ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅଚାନକ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ନିର୍ମାଣାଧୀନ ହେରିଟେଜ୍ କରିଡରର ଅନୁଧ୍ୟାନ କରିଥିଲେ । ଏଥିସହ ‘ଅବଢ଼ା’ ଯୋଜନାର ସମୀକ୍ଷା କରିଥିଲେ । ମନ୍ଦିର ପରିକ୍ରମା ବେଳେ ମୁଖ୍ୟମନ୍ତ୍ରୀ ଭକ୍ତଙ୍କ ଦର୍ଶନକୁ ସୁବ୍ୟବସ୍ଥିତ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଆସନ୍ତା ଜାନୁଆରୀ ୧ ତାରିଖ ସୁଦ୍ଧା ଜମି ଅଧିଗ୍ରହଣ ପ୍ରକ୍ରିୟା ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଚାନକ ପୁରୀଗସ୍ତ ଏବଂ କୋଭିଡ କଟକଣା ପାଳି ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଚାଲି ଚାଲି ବୁଲିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।
ଅପରାହ୍ନ ୫ଟା ରେ ମୁଖ୍ୟମନ୍ତ୍ରୀ ସିଧା ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିଥିଲେ । କୋଭିଡ କଟକଣା ଯୋଗୁଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ଥିବାରୁ ମୁଖ୍ୟମନ୍ତ୍ରୀ ସିଂହଦ୍ୱାରରୁ ଆଗ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ । ଏହାପରେ ମନ୍ଦିର ଚାରିପଟେ ୭୫ ମିଟର ସୁରକ୍ଷା ଜୋନ୍ ବୁଲି ଦେଖିଥିଲେ । ସାଙ୍ଗରେ ଥିଲେ ବ୍ୟକ୍ତିଗତ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍, ଉନ୍ନୟନ ସଚିବ ସୁରେଶ ମହାପାତ୍ର, ପୂର୍ତ୍ତ ସଚିବ ତଥା ଶ୍ରୀମନ୍ଦିର ପ୍ରଶାସକ ଡ. କ୍ରିଷନ୍ କୁମାର, ପୁରୀ ଜିଲ୍ଲାପାଳ ଏବଂ ଏସପି । ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିରର ଦକ୍ଷିଣ, ପଶ୍ଚିମ ଓ ଉତ୍ତର ପାଶ୍ୱର୍ରେ ଅଟକି ଯୋଜନା ସମ୍ପର୍କରେ ପଚାରି ବୁଝିଥିଲେ ଏବଂ ଆଉ କ’ଣ ଭଲ ହୋଇପାରିବ ତାହା ଉପରେ କହିଥିଲେ ।
ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଭକ୍ତମାନେ ଯେଭଳି ଆରାମ୍ ରେ ଲାଇନ୍ ରେ ଛିଡ଼ା ହୋଇପାରିବେ ଏବଂ ସିଂହଦ୍ୱାର ବାଟେ ବିନା ସମସ୍ୟାରେ ଯାଇପାରିବେ ତାହା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ସମୀକ୍ଷା ବେଳେ ନିର୍ଦ୍ଦେଶ ଦେଇଥିଲେ । ବିନା ବାଧାରେ ଦର୍ଶନ ଏବଂ ଭକ୍ତଙ୍କ ସୁରକ୍ଷା ନିମନ୍ତେ ଟେକନୋଲୋଜି ବ୍ୟବହାର ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଏଥିସହ ଶାରୀରିକ ଅକ୍ଷମ ବ୍ୟକ୍ତିମାନେ ନିଜେ ମନ୍ଦିର ପରିକ୍ରମାର ବ୍ୟବସ୍ଥା, ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ପର୍ଯ୍ୟାପ୍ତ ଇଲେକ୍ଟ୍ରିକ୍ ଗାଡିର ବ୍ୟବସ୍ଥା ପାଇଁ ପରାମର୍ଶ ଦେଇଥିଲେ ।
ମେଘନାଦ ପାଚେରୀର ଦକ୍ଷିଣ ପଟରେ ଗଛ ଲଗାଇ ଭକ୍ତଙ୍କୁ ଛାଇର ସୁବିଧା ଦେବା, ପଶ୍ଚିମ ପଟରେ କୌଣସି ବିଦ୍ୟୁତ ସବଷ୍ଟେସନ୍ କିମ୍ବା ମାଷ୍ଟର ପ୍ଲାନ୍ କଣ୍ଟ୍ରୋଲ୍ ରୁମ୍ ନ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ସେଠାରେ ଥିବା ସେସୁ କଣ୍ଟ୍ରୋଲ୍ ରୁମ୍ କୁ ସ୍ଥାନାନ୍ତର କରାଯିବ । ମନ୍ଦିର ପରିକ୍ରମା ବେଳେ ଭକ୍ତମାନେ ମେଘନାଦ ପାଚେରୀ ଦେଖିବାରୁ ଯେଭଳି ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ ।
ଉତ୍ତର ପଟ ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀ ମହାପ୍ରସାଦ ବଣ୍ଟନର ପର୍ଯ୍ୟପ୍ତ ସୁବିଧା କରିବାକୁ ପରାମର୍ଶ ଦେଇଥିଲେ । ଗୋଟିଏ ଥରରେ ବହୁତ ଭକ୍ତଙ୍କ ପାଇଁ ମହାପ୍ରସାଦ ସେବନ ବ୍ୟବସ୍ଥା କରିବାକୁ କହିଥିଲେ ।
ସୂଚନାଥାଉକି, ଗତବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଐତିହ୍ୟ କରିଡର ଯୋଜନା ଘୋଷଣା କରିଥିଲେ । ଜାନୁଆରୀ ୧୦ ତାରିଖରେ ନିଜେ ପୁରୀ ଆସି ଅନୁଧ୍ୟାନ କରି ଫେରିଥିଲେ । ୫-ଟି ସଚିବ ଭି.କେ. ପାଣ୍ଡିଆନ୍ ଏହାର ଦାୟିତ୍ୱ ନିଜ ମୁଣ୍ଡକୁ ନେଇ କାମ ଆଗେଇ ନେଇଥିଲେ । ମାତ୍ର କରୋନା ଲକ ଡାଉନ୍ ଯୋଗୁଁ କାମ ବାଧାପ୍ରାପ୍ତ ହୋଇଥିଲା । ଲକ୍ ଡାଉନ୍ ପରେ ଏହାକୁ ତ୍ୱରାନ୍ୱିତ କରାଯାଇଛି ।
ବର୍ତ୍ତମାନ ସୁଦ୍ଧା ଦୁଇଟି ପ୍ରକଳ୍ପ କାର୍ଯ୍ୟ ସରିଛି ଏବଂ ୩ ମାସ ମଧ୍ୟରେ ଅନ୍ୟ ୫ଟି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ ବୋଲି ପୂର୍ତ୍ତ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର ଗଣମାଧ୍ୟମକୁ କହିଛନ୍ତି । ସମସ୍ତଙ୍କ ସହଯୋଗରେ କାମ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିବା ସେ କହିଛନ୍ତି ।