ଭୁବନେଶ୍ୱର: ପିପିଲିରେ ଉପନିର୍ବାଚନ ହେବ ବୋଲି ୨୦୨୦ ଅକ୍ଟୋବର ୪ ତାରିଖରୁ ସ୍ପଷ୍ଟ ଥିଲା । ମାର୍ଚ୍ଚ ୧୬ ରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଉପନିର୍ବାଚନର ତାରିଖ ଘୋଷଣା ହେଲା । ମାର୍ଚ୍ଚ ୨୩ ତାରିଖରେ ଏହାର ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନପତ୍ର ଦାଖଲ ଆରମ୍ଭ ହେଲା । ମାର୍ଚ୍ଚ ୩୦ ନାମାଙ୍କନପତ୍ର ଦାଖଲର ଶେଷ ଦିନ । ବିଜେପି ଓ ବିଜେଡ଼ି ଇତିମଧ୍ୟରେ ପ୍ରାର୍ଥୀ ଘୋଷଣା କରି ସାରିଥିଲେ ମଧ୍ୟ କଂଗ୍ରେସର ପ୍ରାର୍ଥୀ ସ୍ଥିର ହୋଇପାରିନାହିଁ । ଦିଲ୍ଲୀରୁ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି ।
ପିପିଲିରେ ପ୍ରାର୍ଥୀ ଚୟନ ପାଇଁ ଚିରଞ୍ଜିବୀ ବିଶ୍ୱାଳଙ୍କ ନେତୃତ୍ୱରେ ୫ ଜଣିଆ କମିଟି ଗଠନ କରାଯାଇଥିଲା । ଗତଥରର ପରାଜିତ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ, ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର ଏବଂ ପିପିଲି ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ନାଁ କମିଟି ସୁପାରିଶ କଲା ପିସିସିକୁ । ଚୂଡ଼ାନ୍ତ ନାଁ ଅନୁମୋଦନ ପାଇଁ ପିସିସି ତାହାକୁ ଦିଲ୍ଲୀ ପଠାଇଲା । ତେବେ ନାଁ ଘୋଷଣା ପୂର୍ବରୁ ସେଥିରେ କେଁ ବାହାରିଛି । ଶେଷ ମୁହୁର୍ତ୍ତରେ ଆଉ ଦୁଇଜଣ ଆଶାୟୀ ଯୋଡି ହୋଇଛନ୍ତି । ସାଙ୍ଗକୁ ଭିନ୍ନ ରାଜନୈତିକ ଅଙ୍କକଷା ଅଛି । ସେଥିପାଇଁ ପ୍ରକ୍ରିୟା ବିଳମ୍ବିତ ହୋଇଛି ବୋଲି ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ।
ବିଜେପୁର, ପାଟକୁରା, ବାଲେଶ୍ୱର ଓ ତିର୍ତ୍ତୋଲ ଭଳି ପିପିଲି ଉପନିର୍ବାଚନକୁ ମଧ୍ୟ ଦଳ ଗମ୍ଭୀରତାର ସହ ନେଇନାହିଁ ବୋଲି ଏହା ସ୍ପଷ୍ଟ କରୁଛି । ସୁର ରାଉତରାୟଙ୍କ ଭଳି ଦଳର ହାତଗଣତି ନେତା ଟିଭିରେ ପବନ କରୁଥିଲେ ମଧ୍ୟ ବାସ୍ତବରେ ନିର୍ବାଚନ ଲଢ଼ିବା ପାଇଁ ନେତୃତ୍ୱର ହୋସ୍ ନାହିଁ କି ଜୋସ୍ ନାହିଁ । ନହେଲେ, ବିଜେଡ଼ି ଓ ବିଜେପି ନେତାମାନେ ପିପିଲି ନିର୍ବାଚନମଣ୍ଡଳୀରେ କ୍ୟାମ୍ପ ବିଛାଇ ଘନ ଘନ ବୈଠକ କଲାବେଳକୁ କଂଗ୍ରେସ ନେତାମାନେ ହାଇକମାଣ୍ଡଙ୍କ ଫାକ୍ସକୁ ଅନାଇ ବସି ନ ଥାଆନ୍ତେ ।
ଖାଲି ଟିକେଟ୍ ଚୟନରେ ବିଳମ୍ବ ନୁହେଁ, ଉପନିର୍ବାଚନକୁ ମାତ୍ର ୨୦ ଦିନ ବାକି ଥିଲେ ମଧ୍ୟ ପିପିଲିରେ କର୍ମୀଙ୍କୁ ଏକଜୁଟ୍ କରିବା କାମ ଆରମ୍ଭ କରିନି ଦଳ । ଗୋଷ୍ଠୀ କନ୍ଦଳରେ ବୁଡ଼ିଥିବା ପିସିସି ନେତୃତ୍ୱ ସେଥିପାଇଁ ଚିନ୍ତା କରିଥିବା ଜଣାପଡୁନାହିଁ । ଏପଟେ ଆଶାୟୀମାନେ ଟିକେଟ ସୁନିଶ୍ଚିତ ନ ଥିବାରୁ ଅଯଥା ଖର୍ଚ୍ଚକୁ ଡରି ଗୋଡ କାଢ଼ୁନାହାନ୍ତି । ଅବଶ୍ୟ ଗୋଡ଼ ଟଣାଟଣିରୁ ସେମାନେ ହଟିନାହାନ୍ତି । କେହି କେହି ପିସିସି ସଭାପତିଙ୍କୁ ଆଗୁଆ ଟାର୍ଗେଟ୍ କରି ଟିଭିରେ ବାଇଟ୍ ଦେଲେଣି ।
ଏଭଳି ଭାବେ ପିପିଲିରେ କଂଗ୍ରେସର ସ୍ଥିତି ବଡ଼ ଦହନୀୟ ଅବସ୍ଥାକୁ ଚାଲିଆସିଛି । ଯୁଧିଷ୍ଠିର ସାମନ୍ତରାୟ କଂଗ୍ରେସରୁ ମୁହଁ ଫେରାଇବା ଦିନଠୁଁ ଏଭଳି ଅବସ୍ଥା ଦେଖିବାକୁ ମିଳୁଛି । ଗତ ସାଧାରଣ ନିର୍ବାଚନରେ ଦଳର ପ୍ରାର୍ଥୀ ଅଜିତ୍ ମଙ୍ଗରାଜ ଅମାନତ ବି ରଖି ପାରିନଥିଲେ । ତାଙ୍କୁ ମିଳିଥିଲା ମାତ୍ର ୯,୮୩୦ ଖଣ୍ଡ ଭୋଟ ।
ତେବେ ସଂଗଠନର ଟ୍ରାକ୍ ଫେରାଇ ଆଣିବା ପାଇଁ ରାଜ୍ୟ ନେତୃତ୍ୱ କିମ୍ବା ସ୍ଥାନୀୟ ନେତୃତ୍ୱ କୌଣସି ଉଦ୍ୟମ କରୁ ନ ଥିବାରୁ କର୍ମୀମାନଙ୍କ ମନୋବଳ ଭାଙ୍ଗିଯାଇଛି । ଉପନିର୍ବାଚନ ସୁନିଶ୍ଚିତ ବୋଲି ୬ ମାସ ଆଗରୁ ଜଣାଥିଲେ ବି ଆଗୁଆ ଉଦ୍ୟମ ହୋଇ ନ ଥିବାରୁ କର୍ମୀମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି । କାହାକୁ ଆଗରେ ରଖି ଉପନିର୍ବାଚନ ଲଢ଼ାଯିବ କାହିଁକି ସ୍ଥିର ହୋଇପାରିଲାନି ବୋଲି ପ୍ରଶ୍ନ କରିଛନ୍ତି ।
ରାଜନୈତିକ ପର୍ଯ୍ୟବେକ୍ଷକଙ୍କ କହିବାନୁଯାୟୀ, ଓଡ଼ିଶାରେ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ପିସିସି ଏବେ କା’ ରେ ଚାଲିଛି । ଦୁର୍ବଳ ସଂଗଠନ ମଜବୁତ୍ କରିବାକୁ ଇଚ୍ଛାଶକ୍ତି ନାହିଁ । ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ଭୋଟ ପୂର୍ବରୁ ଦଳ ହାତ ଟେକିଦେଲା । ବାଲେଶ୍ୱର ଘମାଘୋଟ ଲଢ଼େଇ ବେଳେ କଂଗ୍ରେସ ଯୁଦ୍ଧର ସେନାପତି ସାଜିଥିବା ପିସିସି ସଭାପତିଙ୍କ ପୁଅ ନବଜ୍ୟୋତି ଓରଫ୍ ସୁଲିଆ ପଟ୍ଟନାୟକ ରହସ୍ୟଜନକ ଭାବେ ଅନ୍ତର୍ଦ୍ଧାନ ହୋଇଗଲେ । ଆଗକୁ ପିପିଲିରେ ଶକ୍ତିଶାଳୀ ବିଜେଡ଼ି ଓ ବିଜେପିକୁ ଦଳ ମୁକାବିଲା କରିବ ନା ସରେଣ୍ଡର୍ କରିଯିବ ତାହା ଦେଖିବାକୁ ବାକି ରହିଲା ।