ଭୁବନେଶ୍ୱର: ଓଡ଼ିଶାର ବେଳାଭୂମି ପର୍ଯ୍ୟଟନ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ । ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍ ର ଚନ୍ଦ୍ରଭାଗା ଏବଂ ବାଲେଶ୍ୱରର ତଳସାରୀ-ଉଦୟପୁର ବେଳାଭୂମିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ର କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଯୋଜନାର ରୂପାୟନ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଛନ୍ତି । ଏହାକୁ ମହତ୍ୱାକାଂକ୍ଷୀ ଯୋଜନା ଶ୍ରେଣୀଭୁକ୍ତ କରାଯାଇଛି ।
ଏହି ଯୋଜନାରେ ପୁରୀ-କୋଣାର୍କ ବେଳାଭୂମିର ଚନ୍ଦ୍ରଭାଗାଠାରେ ୧ କିଲୋମିଟର ବ୍ୟାପୀ ଅଞ୍ଚଳର ବିକାଶ କରାଯିବ । ସେଠାରେ ଜଳକ୍ରୀଡ଼ା, ଆମୋଦପ୍ରମୋଦ, ସୁଦୃଶ୍ୟ ଚଲାପଥ, ସାଇକେଲ ଟ୍ରାକ୍, ସମୁଦ୍ର କୂଳେ କୂଳେ କାଠର ଚଲାପଥ, ମୁକ୍ତ ରଙ୍ଗମଞ୍ଚ, ଛୋଟ ପିଲାଙ୍କ ପାଇଁ ଖେଳ ଅଞ୍ଚଳ, ସୂର୍ଯେ୍ୟାଦୟ ଦେଖିବା ପାଇଁ ମଞ୍ଚ, ଦୁଃସାହସିକ କ୍ରୀଡ଼ା ଆଦି ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ ।
ଏହାଛଡ଼ା ଆଧୁନିକ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା, ଲ୍ୟାଣ୍ଡସ୍କେପିଂ, ବାଲି ସୁରକ୍ଷା ବ୍ୟବସ୍ଥା, ସୌର ଆଲୋକ ସୁବିଧା ସହିତ ସ୍ଥାନୀୟ ଲୋକଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରାଯିବ । ପର୍ଯ୍ୟଟକମାନେ କେବଳ ଦିନ ସମୟରେ ହିଁ ଏହିସବୁକୁ ଉପଭୋଗ କରିପାରିବେ । ଏହି କାର୍ଯ୍ୟ ୧ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ବାଲେଶ୍ୱରର ତଳସାରୀର ବେଳାଭୂମି ବିକାଶ ପାଇଁ ମଧ୍ୟ ବଡ଼ ଯୋଜନା କରାଯାଇଛି । ପର୍ଯ୍ୟଟକମାନେ ଯେଭଳି ଏକାଧିକ ଦିନ ରହଣୀ କରି ବେଳାଭୂମିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବେ ସେହି ବ୍ୟବସ୍ଥା କରାଯିବ । ସେହି ଲକ୍ଷ୍ୟରେ ୨.୪ କିଲୋମିଟର ଅଞ୍ଚଳକୁ ବିକଶିତ କରାଯାଇ ତାରକା ହୋଟେଲ ଏବଂ ବଜେଟ ହୋଟେଲ ନିର୍ମାଣକୁ ଉତ୍ସାହିତ କରାଯିବ ।
ବେଳାଭୂମିର ସୌନ୍ଦର୍ଯ୍ୟକୁ ପର୍ଯ୍ୟଟକମାନେ ମନଭରି ଉପଭୋଗ କରିବାର ଭରପୂର ବ୍ୟବସ୍ଥା ରହିବ । ପାଭିଲିଅନ ସହିତ ବର୍ଷା ଆଶ୍ରୟସ୍ଥଳ, କିଓସ୍କ, ସିଟିଂ ଆଇସଲାଣ୍ଡସ୍, ସୋଲାର୍ ଫଟୋ ଭଲଟେକ୍ ପ୍ୟାନେଲସ୍, ଆମ୍ଫିଂ-ଥିଏଟର୍ସ, ରେଷ୍ଟୁରାଣ୍ଟ ଆଦି ସୁବିଧା ପାଇବେ ପର୍ଯ୍ୟଟକ । ପର୍ଯ୍ୟଟକମାନଙ୍କୁ ଓଡ଼ିଶାର କଳା ସଂସ୍କୃତି ସହ ପରିଚିତ କରିବା ପାଇଁ ଏକ ଆର୍ଟ ଏବଂ କ୍ରାଫ୍ଟ୍ ପ୍ଲାଜା ମଧ୍ୟ ନିର୍ମାଣ କରାଯିବ । ଅକ୍ଟୋବର ୨୦୨୧ ସୁଦ୍ଧା ଏସବୁର ଭିତ୍ତିଭୂମି କାର୍ଯ୍ୟ ଶେଷ ହେବ ।
ପର୍ଯ୍ୟଟକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଉଭୟ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ତଦାରଖ କରାଯିବ ଏବଂ ଲାଇଫ ଗାର୍ଡମାନଙ୍କୁ ମୁତୟନ କରାଯିବ । ଏହିସବୁ ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ଷ୍ଟାଣ୍ଡାର୍ଡ ମିଳିଥିବାରୁ ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିବା ସହିତ ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗକୁ ଧନ୍ୟବାଦ ଜଣାଇଥିଲେ । ଆଗାମୀ ଦୁଇ ବର୍ଷ ମଧ୍ୟରେ ପୀର ଜାହାନିଆ, ନିଳାଦ୍ରୀ, ମୁହାଣ ଆଦି ପୁରୀ ଜିଲ୍ଲାରେ ଥିବା ବେଳାଭୂମି ଏବଂ ଗଞ୍ଜାମ ଜିଲ୍ଲାର ହରିପୁର ଓ ପତିସୋନପୁର ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ବେଳାଭୂମି ଭାବରେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ବୈଠକରେ ଭୋଗରାଇ ବିଧାୟକ ଅନନ୍ତ ଦାସ, ଓଟିଡିସି ଅଧ୍ୟକ୍ଷା, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଏବଂ ପୁରୀ ଓ ବାଲେଶ୍ୱରର ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।