ଭୁବନେଶ୍ୱର: ଉପନିର୍ବାଚନ ପାଇଁ କଂଗ୍ରେସ ଶେଷରେ ପ୍ରାର୍ଥୀ ଘୋଷଣା କରିଛି । ବାଲେଶ୍ୱର ସଦର ଆସନରୁ ଶ୍ରୀମତୀ ମମତା କୁଣ୍ଡୁ ପ୍ରାର୍ଥୀ ହୋଇଥିବା ବେଳେ ତିର୍ତ୍ତୋଲ ଆସନରୁ ଇଂ ହିମାଂଶୁ ଭୂଷଣ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି । ପିସିସି ପକ୍ଷରୁ ପଠାଯାଇଥିବା ଏହି ଦୁଇ ନାଁକୁ ସୋନିଆ ଗାନ୍ଧୀ ଅନୁମୋଦନ କରିବା ପରେ ଏହା ଘୋଷଣା କରାଯାଇଛି ।
ପ୍ରବୀଣ ରାଜନେତା ସ୍ୱର୍ଗତ ସମରେନ୍ଦ୍ର କୁଣ୍ଡୁଙ୍କ ବୋହୁ ହେଉଛନ୍ତି ଶ୍ରୀମତୀ ମମତା କୁଣ୍ଡୁ । ଦଳର ନୂଆ ମୁହଁ ଭାବେ କଂଗ୍ରେସ ତାଙ୍କୁ ନିର୍ବାଚନ ରଣାଙ୍ଗନକୁ ଛାଡ଼ିଛି । ଏହି ଆସନରୁ ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ମାତ୍ର ସେ ଏହାକୁ ଖଣ୍ଡନ କରିଥିଲେ । ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ମାନସ ରଞ୍ଜନ ଦାସ ପଟ୍ଟନାୟକ ଏଥର ପ୍ରାର୍ଥୀ ହେବାକୁ ଆଶାୟୀ ଥିଲେ ।
ତିର୍ତ୍ତୋଲରେ ପ୍ରାର୍ଥୀ ହୋଇଥିବା ହିମାଂଶୁ ଭୂଷଣ ମଲ୍ଲିକ ଜଣେ ଯୁବ ଇଂଜିନିୟର ଏବଂ ରାଜନୀତିରେ ସମ୍ପୂର୍ଣ୍ଣ ନବାଗତ । ଗତ ସାଧାରଣ ନିର୍ବାଚନରେ ଏଠାରୁ ଦେବୀ ପ୍ରସାଦ ମଲ୍ଲିକ ପ୍ରାର୍ଥୀ ଥିଲେ । ତା ପୂର୍ବରୁ ରାଜକିଶୋର ବେହେରା ପ୍ରାର୍ଥୀ ଥିଲେ । କଂଗ୍ରେସ ସଂଗଠନରେ ଦବଦବା ରଖିଥିବା ରାଜକିଶୋର ଉପନିର୍ବାଚନରେ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା ବେଳେ ସେ ବିଜେପିକୁ ଚାଲିଯାଇ ସେଠାରୁ ପ୍ରାର୍ଥୀ ହୋଇଛନ୍ତି । ହିମାଂଶୁଙ୍କ ଭଳି ଜଣେ ଯୁବ ଇଂଜିନିୟରଙ୍କୁ କଂଗ୍ରେସ ମଇଦାନକୁ ଆଣି ବିଜେଡ଼ି ଓ ବିଜେପି ବିରୋଧରେ ଟକ୍କର ଦେବାକୁ ଆଶା ରଖିଛି ।
ସୂଚନାଥାଉକି, ଗତକାଲି ପ୍ରଥମେ ବିଜେପି ତା’ର ପ୍ରାର୍ଥୀ ଘୋଷଣା କରିଥିଲା । ବାଲେଶ୍ୱର ସଦରରୁ ସ୍ୱର୍ଗତ ବିଧାୟକ ମଦନମୋହନ ଦତ୍ତଙ୍କ ପୁତ୍ର ମାନସ ଦତ୍ତ ଏବଂ ତିର୍ତ୍ତୋଲରୁ ରାଜକିଶୋର ବେହେରାଙ୍କୁ ପ୍ରାର୍ଥୀ କରିଛି । ସେହିଭଳି ବିଜେଡ଼ି ଆଜି ଦିନବେଳେ ପ୍ରାର୍ଥୀ ଘୋଷଣା କରିଥିଲା । ବାଲେଶ୍ୱର ସଦରରୁ ସ୍ୱରୂପ କୁମାର ଦାସ ଏବଂ ତିର୍ତ୍ତୋଲରୁ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରିଛି ।
ତେବେ ବାଲେଶ୍ୱରରେ ସ୍ୱରୂପ ଦାସଙ୍କ ପ୍ରାର୍ଥୀତ୍ୱକୁ ନେଇ ବିଜେଡ଼ିରେ ବିଦ୍ରୋହ ସୃଷ୍ଟି ହୋଇଛି । ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ସମର୍ଥକମାନେ ସ୍ୱରୂପଙ୍କ ପ୍ରାର୍ଥୀତ୍ୱକୁ ଗ୍ରହଣ କରିନାହାନ୍ତି । ଶ୍ରୀ ଜେନାଙ୍କ ବାସଭବନ ଆଗରେ ସମର୍ଥକମାନେ ଧାରଣା ଦେଇ ଦଳରୁ ଇସ୍ତଫା ଧମକ ଦେଇଛନ୍ତି । ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁବାସିନୀ ଜେନା ପ୍ରାର୍ଥୀ ହୁଅନ୍ତୁ ବୋଲି ସେମାନେ ଦାବି କରୁଛନ୍ତି ।
ଶ୍ରୀ ଜେନା ତାଙ୍କ ପ୍ରତିକ୍ରିୟାରେ ଦଳର ସଭାପତିଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇବା ସହ ସମର୍ଥକମାନଙ୍କ ଭାବାବେଗକୁ ମଧ୍ୟ ଅଣଦେଖା କରିନାହାନ୍ତି । ଆସନ୍ତାକାଲି ସେ ନିଜର ଆଭିମୁଖ୍ୟ ଜଣାଇବେ ବୋଲି କହିଛନ୍ତି ।