ଭୁବନେଶ୍ୱର: ବଂଶ ବୁଡ଼ାଇ ଦେଲା କରୋନା । ରଘୁନାଥ ମହାପାତ୍ରଙ୍କ ବଡ଼ ପୁଅ ବି ଚାଲିଗଲେ । ସଙ୍କଟାପନ୍ନ ଅବସ୍ଥାରେ ଥିବା ୫୨ ବର୍ଷ ବୟସ୍କ ଯଶୋବନ୍ତ ମହାପାତ୍ର ଆଜି ସମ୍ କୋଭିଡ୍ ହସ୍ପିଟାଲ୍ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତକାଲି ରଘୁନାଥଙ୍କ ମଝିଆ ପୁଅ କ୍ରିକେଟିୟର୍ ପ୍ରଶାନ୍ତଙ୍କର ମୃତ୍ୟୁ ହୋଇଥିଲା । ଏଥିସହ ଏକ ମହାନ୍ ଶିଳ୍ପୀ ପରିବାର ଛାରଖାର ହୋଇଯାଇଛି । ୧୨ ଦିନ ଭିତରେ ବାପା ଓ ଦୁଇ ପୁଅଙ୍କ ମୃତ୍ୟୁ ସମସ୍ତଙ୍କ ହୃଦୟକୁ ଚହଲାଇ ଦେଇଛି । ଏ ଦୁଃଖ ଶୁଣିବାକୁ ସମସ୍ତଙ୍କର ଧୈର୍ଯ୍ୟଚୁତି ହୋଇଛି ।
ଦିଲ୍ଲୀରୁ ସପରିବାର ଫେରିବା ପରେ ରଘୁନାଥ ମହାପାତ୍ର ଓ ତାଙ୍କର ଦୁଇପୁଅ ଯଶୋବନ୍ତ ଓ ପ୍ରଶାନ୍ତ କରୋନାରେ ଆକ୍ରାନ୍ତ ହୋଇଥିଲେ । ଚିକିତ୍ସା ପାଇଁ ଏପ୍ରିଲ୍ ୨୧ ତାରିଖରେ ସମସ୍ତେ ଭୁବନେଶ୍ୱର ଏମସ୍ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ତେବେ ଗତ ୯ ତାରିଖରେ ରଘୁନାଥ ଆଖି ବୁଜିଦେଇଥିଲେ । ଅନ୍ୟପକ୍ଷରେ ବଡ଼ପୁଅ ଯଶୋବନ୍ତଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ତେବେ ମଝିଆ ପୁଅ ପ୍ରଶାନ୍ତଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିଲା ଏବଂ ସେ କରୋନାମୁକ୍ତ ହୋଇଥିଲେ । ତେବେ ଦୁଇଦିନ ତଳେ ହଠାତ୍ ପ୍ରଶାନ୍ତଙ୍କ ଅବସ୍ଥା ବିଗିଡ଼ି ଯାଇଥିଲା ଏବଂ ଗତକାଲି ସକାଳେ ସେ ଆଖି ବୁଜି ଦେଇଥିଲେ ।
ଅନ୍ୟପକ୍ଷରେ ଯଶୋବନ୍ତଙ୍କର ଅବସ୍ଥାରେ ମଧ୍ୟ କୌଣସି ଉନ୍ନତି ଆସି ନ ଥିଲା । ବରଂ ଦିନକୁ ଦିନ ଅବସ୍ଥା ବିଗିଡ଼ିବାରେ ଲାଗିଥିଲା । ଗତକାଲି ପ୍ରଶାନ୍ତଙ୍କ ମୃତ୍ୟୁ ପରେ ପରିବାର ସଦସ୍ୟ ଏବଂ ବନ୍ଧୁ ପରିଜନଙ୍କ ମନରେ ପାପ ଛୁଇଁବାରୁ ଯଶୋବନ୍ତଙ୍କୁ ସେମାନେ ଉନ୍ନତ ଚିକିତ୍ସା ଆଶାରେ ଏମସ୍ ରୁ ସମ୍ ହସ୍ପିଟାଲ୍ ସ୍ଥାନାନ୍ତର କରିଥିଲେ । ତେବେ ସଙ୍କଟାପନ୍ନ ଯଶୋବନ୍ତଙ୍କୁ ବଞ୍ଚାଇବା ପାଇଁ ଡାକ୍ତରମାନେ ପ୍ରବଳ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ । ଆଜି ଦିନ ୧ଟାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ସ୍ୱର୍ଗତ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ତିନି ପୁଅ ମଧ୍ୟରୁ ସାନପୁଅ ୪ ବର୍ଷ ତଳେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ।