ଭୁୁବନେଶ୍ୱର: ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡ଼ିଥିବା ରାଜ୍ୟର ସବୁଠାରୁ ବ୍ୟସ୍ତବହୁଳ ବରମୁଣ୍ଡା ବସଷ୍ଟାଣ୍ଡର ନବୀକରଣ ପାଇଁ ସରକାର ଏବେ ତତ୍ପର ହୋଇଛନ୍ତି । ବିଶ୍ୱସ୍ତରୀୟ ମାନ ସହ ଏହାକୁ ଅତ୍ୟାଧୁନିକ କରାଯିବ । ଏଥିପାଇଁ ୧୮୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଦୁଇଟି ଭାଗରେ ଛିଡ଼ା ହେବ ପ୍ରକଳ୍ପ । ଗୋଟିଏ ଖଣ୍ଡଗିରି ବସ୍ ଡିପୋ ଏବଂ ଅନ୍ୟଟି ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲ୍ । ଇତିମଧ୍ୟରେ ଖଣ୍ଡଗିରି ବସ୍ ଡିପୋ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ୍ ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି ।
ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମ ଅଧିନରେ ଏହି ଆନ୍ତଃରାଜ୍ୟ ବସ୍ ଟର୍ମିନାଲ୍ ର ରୂପାନ୍ତରୀଣ କାର୍ଯ୍ୟ ହାତକୁ ନିଆଯାଇଛି । ଅତ୍ୟାଧୁନିକ ଡିଜାଇନ୍ ସହିତ ଯାତ୍ରୀମାନଙ୍କର ସୁବିଧା ସୁଯୋଗ, ବସ୍ ମାନଙ୍କର ପ୍ରଶସ୍ଥ ପ୍ରବେଶ ଓ ପ୍ରସ୍ଥାନ ତଥା ବାଣିଜ୍ୟିକ ସ୍ଥାନ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି । ଏହି ବସ୍ ଟର୍ମିନାଲ୍ ଭୁବନେଶ୍ୱରର ନୂଆ ଲ୍ୟାଣ୍ଡମାର୍କ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ବରମୁଣ୍ଡା ଯାଇ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ୍ ର ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ । ମୁଖ୍ୟମନ୍ତ୍ରୀ ଖଣ୍ଡଗିରି ବସ୍ ଡିପୋ ମଧ୍ୟ ବୁଲି ଦେଖିଥିଲେ । ସେଠାରେ ଉନ୍ନତ ନିର୍ମାଣ କାର୍ଯ୍ୟ ସହ ବସ୍ ରହିବାର ସୁବ୍ୟବସ୍ଥା ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲ୍ କୁ ପୂର୍ବ ଭାରତର ପ୍ରମୁଖ ବସ୍ ଟର୍ମିନାଲ୍ ଭାବରେ ଗଢ଼ି ତୋଳିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ୧୮ ମାସ ମଧ୍ୟରେ କାର୍ଯ୍ୟ ଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କର ଏହି ପରିଦର୍ଶନ ସମୟରେ ଭୁବନେଶ୍ୱରର ୩ ବିଧାୟକ ମନ୍ତ୍ରୀ ଅଶୋକ ପଣ୍ଡା, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍, ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ, ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।