ଭୁବନେଶ୍ୱର: ଆଗାମୀ ମେ’ ୨୯ ରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ପଞ୍ଚମ ପାଳି ସରକାରର ଦ୍ୱିତୀୟ ବର୍ଷ ପୂରଣ ହେଉଛି । ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନରେ ବିଭିନ୍ନ ବିଭାଗ କେତେ ସଫଳ ହୋଇଛି ବର୍ଷୱାରୀ ତାହାର ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ଯାହା କହିଥିଲେ ତାହାର ଦ୍ୱିତୀୟ ପାଳି କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ଆସନ୍ତା ମେ’ ୧୫ ରୁ ୨୫ ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ସବୁ ବିଭାଗର କାର୍ଯ୍ୟ ସମୀକ୍ଷା କରିବେ । ମନ୍ତ୍ରୀମାନେ ନିଜର ଦାୟିତ୍ୱ ତୁଲାଇବାରେ କେତେ ସଫଳ ହୋଇଛନ୍ତି ତାହାର ହିସାବ ନିକାଶ ହେବ ।
ସବୁ ମନ୍ତ୍ରୀମାନଙ୍କୁ ବ୍ୟକ୍ତିଭାବରେ ଚିଠି ଲେଖି ଆଜି ମୁଖ୍ୟମନ୍ତ୍ରୀ ଏହା ଜଣାଇଛନ୍ତି । ଏଥିରେ କୁହାଯାଇଛି ଯେ ସଚିବମାନଙ୍କ ଉପସ୍ଥିତିରେ ମନ୍ତ୍ରୀମାନେ ସେମାନଙ୍କ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ୫ଟି ପ୍ରମୁଖ କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ । ଏହା ସହିତ ୫-ଟି ଓ ମୋ ସରକାର କାର୍ଯ୍ୟକ୍ରମ ସେମାନଙ୍କ ବିଭାଗ ରେ କିଭଳି କାର୍ଯ୍ୟ କାରୀ କରାଯାଇଛି ଏବଂ ଏହା ସେମାନଙ୍କ ବିଭାଗର କାର୍ଯ୍ୟ ଧାରାରେ କିଭଳି ଉନ୍ନତି ଆଣିଛି ଓ ବିଭାଗ କୁ କେତେ ଲୋକାଭିମୁଖୀ କରିପାରିଛି ସେ ସମ୍ପର୍କରେ ମଧ୍ୟ ମନ୍ତ୍ରୀ ମାନେ ମୁଖ୍ୟମନ୍ତ୍ରୀ ଙ୍କୁ ଅବଗତ କରିବେ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗଣତନ୍ତ୍ର ରେ ଜନତା ହେଉଛନ୍ତି ମାଲିକ । ତେଣୁ ଗଣତନ୍ତ୍ର ରେ ଉତ୍ତର ଦାୟିତ୍ୱ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶାର ସାଢ଼େ ଚାରି କୋଟି ଜନତା ଯେଉଁ ଦାୟିତ୍ୱ ଆମକୁ ଦେଇଛନ୍ତି, ଯେଉଁ ପ୍ରତିଶ୍ରୁତି ଆମେ ଲୋକଙ୍କୁ ଦେଇଛୁ ତାକୁ ପାଳନ ଦିଗରେ କେତେ ଦୂର ଆମେ ସଫଳ ହୋଇଛୁ ତାର ହିସାବ ଲୋକଙ୍କୁ ଦେବାକୁ ହେଵ ଓ ଏହା ଗଣତନ୍ତ୍ର ର ମର୍ଯ୍ୟଦା ବୃଦ୍ଧି କରିବ ।
ସୂଚନାଯୋଗ୍ୟ, ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଗଠିତ ପଞ୍ଚମ ପାଳି ସରକାର ପ୍ରଥମ ବୈଠକରେ ଦଳର ନିର୍ବାଚନ ଇସ୍ତାହାରକୁ କାର୍ଯ୍ୟ କାରୀ କରିବା ପାଇଁ ନୀତିଗତ ନିଷ୍ପତ୍ତି ନେଇଥିଲେ । ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଆଗାମୀ ମେ ୨୯ରେ ମନ୍ତ୍ରୀ ପରିଷଦର ସ୍ବତନ୍ତ୍ର ବୈଠକରେ ବିଭିନ୍ନ ବିଭାଗର ସଫଳତା ଉପସ୍ଥାପନ କରାଯାଇ ଲୋକଙ୍କୁ ଅବଗତ କରାଯିବ।
‘ଆମେ କଥାରେ ନୁହେଁ କାମରେ ବିଶ୍ୱାସ କରୁ’ ଏହି ଉକ୍ତିକୁ ଅକ୍ଷରେ ଅକ୍ଷରେ ପାଳିବା ପାଇଁ ସରକାର ନିରନ୍ତର କାମ କରି ଚାଲିଛନ୍ତି ବୋଲି କୁହାଯାଇଛି ।