ଭୁୁବନେଶ୍ୱର: ହାଇକୋର୍ଟଙ୍କ କଡ଼ା ତାଗିଦ୍ ଓ ଡେଡଲାଇନ୍ ପରେ ଚଞ୍ଚଳ ହୋଇଛି କ୍ରାଇମବ୍ରାଞ୍ଚ ପୁଲିସ । ବହୁ ଚର୍ଚ୍ଚିତ ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ୪ ଜଣଙ୍କୁ ଗିରଫ କରିଛି । ଏହି ମାମଲାରେ ୭ ଅଭିଯୁକ୍ତଙ୍କ ବିରୋଧରେ ପୋକସୋ ଆକ୍ଟରେ ମାମଲା ରୁଜୁ ହେବାର ଦୀର୍ଘ ସାଢ଼େ ୩ ମାସ ପରେ ଯାଇ ଅଭିଯୁକ୍ତ ଧରାପଡ଼ିଛନ୍ତି । ଗିରଫ ୪ ଜଣଯାକ ଓଟିଭିର କର୍ମଚାରୀ । ସେମାନେ ହେଲେ ଅନିରୁଦ୍ଧ ପଣ୍ଡା, କୃଷ୍ଣଚନ୍ଦ୍ର ବେହେରା, ସୁରକ୍ଷାକର୍ମୀ ବିଜୟ ରାଉତ ଏବଂ ଶ୍ରୀ ସାମଲ ।
ଓଟିଭି ଏମଡି ଜାଗୀମଙ୍ଗତ ପଣ୍ଡାଙ୍କର ବିଶ୍ୱସ୍ତ କର୍ମଚାରୀ ଅନିରୁଦ୍ଧ ପଣ୍ଡାଙ୍କୁ ଗତକାଲି ରାତିରେ କ୍ରାଇମବ୍ରାଞ୍ଚର ଏକ ଟିମ ଗୋପ ଅଞ୍ଚଳରୁ ଗିରଫ କରିଥିବା ବେଳେ ଅନ୍ୟ ୩ ଜଣଙ୍କୁ ଭୁବନେଶ୍ୱରରୁ ଗିରଫ କରିଥିଲା । ଆଜି ସେମାନଙ୍କୁ ପୋକସୋ କୋର୍ଟରେ ହାଜର କରାଯାଉଛି । ଫେରାର ଅନ୍ୟ ତିନିଜଣଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ।
ଅଗଷ୍ଟ ୩୦ରେ ମହିଳା ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ କମିଶନରେଟ୍ ପୁଲିସ ଅଭିଯୁକ୍ତମାନଙ୍କ ପାଖରେ ପହଞ୍ଚିପାରି ନ ଥିଲା । ଖୋଦ୍ ହାଇକୋର୍ଟଙ୍କ ଅସନ୍ତୋଷ ବି କମିଶନରେଟ୍ ପୁଲିସକୁ ଚେତାଇ ପାରି ନ ଥିଲା । ଅକ୍ଟୋବର ୬ ରେ ରାଜ୍ୟ ସରକାର ମାମଲାକୁ କ୍ରାଇମବ୍ରାଞ୍ଚ ହାତକୁ ଦେଇଥିଲେ । ତେବେ କ୍ରାଇମବ୍ରାଞ୍ଚ ପୁଲିସ ମଧ୍ୟ ତଦନ୍ତରେ ଢ଼ିଲା ମାରିଥିଲା । ଗତ ନଭେମ୍ବର ୯ ତାରିଖରେ ହାଇକୋର୍ଟ ଏ ନେଇ ଭୀଷଣ ଅସନ୍ତୋଷ ପ୍ରକାଶ କରି ନଭେମ୍ବର ୧୮ ରେ ସ୍ୱୟଂ ଡିଜି ହାଜର ହୋଇ ତଦନ୍ତ ଅଗ୍ରଗତି ଜଣାଇବାକୁ ନିଦେ୍ର୍ଦଶ ଦେଇଥିଲେ । ସେହି ଅନୁଯାୟୀ ଡିଜି ଶ୍ରୀ ଅଭୟ ହାଇକୋର୍ଟରେ ହାଜର ହୋଇ ଏକ ଜଉମୁଦ ଲଫାପାରେ ନିଜର ପକ୍ଷ ରଖିଥିଲେ । ତେବେ ଅଭିଯୁକ୍ତମାନେ କାହିଁକି ଧରାପଡ଼ିନାହାନ୍ତି ହାଇକୋର୍ଟ ଡିଜିଙ୍କଠାରୁ ଜବାବ ମାଗି କଡ଼ା ଶବ୍ଦରେ ଭର୍ସନା କରିଥିଲେ । ଡିସେମ୍ବର ୧୬ ତାରିଖ ସୁଦ୍ଧା ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଡେଡଲାଇନ୍ ଦେଇଥିଲେ ହାଇକୋର୍ଟ ।
ସୂଚନାଥାଉକି, ଲକଡାଉନ୍ ବେଳେ ୧୩ ବର୍ଷର ନାବାଳିକାକୁ ଦୀର୍ଘ ୧୫ ଦିନ ଧରି ଗଣଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଛି । ପୀଡ଼ିତାଙ୍କ ମାଆ ଓଟିଭିରେ ଚାକିରି କରୁଥିଲେ । ସେ ଅଫିସ ଆସିବା ପରେ ଘରେ ଝିଅ ଏକୁଟିଆ ରହୁଥିବାର ସୁଯୋଗ ଦେଖି ଓଟିଭିର ଦୁଇ କର୍ମଚାରୀ ଅନିରୁଦ୍ଧ ପଣ୍ଡା, କୃଷ୍ଣଚନ୍ଦ୍ର ବେହେରା ଏବଂ ଦୁଇ ସୁରକ୍ଷାକର୍ମୀଙ୍କ ସମେତ ମୋଟ ୭ ଜଣ ତାକୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି । ଟିଭିରେ ଏକ ପ୍ରମୋ ପାଇଁ ଝିଅର ଅଶ୍ଲୀଳ ଭିଡ଼ିଓ ସୁଟ୍ କରିଥିଲେ ଏବଂ ଘଟଣା ସମ୍ପର୍କରେ ପାଟି ଖୋଲିଲେ ଝିଅକୁ ମାରିଦେବାକୁ ଧମକ ଦେଇଥିବା ପୀଡ଼ିତାଙ୍କ ମାଆ ଅଭିଯୋଗ କରିଥିଲେ ।
ତେବେ ଝିଅଠାରୁ ସବୁ ଜାଣିଲା ପରେ ପୀଡ଼ିତାଙ୍କ ମାଆ ଓଟିଭି ଏମଡି ଜାଗୀମଙ୍ଗତ ପଣ୍ଡାଙ୍କୁ ଘଟଣା ସମ୍ପର୍କରେ ଜଣାଇ ନ୍ୟାୟ ଭିକ୍ଷା କରିଥିଲେ ମଧ୍ୟ ସେ ବିଶାଖା କମିଟି ତଦନ୍ତର ଆଳ କରି ମାମଲା ଚାପିଦେବାକୁ ଉଦ୍ୟମ କରିଥିଲେ ବୋଲି ପୀଡ଼ିତାଙ୍କ ମାଆ ଅଭିଯୋଗ କରି ମହିଳା କମିଶନ ଏବଂ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ମଧ୍ୟ ଦ୍ୱାରସ୍ଥ ହୋଇଥିଲେ ।