ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଛି । ଗତ ୨୪ ଘଣ୍ଟାରେ ଦେଶରୁ ୫୩, ୪୭୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହାକି ୫ ମାସରେ ସର୍ବାଧିକ । ମହାରାଷ୍ଟ୍ରରୁ ସର୍ବାଧିକ ୩୧,୮୫୫ ନୂଆ ଆକ୍ରାନ୍ତ ବାହାରିଥିବା ବେଳେ ପଞ୍ଜାବ ୨,୬୧୩, କେରଳ ୨୪୫୬, କର୍ଣ୍ଣାଟକ ୨୨୯୮, ଛତିଶଗଡ଼ ୨୧୦୬, ଗୁଜୁରାଟ ୧୭୯୦, ମଧ୍ୟପ୍ରଦେଶ ୧୭୧୨, ତାମିଲନାଡୁ ୧୬୩୬, ଦିଲ୍ଲୀ ୧୨୫୪ ଏବଂ ହରିଆନାରୁ ଅଛନ୍ତି ୯୮୧ ଆକ୍ରାନ୍ତ ।
ସେହିଭଳି ଆମ ରାଜ୍ୟ ଓଡ଼ିଶାରେ ବି କରୋନା ଲେଉଟାଣିର ପ୍ରକୋପ ଦେଖିବାକୁ ମିଳିଲାଣି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୨୧୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଯାହାକି କିଛି ମାସର ବ୍ୟବଧାନରେ ସର୍ବାଧିକ । ଏଥିରେ କ୍ୱାରେଣ୍ଟାଇନ୍ ରୁ ୧୨୬ ଏବଂ ଲୋକାଲ୍ କଣ୍ଟାକ୍ଟସ୍ ୮୮ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ସୁନ୍ଦରଗଡ଼ ୨୭, କଟକ ୨୦, ବଲାଙ୍ଗୀର ୨୦, ବରଗଡ଼ ୧୩, ବାଲେଶ୍ୱର ୧୧, ଢ଼େଙ୍କାନାଳ ୧୦, କୋରାପୁଟ ୧୦, ସମ୍ବଲପୁର ୧୦ ଏବଂ ମୟୁରଭଞ୍ଜରୁ ୯ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆକ୍ଟିଭ୍ କେସ୍ ସଂଖ୍ୟା ୧୧୫୧ରେ ପହଞ୍ଚିଛି ।
କରୋନା ଦ୍ୱିତୀୟ ଲହର ରୋକିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶ ପରେ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଥିଲେ ମଧ୍ୟ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହୋଇପାରିନାହିଁ । ଗାଇଡଲାଇନ୍ ଅନୁପାଳନକୁ ଅଧିକାଂଶ ଖାତିର କରୁନାହାନ୍ତି । ଯାହାକି ସମସ୍ତଙ୍କ ପାଇଁ ବିପଦ ସୃଷ୍ଟି କରିଛି । ମାଲକାନଗିରି, ନବରଙ୍ଗପୁର ଭଳି ରାଜ୍ୟର ଅନ୍ୟ ସଂକ୍ରମିତ ଜିଲ୍ଲାଗୁଡ଼ିକରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇପାରେ ବୋଲି ସୂଚନା ମିଳୁଛି ।
ତେବେ ବ୍ରିଟେନ୍ ଷ୍ଟ୍ରେନ୍ କୁ ନେଇ ରାଜ୍ୟବାସୀଙ୍କ ମନରେ ଥିବା ଆତଙ୍କକୁ ଦୂର କରିଛନ୍ତି ଆଇଏଲସି ନିର୍ଦ୍ଦେଶକ ଅଜୟ ପରିଡ଼ା । ବ୍ରିଟେନ୍ ଷ୍ଟ୍ରେନ୍ କୁ ନେଇ ଆତଙ୍କିତ ହେବାର କାରଣ ନାହିଁ ବୋଲି ସେ କହିଛନ୍ତି । ବିଭିନ୍ନ ଜିଲ୍ଲାରେ ଚିହ୍ନଟ ନମୁନାରେ ଭୟଙ୍କର ସ୍ଥିତି ନାହିଁ । ଗତ ଡିସେମ୍ବର ମାସରେ ୩ ଜଣ ବ୍ରିଟେନ୍ ଫେରନ୍ତା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଆଇସୋଲେସନ୍ ରେ ରହି ଚିକିତ୍ସିତ ହେଲା ପରେ ସୁସ୍ଥ ହୋଇଥିଲେ । ତେବେ ସେମାନଙ୍କଠାରୁ ଅନ୍ୟ କେହି ସଂକ୍ରମିତ ହୋଇ ନ ଥିଲେ ବୋଲି ଶ୍ରୀ ପରିଡ଼ା ସୂଚନା ଦେଇଛନ୍ତି ।