ଭୁବନେଶ୍ୱର: ବାଲେଶ୍ୱର ସଦର ଆସନରୁ ମାନସ ଦତ୍ତ ଏବଂ ଓ ତିର୍ତ୍ତୋଲ ଆସନରୁ ରାଜକିଶୋର ବେହେରା ବିଜେପି ଟିକେଟରେ ଉପନିର୍ବାଚନ ଲଢ଼ିବେ । ଆଜି ଦଳର କେନ୍ଦ୍ରୀୟ ମହାସଚିବ ଅରୁଣ ସିଂ ଦୁହିଁଙ୍କ ପ୍ରାର୍ଥୀତ୍ୱ ଘୋଷଣା କରିଛନ୍ତି । ନାମାଙ୍କନ ଦାଖଲ ପାଇଁ ହାତରେ ଆଉ ମାତ୍ର ୫ ଦିନ ଥିବା ବେଳେ ପ୍ରଥମ ଦଳ ଭାବେ ବିଜେପି ତା’ର ପ୍ରାର୍ଥୀ ଘୋଷଣା କରିଛି ।
ବାଲେଶ୍ୱର ସଦର ଆସନରୁ ବିଜେପି ପ୍ରାର୍ଥୀ ଘୋଷିତ ମାନସ ହେଉଛନ୍ତି ପରଲୋକଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ସୁପୁତ୍ର । ଉପନିର୍ବାଚନ ପାଇଁ ତାଙ୍କୁ ନିର୍ବାଚନମଣ୍ଡଳୀର ସଂଯୋଜକ ଭାବେ ପୂର୍ବରୁ ନିଯୁକ୍ତି ଦିଆଯାଇଥିଲା । ବିଜେପି ପ୍ରାର୍ଥୀ ଭାବେ ସେ ପ୍ରଥମରୁ ଦାବିଦାର ଥିଲେ ମଧ୍ୟ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗୋଷ୍ଠୀ ତାଙ୍କୁ ବିରୋଧ କରୁଥିବା ଚର୍ଚ୍ଚା ହେଉଥିଲା ।
କେନ୍ଦ୍ରମନ୍ତ୍ରୀଙ୍କ ଖାସ୍ ଅନୁଗତ ବିଜେପି ବ୍ଲକ ଅଧ୍ୟକ୍ଷ ଉମାକାନ୍ତ ମହାପାତ୍ରଙ୍କ ନାଁ ପ୍ରଥମେ ଚର୍ଚ୍ଚାକୁ ଆସିଥିଲା । ତେବେ ୪ ଦିନ ତଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ବାଲେଶ୍ୱର ସଦର ବ୍ଲକ୍ ଅଧ୍ୟକ୍ଷ ନାରାୟଣ ପ୍ରଧାନ ବିଜେଡ଼ି ଛାଡ଼ି ବିଜେପିରେ ଯୋଗଦେବା ପରେ କାହାଣୀ ବଦଳିଯାଇଥିଲା । ମାତ୍ର ତାହା ବେଶୀ ଦିନ ରହିଲା ନାହିଁ । ବିଜେପିରେ ଯୋଗଦେବାର ଦୁଇଦିନ ନ ପୂରୁଣୁ ନାରାୟଣ ବିଜେଡ଼ିକୁ ଫେରିଯାଇଥିଲେ । ଏଥିସହ ମାନସଙ୍କ ପ୍ରାର୍ଥୀତ୍ୱକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦର ଅବସାନ ଘଟିଥିଲା ।
ସେପଟେ ତିର୍ତ୍ତୋଲରେ ପ୍ରାର୍ଥୀ ହୋଇଥିବା ରାଜକିଶୋର ବେହେରା ନିକଟରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଥିଲେ । ୨୦୦୯ ଏବଂ ୨୦୧୪ ନିର୍ବାଚନରେ ସେ କଂଗ୍ରେସ ପ୍ରାର୍ଥୀ ଭାବେ ଲଢ଼ି ଦ୍ୱିତୀୟ ସ୍ଥାନରେ ଥିଲେ । ସେ ବିଜେପିକୁ ଆସିବା ପରେ ଗତଥର ସେଠାରୁ ପ୍ରାର୍ଥୀ ଥିବା ରମାକାନ୍ତ ଭୋଇ ବିଜେପି ଛାଡ଼ିଦେଇଛନ୍ତି ।
ସେପଟେ ଅଙ୍କ ଛିଣ୍ଡି ନ ଥିବାରୁ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣାରେ ପଛରେ ପଡିଛନ୍ତି । ଆସନ୍ତାକାଲି ସୁଦ୍ଧା ଉଭୟ ଦଳର ପ୍ରାର୍ଥୀ ଘୋଷଣା ହୋଇଯିବ ବୋଲି ସୂଚନା ମିଳିଛି ।