ଭୁୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ମାଡ଼ି ଆସୁଥିବା ଭୀଷଣକାୟ ବାତ୍ୟା ‘ୟାଶ୍’ ଆସନ୍ତାକାଲି ମଧ୍ୟାହ୍ନରେ ବାଲେଶ୍ୱର ଓ ଧାମରା ମଧ୍ୟରେ ଉପକୂଳ ଅତିକ୍ରମ କରିବ । ଧାମରା ପାଖାପାଖି ଏହା କେନ୍ଦ୍ରୀଭୂତ ହେବ ବୋଲି ଆଇଏମଡି ପକ୍ଷରୁ ଆକଳନ କରାଯାଇଛି । ଏଥିରେ ଧାମରା, ଚାନ୍ଦବାଲି ଅଞ୍ଚଳ ବିଶେଷ ପ୍ରଭାବିତ ହେବାର ସମ୍ଭାବନା ଥିବା ଆଇଏମଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।
ତାଙ୍କର ସୂଚନା ଅନୁଯାୟୀ କାଲି ଭୋରରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଯିବ । ଲ୍ୟାଣ୍ଡଫଲ୍ ର ୬ ଘଣ୍ଟା ପୂର୍ବରୁ ଏବଂ ୬ ଘଣ୍ଟା ପର୍ଯ୍ୟନ୍ତ ବାତ୍ୟାର ପ୍ରକୋପ ବେଶୀ ରହିବ । ଘଣ୍ଟାପ୍ରତି ପବନର ବେଗ ୧୫୫ରୁ ୧୬୫ କିମି ରହିବ । ସ୍ଥଳବିଶେଷରେ ପବନର ବେଗ ୧୮୫ କିମି ପର୍ଯ୍ୟନ୍ତ ହୋଇପାରେ । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଏହାଦ୍ୱାରା ବେଶୀ ପ୍ରଭାବିତ ହେବ । ଆଜି ମଧ୍ୟରାତ୍ରରୁ ଏହି ସବୁ ଜିଲ୍ଲାରେ ବର୍ଷା ପବନ ଆରମ୍ଭ ହୋଇଯିବ ଏବଂ ୨୬ ତାରିଖ ଅପରାହ୍ନ ପର୍ଯନ୍ତ ଜାରି ରହିବ ବୋଲି ସେ କହିଛନ୍ତି ।
ତେବେ ‘ୟାସ୍’ ଅତି ଭୀଷଣ ବାତ୍ୟା ଏବଂ ଏସଟ୍ରିମିଲି କିମ୍ବା ସୁପର୍ ସାଇକ୍ଲୋନ୍ ନୁହେଁ ବୋଲି ଡ. ମହାପାତ୍ର ସ୍ପଷ୍ଟ କରିଛନ୍ତି । ଏହା ତୀବ୍ରତା ଫନିଠାରୁ କମ ବୋଲି ସେ କହିଛନ୍ତି । ତେବେ ଲୋକମାନେ ପ୍ରଶାସନକୁ ସହଯୋଗ କରି ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲି ଆସିବାକୁ ସେ ଅନୁରୋଧ କରିଛନ୍ତି ।
ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଘଣ୍ଟାକୁ ୯ କିମି ବେଗରେ ସ୍ଥଳ ଭାଗ ଆଡକୁ ମାଡ଼ି ଆସୁଛି “ୟାସ୍’ । ଆଜି ସକାଳେ ପାରାଦ୍ୱୀପରୁ ୩୬୦ ଓ ବାଲେଶ୍ୱରରୁ ୪୬୦ କିମି ଦୂରରେ ଥିଲା । କାଲି ମଧ୍ୟାହ୍ନ ବେଳକୁ ଏହା ଅତି ଭୀଷଣକାୟ ରୂପ ଧରି ସ୍ଥଳଭାଗ ଛୁଇଁବ ।
ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ପାଇଁ ଆଜି ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ଏହି ସବୁ ଜିଲ୍ଲାରେ ଭୀଷଣ ବର୍ଷା ହେବାର ସମ୍ଭାବନା ଅଛି । ସେହିଭଳି ମୟୁରଭଞ୍ଜ, ଯାଜପୁର, କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବାଲେଶ୍ୱର ପଠାଇଲେ ମୁଖ୍ୟମନ୍ତ୍ରୀ
ବାଲେଶ୍ୱର ପାଖରେ ୟାସ୍ ର ଲ୍ୟାଣ୍ଡଫଲ୍ ସମ୍ଭାବନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଆଜି ବାଲେଶ୍ୱର ପଠାଇଛନ୍ତି । ସେଠାରେ ରହି ପରିସ୍ଥିତି ସମ୍ଭାଳିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି ।