ଭୁବନେଶ୍ୱର: ଝାରପଡ଼ା ଅଞ୍ଚଳରେ ସାଂସଦ ଅପରାଜିତାଙ୍କ ନିଖୋଜ ପୋଷ୍ଟର ମରାକୁ କେନ୍ଦ୍ର କରି ବିଜେପିର ଦୁଇଗୋଷ୍ଠୀ ପ୍ରବଳ ପିଟାପିଟି ହୋଇଛନ୍ତି । ଏହି ମାମଲାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।
ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ ଜଗନ୍ନାଥ ପ୍ରଧାନଙ୍କ ସମର୍ଥକ କୁହାଯାଉଥିବା ଶୁଭମ୍ ଲାଲ୍ ହୀରା ନାମକ ଜଣେ ଯୁବକ ଅପରାଜିତାଙ୍କ ନିଖୋଜ ପୋଷ୍ଟର୍ କାନ୍ଥରେ ଲଗାଉଥିଲେ । ମାତ୍ର ଏହି ଖବର ପାଇ ସାଂସଦଙ୍କ ପିଏ ଧନେଶ୍ୱର ବାରିକ ଓ ସହଯୋଗୀ ଜ୍ୟୋତିରଂଜନ ପଣ୍ଡା ସେଠାରେ ପହଞ୍ଚି ଶୁଭମ୍ ଙ୍କୁ ସେଥିରୁ ବାରଣ କରିଥିଲେ । ମାତ୍ର ଶୁଭମ୍ ନ ଶୁଣିବାରୁ ସେମାନେ ତାଙ୍କୁ ମାଡ଼ ମାରିଥିଲେ । ଏହାପରେ ଉଭୟ ଗୋଷ୍ଠୀ ପିଟାପିଟି ହୋଇ ମାମଲା ଥାନାକୁ ନେଇଥିଲେ ।
ଥାନା ସାମନାରେ ଛିଡ଼ା ହୋଇଥିଲା ବେଳେ ଜଗନ୍ନାଥଙ୍କ ଅନ୍ୟ ଜଣେ ସମର୍ଥକ ପ୍ରଶାନ୍ତ ନାୟକ କାହିଁକି ଶୁଭମ୍ ଙ୍କୁ ବାଡ଼େଇଲୁ ବୋଲି ଧନେଶ୍ୱରଙ୍କୁ ପ୍ରଶ୍ନ କରି ଗାଳିମନ୍ଦ କରିଥିଲେ । ଧନେଶ୍ୱର ପ୍ରତିବାଦ କରିବାରୁ ଉତ୍ତ୍ୟକ୍ତ ପ୍ରଶାନ୍ତ ତାଙ୍କୁ ପିଟିଥିଲେ । ଫଳରେ ଲକ୍ଷ୍ମୀସାଗର ଥାନା ସାମନା ରଣକ୍ଷେତ୍ର ପାଲଟିଥିଲା । ଉଭୟ ଗୋଷ୍ଠୀ ପରଷ୍ପରକୁ ଆକ୍ରମଣ କରିଥିଲେ ।
ଧନେଶ୍ୱରଙ୍କ ବିରୋଧରେ ଦୁଇଟି କେସ୍ ଏବଂ ପ୍ରଶାନ୍ତଙ୍କ ବିରୋଧରେ ଗୋଟିଏ କେସ୍ ହୋଇଛି । ବିଜେପିର ଏହି ଅନ୍ତଃକନ୍ଦଳ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।
(ସୋସିଆଲ୍ ମିଡ଼ିଆରୁ ସଂଗୃହୀତ)