ଭୁବନେଶ୍ୱର: ୨ ରୁ ୧୮ ବର୍ଷର ଶିଶୁ ଓ ନାବାଳକା, ନାବାଳିକାଙ୍କ ପାଇଁ ଖୁବ୍ ଶୀଘ୍ର ମିଳିଯିବ କରୋନା ଟିକା । ଭାରତ ବାୟୋଟେକ୍ ନିର୍ମିତ କୋଭାକ୍ସିନ୍ ର ଦ୍ୱିତୀୟ ପର୍ଯ୍ୟାୟ ତୃତୀୟ କ୍ଲିନିକାଲ୍ ଟ୍ରାଏଲ୍ ପାଇଁ ଡ୍ରଗସ୍ କଣ୍ଟ୍ରୋଲର ଜେନେରାଲ୍ ଅଫ ଇଣ୍ଡିଆ(ଡିସିଜିଆଇ) ଅନୁମୋଦନ ଦେଇଛି ।
ସ୍ୱେଚ୍ଛାକୃତ ଭାବେ ୫୨୫ ସୁସ୍ଥ ପିଲାଙ୍କଠାରେ ଏହାର ପରୀକ୍ଷଣ କରାଯିବ । ୨୮ ଦିନ ବ୍ୟବଧାନରେ ସେମାନଙ୍କୁ ଦୁଇଟି ଯାକ ଡୋଜ୍ ଦିଆଯିବ । ଚଳିତ ସପ୍ତାହରେ ଆମେରିକାର ଡ୍ରଗ୍ ରେଗୁଲେଟର୍ ୧୨ରୁ ୧୫ ବର୍ଷ ପିଲାଙ୍କ ପାଇଁ ଫାଇଜର୍ ବାଓଟେକ୍ ପ୍ରସ୍ତୁତ ଟିକାକୁ ଅନୁମୋଦନ ଦେବା ପରିପ୍ରେକ୍ଷୀରେ ଭାରତର ସ୍ୱଦେଶୀ ନିର୍ମିତ କୋଭାକ୍ସିନ୍ ର ଦ୍ୱିତୀୟ/ତୃତୀୟ ଟ୍ରାଏଲ୍ କୁ ଡିସିଜିଆଇ ଅନୁମୋଦନ କରିଛି ।
ବିଶ୍ୱରେ ପ୍ରଥମ ଥର ପାଇଁ ଶିଶୁଙ୍କ ପାଇଁ କୋଭାକ୍ସିନ୍ ର ପରୀକ୍ଷଣ ଗତବର୍ଷ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିଲା । ୧୨-୬୫ ବୟସ ବର୍ଗର ୩୮୦ ସ୍ୱେଚ୍ଛାସେବୀଙ୍କଠାରେ ଏହାର ପରୀକ୍ଷଣ କରାଯାଇଥିଲା । ୧୮ ବର୍ଷରୁ ଉଦ୍ଧ୍ୱର୍ ବୟସ୍କଙ୍କ ପାଇଁ ଚଳିତ ମେ ପହିଲାରୁ ଭାରତରେ ଟିକାକରଣ ଆରମ୍ଭ ହୋଇଯାଇଛି ।
ସୂଚନାଥାଉକି, ୨ରୁ ୧୮ ବର୍ଷର ପିଲାଙ୍କ ପାଇଁ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ନିମନ୍ତେ ଭାରତ ବାୟୋଟେକ୍ ପକ୍ଷରୁ ଗତ ଫେବୃଆରୀ ମାସରେ ଆବେଦନ କରାଯାଇଥିଲା ।