରେ ଆକ୍ରମଣକାରୀଙ୍କୁ ୨୪ ଘଣ୍ଟାରେ ଗିରଫ କରାଯିବ ବୋଲି ଏସପିଙ୍କ ପ୍ରତିଶ୍ରୁତି ପରେ ଆଶ୍ରିତ ଏବଂ ତାଙ୍କ ସମର୍ଥକମାନେ ଥାନା ଆଗରୁ ଧାରଣାରୁ ହଟିଥିଲେ ।
ଆକ୍ରମଣ ଘଟଣାରେ ବିଜେଡ଼ିର ସଂପୃକ୍ତିକୁ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଅସ୍ୱୀକାର କରିଛନ୍ତି । ବିଜେପି ପରାଜୟ ଭୟରେ ଏଭଳି ମିଥ୍ୟା ଅଭିଯୋଗ ଆଣୁଛି । ବିଜେଡ଼ି ହିଂସାରେ ବିଶ୍ୱାସ କରେ ନାହିଁ କି ହିଂସାକୁ ପ୍ରଶୟ ଦିଏ ନାହିଁ ବୋଲି ସେ କହିଛନ୍ତି ।