ଭୁବନେଶ୍ୱର: ଗତ ସାଧାରଣ ନିର୍ବାଚନରେ ପିପିଲିରେ ଶୋଚନୀୟ ପରାଜୟ ବରଣ କରିଥିବା ଅଜିତ୍ ମଙ୍ଗରାଜଙ୍କୁ ଉପନିର୍ବାଚନ ପ୍ରାର୍ଥୀ କରିଛି କଂଗ୍ରେସ । ଆଜି ରାତିରେ ହାଇକମାଣ୍ଡ ତାଙ୍କ ନାଁ ଘୋଷଣା କରିଛନ୍ତି । ପିପିଲିର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଏବଂ ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ରଙ୍କ ନାଁ ଚର୍ଚ୍ଚାର ଆଗରେ ଥିଲେ ମଧ୍ୟ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି ।
୨୦୧୯ ସାଧାରଣ ନିର୍ବାଚନରେ ତୃତୀୟ ସ୍ଥାନରେ ଥିବା କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କୁ ମିଳିଥିଲା ମାତ୍ର ୯, ୮୩୦ ଭୋଟ । ତାଙ୍କର ଭୋଟ ହାର ଥିଲା ୫.୬୩ ପ୍ରତିଶତ । ବିଜେଡ଼ିର ପ୍ରଦୀପ ମହାରଥୀଙ୍କୁ ୮୮,୫୧୮ ଭୋଟ ଏବଂ ବିଜେପିର ଆଶ୍ରିତ ପଟ୍ଟନାୟକଙ୍କୁ ମିଳିଥିଲା ୭୨,୭୩୧ ଭୋଟ ।
ଏପ୍ରିଲ୍ ୧୭ ତାରିଖରେ ହେବାକୁ ଥିବା ଉପନିର୍ବାଚନ ପାଇଁ ବିଜେଡ଼ି ପକ୍ଷରୁ ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ପ୍ରାର୍ଥୀ ହୋଇଥିଲା ବେଳେ ବିଜେପି ଆଶ୍ରିତ ପଟ୍ଟନାୟକଙ୍କୁ ପୁଣି ପ୍ରାର୍ଥୀ କରିଛି ।
ଅଜିତ୍ ମଙ୍ଗରାଜ ପୁଣି ଥରେ ପ୍ରାର୍ଥୀ ଘୋଷିତ ହେବା ପରେ ବିରୋଧୀ ଗୋଷ୍ଠୀ ମଧ୍ୟରେ ଭୀଷଣ ପ୍ରତିକ୍ରିୟା ପ୍ରକାଶ ପାଇଛି । ଉପନିର୍ବାଚନରେ ଦଳ ଆଗୁଆ ହାତ ଟେକିଦେଲା କି ବୋଲି ଅନେକ ପ୍ରଶ୍ନ କରିଛନ୍ତି ।