ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଟିକାକେନ୍ଦ୍ରରେ ବିଜେପିର ହଲାପଟା ଆଜି ବି ଦେଖିବାକୁ ମିଳିଛି । ବ୍ରହ୍ମପୁର ଗିରିରୋଡ୍ ବାଳିକା ହାଇସ୍କୁଲ ଟିକାକେନ୍ଦ୍ରରେ ବିଜେପି କର୍ମୀମାନେ ହୋ ହଲ୍ଲା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ବ୍ୟାନରକୁ ଚିରିବାର ଦୃଶ୍ୟ ରାଜ୍ୟବାସୀ ଟିଭିରେ ଲାଇଭ୍ ଦେଖିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଟିକା ଦେଇଛନ୍ତି । ତେଣୁ ଟିକାକେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହୁ, ମୁଖ୍ୟମନ୍ତ୍ରୀଙ୍କର ଫଟୋ ନୁହେଁ ବୋଲି ସେମାନଙ୍କର ହଲପ ଲୋକେ ଶୁଣିଛନ୍ତି ।
କରୋନା ମହାମାରୀରେ ମଣିଷ ପୋକମାଛି ଭଳି ମରୁଥିବା ବେଳେ ଟିକାକେନ୍ଦ୍ର ଗୁଡ଼ିକରେ ବିଜେପି କର୍ମୀଙ୍କ ଏହି ଗଣ୍ଡଗୋଳ ଏକ ଭୟର ବାତାବରଣ ସୃଷ୍ଟି କରିଛି । ଟିକା ନେବାକୁ ଧାଡ଼ିରେ ଛିଡ଼ା ହୋଇଥିବା ଲୋକଙ୍କ ମାନସିକ ସ୍ଥିତିକୁ ଏହା ଅଧିକ ବିଗାଡୁଥିବା ବେଳେ ଟିକା ଅଭିଯାନରେ ନିୟୋଜିତ କର୍ମଚାରୀଙ୍କ କାମରେ ବାଧା ସୃଷ୍ଟି କରୁଥିବା ଦେଖାଯାଉଛି । ମାତ୍ର ସେଥିପ୍ରତି ବିଜେପି କର୍ମୀଙ୍କ ଖାତିର ନାହିଁ । ମୋଦିଙ୍କ ଫଟୋ ଲଗାଇବା ନିଶାରେ ସେମାନେ ସମ୍ଭବତଃ ସମ୍ବେଦନଶୂନ୍ୟ ହୋଇଯାଇଛନ୍ତି ।
ବିଜେପିର ଏହି କାଣ୍ଡକୁ ଅଶୋଭନୀୟ ଦର୍ଶାଇ ବୁଦ୍ଧିଜୀବୀ ମହଲ ସହଜରେ ଗ୍ରହଣ କରିପାରୁନାହାନ୍ତି । ବିଭିନ୍ନ ଟିକାକେନ୍ଦ୍ରରେ ସ୍ଥାନୀୟ ବିଜେପି କର୍ମୀମାନଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ଫଟୋ ଚିରା ଘଟଣାକୁ ସେମାନେ ଗମ୍ଭୀରତାର ସହ ବିଚାର କରୁଛନ୍ତି । ରାଜନୈତିକ ଦଳ ଭାବେ ନିଜ ନେତା ଏବଂ ଦେଶର ପ୍ରଧାନମନ୍ତ୍ରୀଙ୍କ ଫଟୋ ରଖିବାକୁ ଜିଦ୍ କରିବାରେ କୌଣସି ବ୍ୟତିକ୍ରମ ନାହିଁ । ମାତ୍ର ରାଜ୍ୟର ଶାସନମୁଖ୍ୟଙ୍କ ଫଟୋ ଓ କରୋନା ସଚେତନତା ବାର୍ତ୍ତାକୁ ଚିରିବା ଅତ୍ୟନ୍ତ ଅଶୋଭନୀୟ ଏବଂ ହୀନମନ୍ୟତାର ପରିଚାୟକ । ଏକ ଜାତୀୟ ଦଳର କାର୍ଯ୍ୟକର୍ତ୍ତାଙ୍କର ଏଭଳି ଆଚରଣକୁ ନାପସନ୍ଦ କରିଛନ୍ତି । ରାଜନୀତି ନାଁରେ ଏହା ଅପସଂସ୍କାର ବୋଲି କଟାକ୍ଷ କରାଯାଇଛି ।
ଏହା ବିଜେପିକୁ ରାଜନୈତିକ ଫାଇଦା ଆଣିବ ବୋଲି ଯଦି ରାଜ୍ୟ ନେତୃବୃନ୍ଦ ଭାବୁଥାନ୍ତି, ତେବେ ତାହା ସମ୍ପୂର୍ଣ୍ଣ ଭୁଲ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି । ସେମାନଙ୍କ ମତରେ ନବୀନ ପଟ୍ଟନାୟକ କେବଳ ରାଜ୍ୟର ୫ଥରର ମୁଖ୍ୟମନ୍ତ୍ରୀ ନୁହଁନ୍ତି, ସବୁଠାରୁ ଲୋକପ୍ରିୟ ନେତା । ତାଙ୍କର ଆଚାର ବ୍ୟବହାର ପାଇଁ ସେ ଅଧିକ ଗ୍ରହଣୀୟ । ତାଙ୍କ ୨୧ ବର୍ଷର ଶାସନକାଳରେ ସେ କୌଣସି ପ୍ରଧାନମନ୍ତ୍ରୀ କିମ୍ବା ନେତୃବୃନ୍ଦଙ୍କୁ ଅସମ୍ମାନିତ କରିନାହାନ୍ତି । ବରଂ କେନ୍ଦ୍ର ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଚରଣ ପାଇଁ ସେ ଅଧିକ ପରିଚିତ । ଖାସ୍ କରି କରୋନା ଯୁଦ୍ଧ ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କର ତାଳମେଳ ଅଧିକ ରହୁଥିବା ଦେଖିବାକୁ ମିଳୁଛି ।
ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ମୋଦିଙ୍କ ଲୋକମାନେ ଚିରି ଗଣ୍ଡଗୋଳ କରିବା ଏବଂ ସୋସିଆଲ୍ ମିଡ଼ିଆରେ ମୁଖ୍ୟମନ୍ତ୍ରୀଙ୍କୁ ଗାଳି କରି ଏକାଧିକ ପୋଷ୍ଟ କରିବା ଦ୍ୱାରା ବିଜେପିର ଅଧିକ କ୍ଷତି ହେଉଛି । ବିଜେପି ନେତାମାନେ ଏହାକୁ କିଭଳି ପ୍ରଶୟ ଦେଉଛନ୍ତି ବୋଲି ଓଲଟି ପ୍ରଶ୍ନ କରିଛନ୍ତି ରାଜନୈତିକ ସମୀକ୍ଷକ । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦଳର ଇ-ଚିନ୍ତନ ଭର୍ଚୁଆଲ୍ କାର୍ଯକ୍ରମରେ ସଂଗଠନକୁ ତୃଣମୂଳସ୍ତରରେ ଆଗେଇ ନେବା ଉପରେ ଆଲୋଚନା କରିଥିଲା ବେଳେ ଦଳୀୟ କର୍ମୀଙ୍କ ଆଚରଣ ଏଥିରେ କିଭଳି ସହାୟକ ହେବ ବୋଲି ପ୍ରଶ୍ନ ଉଠାଇଛନ୍ତି ।
ସୂଚନା ଅନୁଯାୟୀ, ଖୋଦ୍ ବିଜେପିରେ ଏହାକୁ ନେଇ ମତପାର୍ଥକ୍ୟ ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଲାଗିବା ସେମାନେ ଚାହୁଁଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଚିରିବାକୁ ସେମାନେ ନାପସନ୍ଦ କରିଛନ୍ତି । ଏହାଦ୍ୱାରା ଲୋକଙ୍କ ପାଖକୁ ଭୁଲ୍ ବାର୍ତ୍ତା ଯାଉଛି ଏବଂ ବିଜେପିର ଗ୍ରହଣୀୟତା କମୁଛି ବୋଲି ଗୋଟିଏ ଗୋଷ୍ଠୀ ମତ ଦେଇଛନ୍ତି ।
ସେପଟେ ଫଟୋ ରାଜନୀତିକୁ ନେଇ ସୋସିଆଲ୍ ମିଡ଼ିଆରେ ବିଜେପିକୁ ଅଧିକ ଟ୍ରୋଲ୍ ହେବାକୁ ପଡ଼ିଛି । ଭାରତରେ ବିଳମ୍ବିତ ଟିକାକରଣ ଯୋଗୁଁ ହଜାର ହଜାର ଲୋକ ମରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଅନେକ ଦାୟୀ କରିଛନ୍ତି । ସୁପ୍ରିମକୋର୍ଟଙ୍କ ଛାଟ ନ ବାଜିଥିଲେ ଆଜି ଏହି ମାଗଣା ଟିକାକରଣ ଅଭିଯାନ ଆରମ୍ଭ ହୋଇପାରି ନ ଥାଆନ୍ତା ବୋଲି କଟାକ୍ଷ କରାଯାଇଛି । ସେହିଭଳି ଲୋକଙ୍କ ଟିକସ ପଇସାରେ ଟିକା କିଣାଯାଉଥିବାରୁ ଏଥିପାଇଁ ପ୍ରଧାନମନ୍ତ୍ରୀ କି ମୁଖ୍ୟମନ୍ତ୍ରୀ ଶ୍ରେୟ ନେବାର ଆବଶ୍ୟକତା ନାହିଁ ବୋଲି କୁହାଯାଇଛି । ଟିକାକେନ୍ଦ୍ରରେ ଗୁଣ୍ଡାଗର୍ଦ୍ଦି କରୁଥିବା ବିଜେପି କର୍ମୀଙ୍କୁ ମହାମାରୀ ଆଇନ ବଳରେ ଗିରଫ କରିବା ପାଇଁ ଅନେକ ଦାବି କରିଛନ୍ତି ।