ଭୁବନେଶ୍ୱର: ସମ କୋଭିଡ ହସ୍ପିଟାଲ ର ଚିକିତ୍ସା ତଥା ଡାକ୍ତରଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ମହାମାରୀକୁ ପ୍ରତିହତ କରିବା ନିମନ୍ତେ ଏହି ହସ୍ପିଟାଲର ଦାୟିତ୍ବରେ ଥିବା ଡାକ୍ତରମାନେ ଯେଉଁଭଳି ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ ସଂପାଦନ କରୁଛନ୍ତି ଏଥିରେ ସେ ଖୁବ ପ୍ରଭାବିତ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଶେଷ କରି ହସ୍ପିଟାଲ୍ ରେ ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଡାକ୍ତର ପ୍ରଦୀପ୍ତ ପାତ୍ର( ରିଉମାଟଲୋଜିଷ୍ଟ ) ଓ ଡାକ୍ତର ଈଶ୍ବର ବେହେରା ( କ୍ରିଟିକାଲ କେୟାର) ଙ୍କ କର୍ତ୍ତବ୍ୟ ସଂପାଦନାକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।
ଆଜି ଉଭୟ ଡାକ୍ତରଙ୍କୁ ଟେଲିଫୋନ କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ କରୋନା ପରିଚାଳନା ନିୟମକୁ ଶୃଙ୍ଖଳିତ ଢଙ୍ଗରେ ବିନିଯୋଗ କରି ରୋଗୀଙ୍କ ସେବା କରୁଥିବାରୁ ସମ କୋଭିଡ ହସ୍ପିଟାଲ ଓ ଏହାର ଡାକ୍ତର ମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ବିଶେଷ କରି ଧର୍ଯ୍ୟର ସହ କରୋନା ସଂକ୍ରମିତଙ୍କର ଉତ୍ତମ ସେବା, ଯତ୍ନ ଓ ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ଯୋଗୁଁ ରୋଗୀମାନେ ଉପକୃତ ହେଉଥିବା ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମ ହସ୍ପିଟାଲ ର ସମସ୍ତ ଡାକ୍ତର, ନର୍ସ ଓ କର୍ମଚାରୀମାନଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି |
ଫାଇଭ୍ ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ ମଧ୍ୟ ସମ୍ର ଏହି ଦୁଇ ଦକ୍ଷ ଡାକ୍ତରଙ୍କ ସହିତ ଫୋନ ଯୋଗେ ଆଲୋଚନା କରିଛନ୍ତି ।
ରାଜ୍ୟ ସରକାରଙ୍କ କରୋନା ପରିଚାଳନାକୁ ଡାକ୍ତର ପାତ୍ର ଏବଂ ଡାକ୍ତର ବେହେରା ମଧ୍ୟ ପ୍ରଶଂସା କରିଛନ୍ତି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ସରକାର ଦକ୍ଷତା ସହିତ କରୋନାର ଆଗୁଆ ପରିଚାଳନା କରୁଥିବାରୁ ଏହା ଦ୍ବାରା ହଜାର ହଜାର ରୋଗୀ ଉପକୃତ ହୋଇପାରୁଥିବା ସେମାନେ କହିଛନ୍ତି ।