ଭୁବନେଶ୍ୱର: କୋଭିଡ୍ ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାଗସ୍ତରେ କଳାହାଣ୍ଡି ଯାଇ ସରକାରୀ କାର୍ଯ୍ୟକ୍ରମ ଓ ସଭାରେ ଯୋଗଦେବେ । ଗୁରୁବାର ସକାଳ ୧୧.୨୫ ମିନିଟ୍ ରେ ମୁଖ୍ୟମନ୍ତ୍ରୀ ଜଇପାଟଣା ବ୍ଲକ୍ ଅନ୍ତର୍ଗତ କନକପୁର ଅସ୍ଥାୟୀ ହେଲିପ୍ୟାଡ୍ ରେ ଅବତରଣ କରିବେ ଏବଂ ମଙ୍ଗଳପୁର ଅପର ଇନ୍ଦ୍ରାବତୀ ପମ୍ପ ହାଉସ ଆଗରେ ଆୟୋଜିତ ସଭାରେ ଯୋଗଦେବେ । ସମ୍ପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
କଳାହାଣ୍ଡିର ବହୁ ପ୍ରତୀକ୍ଷିତ ଅପର ଇନ୍ଦ୍ରାବତୀ ମେଗାଲିଫ୍ଟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ । ୯୮୬.୭୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପର ଶିଳାନ୍ୟାସ ୨୦୧୩ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହୋଇଥିଲା । ଏହି ପ୍ରକଳ୍ପ ଦ୍ୱାରା ୩ଟି ବ୍ଲକ୍ ଜୟପାଟଣା, କୋକସରା ଓ ଧର୍ମଗଡ଼ର ୯୧ଟି ଗ୍ରାମର ୨୫,୨୭୪.୯୪ ହେକ୍ଟର ବା ୬୨ ହଜାର ୪୫୬ ଏକର ଜମି ଜଳସେଚିତ ହୋଇପାରିବ । ୩୯ଟି ପଞ୍ଚାୟତର ୫୦, ୪୦୬ ଲୋକ ଏଥିରେ ଉପକୃତ ହେବେ । ଏହି ପ୍ରକଳ୍ପ ବାଦ୍ ଆଉ ୧୩୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ଉଦବୋଧନ ଦେବେ ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ଦଳୀୟ କସରତ ଜୋରଦାର କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଓ କଳାହାଣ୍ଡିର ବିକାଶର ଚିତ୍ର ଘରେ ଘରେ ପହଞ୍ଚାଇବାକୁ ଉଦ୍ୟମ ହୋଇଛି । ଗତକାଲିଠାରୁ ୬୫ ମନ୍ତ୍ରୀ, ବିଧାୟକ କଳାହାଣ୍ଡିରେ ଡେରା ପକାଇଛନ୍ତି । ଆଜି ଜିଲ୍ଲାର ୩୮ଟି ପଞ୍ଚାୟତକୁ ବିଧାୟକମାନେ ଗସ୍ତ କରିଛନ୍ତି ।
ପ୍ରତି ପଞ୍ଚାୟତକୁ ଜଣେ, ଦୁଇଜଣ ବିଧାୟକ ଯାଇ ମେଗା ଲିଫ୍ଟ ପ୍ରକଳ୍ପ ଦ୍ୱାରା କଳାହାଣ୍ଡିର ବିକାଶ ପାଇଁ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇଛନ୍ତି । ବିଧାୟକମାନଙ୍କ ଦାୟିତ୍ୱରେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ପ୍ରତି ପଞ୍ଚାୟତରେ ଏଲଇଡି ଜରିଆରେ ଲୋକଙ୍କୁ ସିଧା ପ୍ରସାରଣ କରାଯିବ ।
ସୂଚନାଥାଉକି, ମାର୍ଚ୍ଚ ମାସରେ କୋଭିଡ୍ ଲକଡାଉନ ଆରମ୍ଭ ହେଲା ପରେ ମୁଖ୍ୟମନ୍ତ୍ରୀ ନବୀନ ନିବାସ ବାହାରେ କୌଣସି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ । ନବୀନ ନିବାସରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ସମୀକ୍ଷା ବୈଠକ, ଉଦଘାଟନ ଓ ଶିଳାନ୍ୟାସ ଜାରି ରହିଥିଲା । ଲକଡାଉନ୍ ପରେ ଅକ୍ଟୋବର ମାସରେ ମୁଖ୍ୟମନ୍ତ୍ରୀ ପୁରୀ ଯାଇ ଶ୍ରୀମନ୍ଦିର ଚତୁଃପାଶ୍ୱର୍ ବୁଲି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହାପରେ ଭୁବନେଶ୍ୱର ଏକାମ୍ରକ୍ଷେତ୍ର ଓ ବରମୁଣ୍ଡା ବସଷ୍ଟାଣ୍ଡ କାର୍ଯ୍ୟ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ ।