ଭୁୁବନେଶ୍ୱର: ଓଡ଼ିଶାର ଚାପ ଆଗରେ ନଇଁଛନ୍ତି କେନ୍ଦ୍ର ସରକାର । ଶ୍ରୀମନ୍ଦିର ପାଇଁ ଜାତୀୟ ଐତିହ୍ୟ ପ୍ରାଧିକରଣ (ଏନଏମଏ) ର ବିବାଦୀୟ ବାଇ ଲ’ ଶେଷରେ ପ୍ରତ୍ୟାହୃତ ହୋଇଛି । ଆଜି ଶ୍ରୀମନ୍ଦିର ଦର୍ଶନରେ ପୁରୀ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂପୃକ୍ତ ବାଇ ଲ’ ତୁରନ୍ତ ପ୍ରତ୍ୟାହାର ପାଇଁ ତାଗିଦ୍ କଲାବେଳକୁ ଦିଲ୍ଲୀରେ ବିଜେଡ଼ି ଓ ବିଜେପି ସାଂସଦମାନେ ପୃଥକ୍ ଭାବେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହଙ୍କୁ ଭେଟି ଏହି ଦାବି କରିଥିଲେ । ଶ୍ରୀମନ୍ଦିର ପାଇଁ ଏଭଳି ଅଯୌକ୍ତିକ ଅଧିନିୟମକୁ ଖୋଦ୍ କେନ୍ଦ୍ରମନ୍ତ୍ରୀ ନାପସନ୍ଦ କରି ତୁରନ୍ତ ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଶ୍ରୀମନ୍ଦିର ଚାରିପଟେ ୩୦୦ ମିଟର ଅଞ୍ଚଳ ପାଇଁ କଟକଣା ଜାରି ନିମନ୍ତେ ପ୍ରସ୍ତାବିତ ବାଇ ଲ’ ଚିଠା ବିଜ୍ଞପ୍ତିକୁ ରାଜ୍ୟବାସୀ ବିରୋଧ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ଅଚାନକ ପୁରୀ ଗସ୍ତକୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । କୋଭିଡ୍ ମହାମାରୀ ପରେ ମୁଖ୍ୟମନ୍ତ୍ରୀ ଆଜି ପ୍ରଥମ ଥର ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ । ଦର୍ଶନ ସାରି ମୁଖ୍ୟମନ୍ତ୍ରୀ ଫେରିଲା ବେଳେ ଗଣମାଧ୍ୟମକୁ ବିବାଦୀୟ ଏନଏମଏ ବାଇ ଲ’ ଉପରେ ପ୍ରତିକ୍ରିୟା ଦେଇଥିଲେ । ମହାପ୍ରଭୁ ଜଗନ୍ନାଥଙ୍କ କାମକୁ କେହି ଅଟକେଇପାରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ରୋକଠୋକ୍ ଶୁଣାଇବା ସହ କେନ୍ଦ୍ର ସରକାର ତୁରନ୍ତ ବାଇ ଲ’ ପ୍ରତ୍ୟାହାର କରିବା ଉଚିତ୍ ବୋଲି କହିଥିଲେ ।
ପୁରୀରେ ମୁଖ୍ୟମନ୍ତ୍ରୀ ଏହା ଖାଲି କହି ନ ଥିଲେ ବରଂ ଦିଲ୍ଲୀରେ କାମ କରି ଦେଖାଇବା ପାଇଁ ଦଳୀୟ ସାଂସଦମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁଯାୟୀ ଭର୍ତ୍ତୃହରି ମହତାବ ଏବଂ ପିନାକୀ ମିଶ୍ରଙ୍କ ନେତୃତ୍ୱରେ ବିଜେଡ଼ି ସଂସଦୀୟ ଦଳ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲଙ୍କୁ ଭେଟି ଶ୍ରୀମନ୍ଦିର ପାଇଁ ଉଦ୍ଦିଷ୍ଟ ବାଇ ଲ’ ତୁରନ୍ତ ପ୍ରତ୍ୟାହାର କରିବାକୁ ଦୃଢ଼ ଦାବି କରିଥିଲେ । ଅନ୍ୟପକ୍ଷରେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ବିଜେପି ସାଂସଦମାନେ ମଧ୍ୟ ପ୍ରହଲ୍ଲାଦ ସିଂହ ପଟେଲଙ୍କୁ ପୃଥକ୍ ଭେଟି ବାଇ ଲ’ ପ୍ରତ୍ୟାହାର ଦାବି କରିଥିଲେ ।
ଶ୍ରୀମନ୍ଦିର ପାଇଁ କରାଯାଇଥିବା ବାଇ ଲ’ ସମ୍ପର୍କରେ ସାଂସଦମାନଙ୍କଠାରୁ ବିସ୍ତୃତ ଜାଣିବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପଟେଲ ତୁରନ୍ତ ଏହାକୁ ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏ ସମ୍ପର୍କରେ ସେ ଅବଗତ ନ ଥିଲେ ଏବଂ ତାଙ୍କ ଅଜାଣତରେ ବିଜ୍ଞପ୍ତି ହୋଇଥିବା ମାନି ଅଧିକାରୀମାନଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ । ଆଶ୍ଚର୍ଯ୍ୟର କଥା ଯେ କେନ୍ଦ୍ରମନ୍ତ୍ରୀ ଏନଏମଏ ଅଧ୍ୟକ୍ଷଙ୍କୁ ଏ ସମ୍ପର୍କରେ ପଚାରିଲା ବେଳେ ସେ ବି ନିଜର ଅସହାୟତା ଦେଖାଇଥିଲେ । ପ୍ରକାଶ ପାଇଥିବା ବାଇ ଲ’ ବିଜ୍ଞପ୍ତି ତାଙ୍କ ଅଗୋଚରରେ ହୋଇଥିବା ଅଧ୍ୟକ୍ଷ କହିଥିଲେ ।
ଏଥିରୁ ସ୍ପଷ୍ଟ ଯେ ବିଭାଗୀୟ ମନ୍ତ୍ରୀ ଏବଂ ଏନଏମଏ ଅଧ୍ୟକ୍ଷଙ୍କ ଅଜାଣତରେ ଏତେବଡ଼ ନିଷ୍ପତ୍ତି ହୋଇଥିଲା । ତେବେ କାହା ନିର୍ଦ୍ଦେଶରେ ଏହି ନିଷ୍ପତ୍ତି ହୋଇଥିଲା ତାହା ବଡ଼ ପ୍ରଶ୍ନ ଛିଡ଼ା କରାଇଛି । ପୁରୀ ଐତିହ୍ୟ କରିଡ଼ର ବିକାଶରେ ରୋକ୍ ଲଗାଇବା ପାଇଁ ଏହା ଏକ ବିରାଟ ଷଡ଼ଯନ୍ତ୍ର ଥିଲା କି ବୋଲି ସନ୍ଦେହ ସୃଷ୍ଟି ହୋଇଛି ।
ସୂଚନାଯୋଗ୍ୟ, ଏନଏମଏ ବାଇ ଲ’ ରେ ଶ୍ରୀମନ୍ଦିରକୁ ଏକ ସ୍ମାରକୀ ପୀଠ ଦର୍ଶାଯାଇଥିଲା । ସେଥିର ବ୍ୟବସ୍ଥା ଥିଲା ଯେ ଶ୍ରୀମନ୍ଦିରର ୧୦୦ ମିଟର ଯାଏଁ ସମ୍ପୂର୍ଣ୍ଣ ନିଷିଦ୍ଧାଞ୍ଚଳ ରହିବ । ଅର୍ଥାତ୍ ଏହି ଅଞ୍ଚଳରେ କୌଣସି ନିର୍ମାଣ ହୋଇପାରିବନି । ଆଉ ୨୦୦ ମିଟର ନିୟନ୍ତ୍ରିତ ଅଞ୍ଚଳ ଭାବେ ଗଣାଯିବ । ଅର୍ଥାତ ଏହି ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ପାଇଁ ଏନଏମଏର ଅନୁମତି ନେବାକୁ ପଡ଼ିବ । ନିୟନ୍ତ୍ରିତ ଅଞ୍ଚଳ ବାହାରେ ଶ୍ରୀମନ୍ଦିରକୁ ଦେଖିବାରେ ବାଧା ନ ଆଣିଲା ଭଳି ନିର୍ମାଣର ଉଚ୍ଚତା ସୀମା ମଧ୍ୟ ଧାର୍ଯ୍ୟ କରାଯିବ ।
ବାଇ ଲ’ କାର୍ଯ୍ୟକାରୀ ହୋଇଥିଲେ ଐତିହ୍ୟ ବିକାଶକୁ ଝଟକା ହେବା ସହ ଶ୍ରୀମନ୍ଦିରର ୩୦୦ ମିଟର ଚୌହଦିରେ ରହୁଥିବା ସେବାୟତ ପରିବାର ଗୁରୁତର ଭାବେ ପ୍ରଭାବିତ ହୋଇଥାନ୍ତେ । ଚିଠା ବିଜ୍ଞପ୍ତି ଆସିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର ଗତକାଲି ଏନଏମଏକୁ ଚିଠି ଲେଖି ଏହା ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । ବିଭିନ୍ନ ନିଯୋଗର ସେବାୟତମାନେ ମଧ୍ୟ ସିଂହଦ୍ୱାର ସାମନାରେ ପ୍ରତିବାଦ ବିକ୍ଷୋଭ କରିଥିଲେ ।