ଭୁବନେଶ୍ବର: ଦୀର୍ଘ ଦିନର ନୀରବତା ପରେ ସିବିଆଇ ପୁଣି ଚଞ୍ଚଳ। ଚିଟଫଣ୍ଡ ମାମଲାରେ ସକ୍ରିୟତା ଦେଖାଇ ଆଜି ଏକ ଛଅ ଜଣିଆ ଟିମ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଙ୍କ ୟୁନିଟ୍-୧ ସ୍ଥିତ ସରକାରୀ ବାସଭବନ ରେ ଚଡ଼ାଉ କରିଛି। କଟକ ଜିଲ୍ଲା ନରସିଂହପୁର ସ୍ଥିତ ତାଙ୍କ ପୈତୃକ ଘରେ ବି ଚଢ଼ାଉ କରିଛି ସିବିଆଇ। ଚିଟଫଣ୍ଡ ମାମଲାରେ ସିବିଆଇ ପୁଣି ଚେଇଁ ବାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି।
ମାମଲା ୨୦୧୩ ମସିହାର। ଦେବୀ ମିଶ୍ର ପର୍ଯ୍ୟଟନ ମନ୍ତ୍ରୀ ଥିବାବେଳେ ସିସୋର କମ୍ପାନୀ କୁ ଘଟେଶ୍ୱର ଘାଟ ନୌବିହାର ବୋଟିଂ ପ୍ରକଳ୍ପ ର ଲିଜ ଦିଆ ଯାଇଥିଲା। ଶ୍ରୀ ମିଶ୍ର ସିସୋର କମ୍ପାନୀ କୁ ଅନୁଗ୍ରହ ଦେଖାଇ ଥିଲେ ବୋଲି ଅଭିଯୋଗ ହୋଇଥିଲା। ଏନେଇ ସିବିଆଇ ପୂର୍ବରୁ ତାଙ୍କୁ ନୋଟିସ ଜାରି କରି ପଚରା ଉଚୁରା କରିଥିଲା। ମାତ୍ର ଦୀର୍ଘ ବର୍ଷ ଧରି ନିରବ ରହିବା ପରେ ଆଜି ସକାଳ ୮ ରେ ସିବିଆଇ ଟିମ ଶ୍ରୀ ମିଶ୍ର ଙ୍କ ଭୁବନେଶ୍ୱର ସରକାରୀ ବାସଭବନରେ ପଶି ଦୀର୍ଘ ପ୍ରାୟ ୪ ଘଣ୍ଟା ଧରି ଖୋଳତାଡ଼ କରିଥିଲା। ଏକା ସମୟରେ ସିବିଆଇ ର ଅନ୍ୟ ଏକ ଟିମ ଶ୍ରୀ ମିଶ୍ର ଙ୍କ ନରସିଂହପୁରସ୍ଥିତ ପୈତୃକ ବସଭବନରେ ଚଢାଉ କରିଥିଲା।
ନିଜ ବାସଭବନରେ ଆଇସୋଲସନ ରେ ଥିବା ଦେବୀ ମିଶ୍ର ସିବିଆଇ ର ଏଭଳି ଚଢାଉକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସିବିଆଇ ତଦନ୍ତରେ ସେ ସବୁବେଳେ ସହଯୋଗ କରିଛନ୍ତି। ସିବିଆଇ ଯାହା ର କାଗଜପତ୍ର ଚାହୁଁଛି ତାହା ପର୍ଯ୍ୟଟନ ବିଭାଗରେ ଅଛି। ତାହା ତାଙ୍କ ଘରେ କେମିତି ରହିବ ଶ୍ରୀ ମିଶ୍ର ବୁଝିପାରିନାହାନ୍ତି। ତେବେ ତାଙ୍କ ଅନୁମତି ନେଇ ସିବିଆଇ ତାଙ୍କ ଘରକୁ ଆସିଥିଲା ବୋଲି କହିଛନ୍ତି।
ସେପଟେ ସିବିଆଇ ର ଏହି ଚଢ଼ାଉ ଏକ ଫାର୍ସ ବୋଲି କଂଗ୍ରେସ ଆକ୍ଷେପ କରିଛି। ଆଗକୁ ଉପନିର୍ବାଚନ ଥିବାରୁ ବିଜେପି ଡ୍ରାମା କରୁଛି ବୋଲି ବିଧାୟକ ତାରା ବାହିନୀପତି କଟାକ୍ଷ କରିଛନ୍ତି। ଏଥିରେ କିଛି ଲାଭ ନାହିଁ ବୋଲି ସେ କହିଛନ୍ତି।