ଭୁବନେଶ୍ୱର: କିଛି ରାଜ୍ୟରେ ବଢ଼ି ଚାଲିଥିବା କୋଭିଡ ଜୀବାଣୁର ନୂଆ ଷ୍ଟ୍ରେନ୍ ଏବେ ଚିନ୍ତାର ବିଷୟ ହୋଇଛି । ଓଡ଼ିଶାରେ ସ୍ଥିତି କ୍ରମଶଃ ସ୍ୱାଭାବିକ ହେଉଥିଲେ ମଧ୍ୟ ସଂକ୍ରମଣ ଲେଉଟାଣି ନ ହେବ ବୋଲି କହିହେଉନି । ମହାରାଷ୍ଟ୍ର, କେରଳ, ପଞ୍ଜାବ, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶରେ ଲକଡାଉନ୍ ର ପୁନଃପ୍ରତ୍ୟାବର୍ତ୍ତନ ପରିପ୍ରେକ୍ଷୀରେ ଓଡ଼ିଶା ସରକାର ପୁନର୍ବାର କଠୋର ଆଭିମୁଖ୍ୟ ପୋଷଣ କରିବାକୁ ଯାଉଛନ୍ତି । କୋଭିଡ୍ ଗାଇଡଲାଇନ୍ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।
ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଆଜି ଜିଲ୍ଲାପାଳ, ଏସପି ଏବଂ ମ୍ୟୁନିସିପାଲିଟି କମିଶନରଙ୍କୁ ଚିଠି ଲେଖି ସର୍ବସାଧାରଣ ସ୍ଥାନ, କର୍ମକ୍ଷେତ୍ର ଓ ଶିକ୍ଷାନୁଷ୍ଠାନରେ ନିୟମ ପାଳନ ଉପରେ ନଜର ରଖିବାକୁ ନିଦେ୍ର୍ଦଶ ଦେଇଛନ୍ତି । ମାସ୍କ ପିନ୍ଧିବା, ସାମାଜିକ ଦୂରତା ପାଳନ, ସାନିଟାଇଜର ବ୍ୟବହାର, ବାରମ୍ବାର ହାତ ଧୋଇବାକୁ ନିଶ୍ଚିତ କରାଯିବା ଦରକାର । ସେଥିପାଇଁ ବଜାର, ହାଟ ଓ ଅନ୍ୟ ସ୍ଥାନରେ ମାଇକ୍ ଯୋଗେ ସଚେତନ କର ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଶିକ୍ଷାନୁଷ୍ଠାନ ସମେତ ସବୁ ଅଫିସ୍ ରେ କୋଭିଡ ନିୟମ ପାଳନ ତଦାରଖ ଦାୟିତ୍ୱ ଅନୁଷ୍ଠାନ ମୁଖ୍ୟଙ୍କର ବୋଲି ସେ ଚେତାଇ ଦେଇଛନ୍ତି ।
ବିବାହ ଓ ଧାର୍ମିକ କାର୍ଯ୍ୟ ପାଇଁ ଅନୁମତି ସଂଖ୍ୟାରୁ ଅଧିକ ବାରଣ କରଯାଇଛି । ଶିକ୍ଷାନୁଷ୍ଠାନରେ ସାନିଟେସନ୍ ସହ ଥର୍ମାଲ୍ ସ୍କ୍ରିନିଂ, ହ୍ୟାଣ୍ଡ ୱାସ୍ ବ୍ୟବସ୍ଥା ସଠିକ୍ ଭାବେ କରିବାକୁ କୁହାଯାଇଛି । କରୋନା ଲକ୍ଷଣ ଅନୁଭବ କଲେ ନିକଟ ସ୍ୱାସ୍ଥ୍ୟକେନ୍ଦ୍ର ଜଣାଇବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି ।
ସ୍ୱତନ୍ତ୍ର ରିଲିଫ୍ କମିଶନର ଲେଖିଛନ୍ତି ଯେ କୋଭିଡ ମହାମାରୀ ବିରୋଧରେ ଏକବର୍ଷ ଧରି ଲଢ଼େଇ କରିବା ପରେ ସଂକ୍ରମଣ ଆମେ ନିୟନ୍ତ୍ରଣକୁ ଆଣିପାରିଛେ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବଂ ଲୋକଙ୍କ ଜୀବନଜୀବିକାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅନେକ ପ୍ରତିବନ୍ଧକକୁ ହଟେଇଛନ୍ତି । ସ୍କୁଲ, କଲେଜ ସୀମିତ ସଂଖ୍ୟାରେ ଖୋଲିବାକୁ ଅନୁମତି ଦିଆଯାଇଛି । ହେଲେ କୋଭିଡ ଗାଇଡଲାଇନ ଯେଭଳି ପାଳନ କରାଯିବା କଥା ହେଉନାହିଁ । ମାତ୍ର କଟକଣା ସମସ୍ତେ ମାନିବାକୁ ବାଧ୍ୟ ।
ସୂଚନାଯୋଗ୍ୟ ୨୪୦ ନୂଆ ଷ୍ଟ୍ରେନ୍ ଚିହ୍ନଟ ସାଙ୍ଗକୁ ମହାରାଷ୍ଟ୍ର, କେରଳ, ପଞ୍ଜାବ, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶରେ ଦ୍ରୁତଗତିରେ ବଢ଼ୁଥିବା କରୋନା ସଂକ୍ରମଣ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି । ପୁଣି ଥରେ ଟେଷ୍ଟିଂ, କଣ୍ଟାକ୍ଟ ଟ୍ରେସିଂ ଓ ଆଇସୋଲେସନକୁ ଗୁରୁତ୍ୱ ଦିଆଯାଇଛି ।