ନୂଆଦିଲ୍ଲୀ: ୧୯୯୨ ଡିସେମ୍ବର ୬ ବହୁ ଚର୍ଚ୍ଚିତ ବାବ୍ର ମସଜିଦ୍ ରାୟ ଭଙ୍ଗା ଘଟଣାରେ କେହି ଦୋଷୀ ନୁହଁନ୍ତି । ମସଜିଦ୍ ଭାଙ୍ଗିବା ପାଇଁ ସୁପରିକଳ୍ପିତ ଯୋଜନା ନ ଥିଲା କି ଷଡ଼ଯନ୍ତ୍ର ନଥିଲା । ସାମୟିକ ଆବେଗରୁ ଘଟଣା ଘଟିଥାଇପାରେ । ଦୀର୍ଘ ୨୮ ବର୍ଷ ପରେ ଆଜି ଏହି ରାୟ ଶୁଣାଇଛନ୍ତି ଲକ୍ଷ୍ମୋ ସିବିଆଇ ସ୍ପେଶାଲ୍ କୋର୍ଟ ।
ବିଚାରପତି ଏସ୍.କେ. ଯାଦବ ତାଙ୍କ ୨୩୦୦ ପୃଷ୍ଠାର ରାୟରେ କହିଛନ୍ତି, ଅଭିଯୁକ୍ତଙ୍କ ବିରୋଧରେ ଦୋଷୀ ସାବ୍ୟସ୍ତ ପାଇଁ କୌଣସି ଠୋସ୍ ପ୍ରମାଣ ନାହିଁ । ସିବିଆଇ ଯେଉଁ ଆରୋପ ଲଗାଇଥିଲା, ତା’ର କିଛି ପ୍ରମାଣ ନାହିଁ । ତେଣୁ ଅଭିଯୁକ୍ତ ସମସ୍ତ ୩୨ ଜଣଙ୍କୁ ନିର୍ଦୋଷରେ ଖଲାସ କରାଗଲା ।
କୋର୍ଟ ତାଙ୍କ ରାୟରେ କହିଛନ୍ତି,
*ବାବ୍ରି ମସଜିଦ୍ ଭଙ୍ଗ ସ୍ୱତଃପ୍ରବୃତ୍ତ, ଯୋଜନାବଦ୍ଧ ନୁହେଁ ।
*ଅସାମାଜିକ ଲୋକଙ୍କ ଦ୍ୱାରା ଭଙ୍ଗାଯାଇଛି । ଅଭିଯୁକ୍ତମାନଙ୍କ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସଂପୃକ୍ତି ନାହିଁ ।
*ଅଶୋକ ସିଂହଲ ଏବଂ ସଂଘ ପରିବାର ବାବ୍ରି ଷ୍ଟ୍ରକଚର୍ କୁ ସୁରକ୍ଷା ଦେବାକୁ ଚାହିଁଥିଲେ । କାରଣ ଭିତରେ ଥିବା ରାମ ଲାଲା ପ୍ରତିମୂର୍ତ୍ତିକୁ ସୁରକ୍ଷା ଦେବାକୁ ଚାହିଁଥିଲେ ।
*ସ୍ଥାନୀୟ ଗୁଇନ୍ଦା ରିପୋର୍ଟ ଘଟଣା ସମ୍ପର୍କରେ ଆଗୁଆ ସତର୍କ କରାଇଥିଲା । ମାତ୍ର ତାହାକୁ ଦୃଷ୍ଟି ଦିଆଗଲା ନାହିଁ ।
*ଅଭିଯୁକ୍ତମାନଙ୍କ ବିରୋଧରେ ସେଭଳି କୌଣସି ପ୍ରମାଣ ନାହିଁ ।
*ଭିଡ଼ିଓ କ୍ୟାସେଟ୍ ସିଲଡ୍ ନ ଥିଲା କି ସ୍ପଷ୍ଟ ନ ଥିଲା । ତେଣୁ ତାହା ଗ୍ରହଣଯୋଗ୍ୟ ନୁହେଁ ।
*ବିନୟ କଟିଆରଙ୍କ ଘରେ ଷଡ଼ଯନ୍ତ୍ର ରଚାଯାଇଥିବାର ଯେଉଁ ଭିଡ଼ିଓ ଏବଂ ଫଟୋ ଦାଖଲ ହୋଇଥିଲା ତାହା ଫାବ୍ରିକେଟେଡ଼ ଏବଂ ଟାମ୍ପରିଂ ହୋଇଥିଲା ।
*ସିବିଆଇ ୬୫ ଏଭିଡେନସ୍ ଆକ୍ଟକୁ ଫଲୋ କରିନି ।
କୋର୍ଟ ରାୟ ଆସିଲା ପରେ ଅଭିଯୁକ୍ତ ଥିବା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ଡ. ମୁରଲୀ ମନୋହର ଯୋଶୀ ପ୍ରମୁଖ ସ୍ୱାଗତ କରିଛନ୍ତି । ରାମ ଜନ୍ମଭୂମି ଆନେ୍ଦାଳନ ଓ ବିଜେପି ପ୍ରତି ମୋର ବିଶ୍ୱାସକୁ ଏହା ଦୃଢ଼ୀଭୂତ କରିଛି ବୋଲି ଆଡଭାନୀ ପ୍ରତିକ୍ରିୟା ଦେଇଥିଲା ବେଳେ ବାବ୍ରି ଭଙ୍ଗା ଘଟଣାରେ ଷଡ଼ଯନ୍ତ୍ର ନ ଥିଲା ବରଂ ଏହା ଅଚାନକ ଥିଲା ବୋଲି ଡ. ଯୋଶୀ କୋର୍ଟ ରାୟଙ୍କୁ ଦୋହରାଇ କହିଛନ୍ତି । ଏହା ସତ୍ୟର ବିଜୟ ବିଜୟ ବୋଲି ବିଶ୍ୱ ହିନ୍ଦୁ ପରିଷଦ ପ୍ରତିକ୍ରିୟା ଦେଇଛି ।
ଅନ୍ୟପକ୍ଷରେ, କୋର୍ଟ ରାୟ ଉପରେ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ଦେଇଛି । ଦେଶରେ ଗଣତନ୍ତ୍ରର ହତ୍ୟା ହୋଇସାରିଲାଣି ଏବଂ ଏକଛତ୍ରବାଦ ଶାସନ ଆରମ୍ଭ ହୋଇସାରିଛି ବୋଲି କଂଗ୍ରେସ ନେତାମାନେ କହିଛନ୍ତି । ସିପିଏମ୍ ପକ୍ଷରୁ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ନ୍ୟାୟିକ ବ୍ୟବସ୍ଥାକୁ ମୋଡ଼ିମକଚି ଦିଆଯାଇଥିବା କୁହାଯାଇଛି । ବାବରୀ ମସଜିଦ୍ ଆକ୍ସନ୍ କମିଟି ଆବାହକ ତଥା ଏଆଇଏମପିଏଲବି ମୁଖ୍ୟ ଜାଫରୟାବ୍ ଜିଲାନୀ ଲକ୍ଷ୍ମୋ ସିବିଆଇ କୋର୍ଟ ବିରୋଧରେ ହାଇକୋର୍ଟ ଯିବାକୁ ଘୋଷଣା କରିଛନ୍ତି । ମୁସଲିମ୍ ନେତା ଆସଉଦ୍ଦିନ୍ ଓୟସି ଆଜିର ଦିନକୁ ଭାରତୀୟ ନ୍ୟାୟିକ ବ୍ୟବସ୍ଥାର କଳା ଦିବସ ଭାବେ ବର୍ଣ୍ଣନା କରିଛନ୍ତି ।
ରାୟକୁ ନେଇ ସୋସିଆଲ୍ ମିଡ଼ିଆରେ ଶାଣିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶରେ ଗଣଦୁଷ୍କର୍ମର ଶିକାର ହୋଇ ଜୀବନ ହାରିଥିବା ଦଳିତ ଯୁବତୀଙ୍କ ପାଇଁ ଗୋଟେ ଆଇନ, ଆଡଭାନୀ/ଯୋଶୀଙ୍କ ପାଇଁ ଗୋଟେ ଆଇନ, ରିୟାଙ୍କ ପାଇଁ ଗୋଟିଏ ଆଇନ, କଙ୍ଗନାଙ୍କ ପାଇଁ ଗୋଟିଏ ଆଇନ, ଉମର ଖଲିଦଙ୍କ ପାଇଁ ଗୋଟିଏ ଆଇନ ତ କପିଲ ମିଶ୍ରଙ୍କ ପାଇଁ ଗୋଟିଏ ଆଇନ । ‘ଗୋଟିଏ ଦେଶ, ଅନେକ ଆଇନ’ ଲେଖାଥିବା ପୋଷ୍ଟର୍ ବୁଲୁଛି ସୋସିଆଲ୍ ମିଡ଼ିଆରେ । ବାବ୍ରିକୁ କେହି ଭାଙ୍ଗିନାହାନ୍ତି, ଶୂନ୍ୟରେ ଭାଙ୍ଗିଗଲା ବୋଲି ଅନେକ କଟାକ୍ଷ କରିଛନ୍ତି ।
ସୂଚନାଯୋଗ୍ୟ, ଏହି ମାମଲାରେ ସମୁଦାୟ ୪୮ ଅଭିଯୁକ୍ତ ଥିଲେ । ମାତ୍ର ଇତିମଧ୍ୟରେ ୧୬ ଜଣଙ୍କର ମୃତୁ୍ୟ ହୋଇସାରିଛି । ୩୨ ଅଭିଯୁକ୍ତଙ୍କ ମଧ୍ୟରେ ଥିଲେ ବିଜେପିର ଟପ୍ ବ୍ରାଣ୍ଡ ନେତା ।
ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶମତେ ୨୦୧୭ ମସିହାରୁ ସିବିଆଇ ସ୍ୱତନ୍ତ୍ର ଅଦାଲତରେ ମାମଲାର ଦୈନିକ ଶୁଣାଣି ଚାଲିଥିଲା । ସିବିଆଇ ପକ୍ଷରୁ ମୋଟ ୩୫୧ ଜଣ ସାକ୍ଷୀ ଏବଂ ୬୦୦ ଦସ୍ତାବିଜ୍ ଦାଖଲ କରିଥିଲା । ମାମଲାର ରାୟ ଶୁଣାଇଥିବା ୬୦ ବର୍ଷ ବୟସ୍କ ବିଚାରପତି ଏସ.କେ.ଯାଦବ ୨୦୧୯ରେ ଚାକିରିରୁ ଅବସର ଗ୍ରହଣ କରିବାର ଥିଲେ ମଧ୍ୟ ଏହି ନିର୍ଦ୍ଦିଷ୍ଟ ମାମଲାର ଶୁଣାଣି ପାଇଁ ଚାକିରିକାଳ ବୃଦ୍ଧି ପାଇଛନ୍ତି ।
ଆଜି ରାୟ ପ୍ରକାଶ ବେଳେ ୩୨ ଜଣ ଯାକ ଅଭିଯୁକ୍ତଙ୍କୁ କୋର୍ଟରେ ଉପସ୍ଥିତ ରହିବା ପାଇଁ ବିଚାରପତି ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ । ତେବେ ୨୬ ଜଣ ଉପସ୍ଥିତ ଥିଲେ । ଲାଲକୃଷ୍ଣ ଆଡଭାନୀ, ଡ. ମୁରଲୀ ମନୋହର ଯୋଶୀ, ଉମା ଭାରତୀ, ସତୀଶ ପ୍ରଧାନ, ନୃତ୍ୟ ଗୋପାଳ ଦାସ ଏବଂ କଲ୍ୟାଣ ସିଂହ ଅନୁପସ୍ଥିତ ଥିଲେ ।
ସୋସିଆଲ୍ ମିଡ଼ିଆରେ ବୁଲିଲା ପ୍ରଜ୍ଞା ଠାକୁରଙ୍କ ଭିଡ଼ିଓ
ବାବ୍ରି ରାୟ ଅସିବା ପରେ ଭୋପାଳ ସାଂସଦ ପ୍ରଜ୍ଞା ସିଂ ଠାକୁରଙ୍କ ଏକ ପୁରୁଣା ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି । ଏକ ସଭାରେ ପ୍ରଜ୍ଞା କହୁଛନ୍ତି, ବାବ୍ରି ଷ୍ଟ୍ରକଚର୍ ଭାଙ୍ଗିବାକୁ ମୁଁ ଅଯୋଧ୍ୟା ଯାଇଥିଲି । ମୁଁ ବାବ୍ରି ଭାଙ୍ଗିଛି । ୨୦୧୯ ରେ ଏଏନଆଇ ପକ୍ଷରୁ ଟୁଇଟରରେ ଏହି ଭିଡ଼ିଓଟିକୁ ପୋଷ୍ଟ କରାଯାଇଥିଲା । ଦିଲ୍ଲୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଅନେକ ଏହାକୁ ସେୟାର୍ କରିବା ସହ କୋର୍ଟ ରାୟକୁ ଏଭଳି କଟାକ୍ଷ କରିଛନ୍ତି ।
ପ୍ରଜ୍ଞା ଠାକୁର: ମସଜିଦ୍ ମୁଁ ଭାଙ୍ଗିଛି ।
କୋର୍ଟ: ନା, ତୁମେ ଭାଙ୍ଗିନ ।