ଭୁୁବନେଶ୍ୱର: ୨୫ ବର୍ଷୀୟ ଆକାଶ ପାଠକ ସୁଦୁ ଜାଲିଆ ଥିଲା । ଷ୍ଟାଟସ୍ ଦେଖାଇବାକୁ ମିଛୁଟାରେ ଟାଟା ମୋଟର୍ସର ଏମଡି ପରିଚୟ ତିଆରି କରିଥିଲା । ଚାକିରି ଦେବାର ଲୋଭ ଦେଖାଇ ଲୋକଙ୍କଠାରୁ ମୋଟା ଅଙ୍କ ଆଦାୟ କରୁଥିଲା । ଜେଲ୍ ରୁ ରିମାଣ୍ଡରେ ଆସିଥିବା ଆକାଶ ଆଜି ଭିଜିଲାନସ୍ ଏସଆଇଟି ଆଗରେ ଏହା ସଫା ସଫା ମାନିଯାଇଛି । ଏସଆଇଟି ମାରାଥନ୍ ଜେରାରେ ସତକୁ ଫାଙ୍କି ପାରି ନାହାନ୍ତି ଜୁନିୟର୍ ପାଠକ । ବାପା ଅଭୟକାନ୍ତଙ୍କୁ ମଧ୍ୟ ଦିନତମାମ ଜେରା କରି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି ଏସଆଇଟି ।
ସେପଟେ ଆକାଶଙ୍କ ଆକାଉଣ୍ଟରେ ଆଉ ଦେଢ଼କୋଟି ଟଙ୍କା ସନ୍ଧାନ ପାଇଛି ଭିଜିଲାନସ୍ । ଭୁବନେଶ୍ୱର ଓ ପୁନେରେ ଥିବା ଦୁଇଟି ବ୍ୟାଙ୍କ ଆକାଉଣ୍ଟରେ ଆକାଶଙ୍କର ୧.୪୭ କୋଟି ଜମା ଅଛି । ଏହାକୁ ମିଶାଇ ଆକାଶଙ୍କର ତିନୋଟି ଆକାଉଣ୍ଟ୍ ରୁ ଏ ପର୍ଯ୍ୟନ୍ତ ୧୭ କୋଟି ୫୨ ଲକ୍ଷ ଟଙ୍କା ଠାବ ହେଲାଣି । ବାପ-ପୁଅଙ୍କ ହସ୍ତାକ୍ଷର ସଂଗ୍ରହ କରାଯାଇ ପରୀକ୍ଷା କରାଯାଉଛି ଏବଂ ସିସିଟିଭି ଫୁଟେଜ୍ ସହ ଜବତ କାଗଜପତ୍ରର ଯାଞ୍ଚ କରାଯାଉଥିବା ଭିଜିଲାନସ୍ ପକ୍ଷରୁ ସୂଚନା ଦିଆଯାଇଛି ।
ଏଥିରୁ ସ୍ପଷ୍ଟ ଯେ କଳାଟଙ୍କାରେ ସାମ୍ରାଜ୍ୟ ଗଢ଼ିଥିବା ଆଇଏଫଏସ୍ ଅଫିସର ବାପାଙ୍କ କୋଟି କୋଟି ଟଙ୍କା ଆକାଶଙ୍କୁ ସନ୍ତୁଷ୍ଟ କରି ନଥିଲା । ସରକାରୀ ଟଙ୍କାକୁ ଲୁଟ୍ କରିବାର କୌଶଳ ସମ୍ଭବତଃ ବାପାଙ୍କଠାରୁ ସହଜରେ ଆହରଣ କରି ନିଜେ ବାଦଶାହା ବନିବାକୁ ମନ କରିଥିଲେ । ଯେଉଁଥିପାଇଁ ଟାଟା ମୋଟର୍ସ ଭଳି ଦେଶର ଏକ ନମ୍ବର କମ୍ପାନୀ ନାଁ ନେଇ ଜାଲିଆତିର ଜାଲ ବିଛାଇଥିଲେ । ଟାଟା ମୋଟର୍ସର ଏମଡି ବୋଲାଇ ନକଲି ନିଯୁକ୍ତିପତ୍ର ଦେଇଥିଲେ ଏବଂ ସେ ବାବଦରେ କୋଟି କୋଟି ଟଙ୍କା ଆଦାୟ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।
ସେପଟେ ଆକାଶଙ୍କ ଜାଲିଆତି ଓ ଠକେଇ କାର୍ଯ୍ୟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ସଂପୃକ୍ତିର ପ୍ରମାଣ ବି ମିଳିସାରିଛି । ତଥ୍ୟ ପ୍ରମାଣ ପାଇଲା ପରେ କ୍ରାଇମବ୍ରାଞ୍ଚ ସିଡି ଗତକାଲି ତାଙ୍କୁ ଘରୁ ଉଠାଇ ନେଇ ଗିରଫ କରିଥିଲା । ଆକାଶଙ୍କୁ ଜ୍ୱାଇଁ କରିବାକୁ ଯାଉଥିବା ବିଧାୟକ ନିଜ ନିର୍ବାଚନମଣ୍ଡଳୀର ଲୋକମାନଙ୍କୁ ଟାଟାରେ ଚାକିରି ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିଲେ । ଆକାଶଙ୍କ ଜାଲିଆତି ଓ ଠକେଇ କାର୍ଯ୍ୟରେ ଭାବୀ ଶ୍ୱଶୁର ପ୍ରଦୀପ ପାଣିଗ୍ରାହୀ ଭରପୁର ସହଯୋଗ କରିଥିବାରୁ ତାଙ୍କ ବିରୋଧରେ ସଙ୍ଗୀନ ମାମଲା ରୁଜୁ ହୋଇଛି ।
ସୂଚନାଯୋଗ୍ୟ, ବିଜେଡ଼ିର ବହିଷ୍କୃତ ହେବା ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ବାପ-ପୁଅଙ୍କୁ ପ୍ରଶଂସା କରି କ୍ଲିନ ଚିଟ୍ ଦେଇଥିଲେ । ଅଭୟଙ୍କୁ ରାଜ୍ୟର ବେଷ୍ଟ ଅଫିସର କହିଥିଲା ବେଳେ ଆକାଶ ଜି-ମ୍ୟାଟ୍ ଟପ୍ପର୍ ଦର୍ଶାଇ ବେଷ୍ଟ ଷ୍ଟୁଡେଣ୍ଟ ବୋଲି କହିଥିଲେ । ପ୍ରଦୀପ ଜୋର୍ ଦେଇ କହିଥିଲେ ଆକାଶ ଟାଟା ମୋଟର୍ସର ଏମଡି । ଉଚ୍ଚ ଦରମା ପାଉଛନ୍ତି । ତାଙ୍କ ଆକାଉଣ୍ଟରେ ୮ କୋଟି ଟଙ୍କା ଥିବା ସମ୍ପୂର୍ଣ୍ଣ ମିଛ । ବାପ-ପୁଅଙ୍କ ବିରୋଧରେ ଭିଜିଲାନସ୍ ଦେଉଥିବା ତଥ୍ୟ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ପ୍ରଦୀପ ଚାଲେଂଜ କରିଥିଲେ । ଏହା ପ୍ରମାଣିତ ହେଲେ ବିଧାୟକ ପଦରୁ ଇସ୍ତଫା ଦେବେ ଏବଂ ରାଜ୍ୟ ଛାଡ଼ି ଚାଲିଯିବେ ବୋଲି ମଧ୍ୟ ଦମ୍ଭ ଦେଖାଇଥିଲେ ।
ତେବେ ଭାବୀ ସମୁଦୀ ଓ ଜ୍ୱାଇଁଙ୍କୁ ସୁରକ୍ଷା ଦେବାକୁ ଅଣ୍ଟା ଭିଡ଼ିଥିବା ବିଧାୟକ ନିଜେ ଯେ ସେଇ ବେଆଇନ କାରବାରରେ ସଂପୃକ୍ତ ତାହା ସମସ୍ତଙ୍କୁ ବିସ୍ମିତ କରିଛି । ଲକଡାଉନ୍ ବେଳେ ୪ ମାସରେ ତାଙ୍କ ଆକାଉଣ୍ଟକୁ ଅଢ଼େଇ କୋଟି ଟଙ୍କା ଆସିବା ଏବଂ ଦାତାଙ୍କ ମଧ୍ୟରେ ମଦ, ବାଲି, ମୋରମ୍ ମାଫିଆ ଥିବାରୁ ପ୍ରଦୀପଙ୍କ ପାଇଁ ଅଡୁଆ ବଢ଼ିଯାଇଛି । ଜେଲ୍ ଯାଇଥିବା ପ୍ରଦୀପ ପାଣିଗ୍ରାହୀ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସ୍କାନରକୁ ଆସିଛନ୍ତି । ଏଥିସହ ଆୟକର ବିଭାଗ ଏହାର ଖୋଳତାଡ଼ କରିବାକୁ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡ଼ିଛି ।