ନୂଆଦିଲ୍ଲୀ: ସାରା ଦେଶ କରୋନା ଭୂତାଣୁ କବଳରେ ଯୁଜୁଥିବା ବେଳେ ସମସ୍ତଙ୍କ ପାଇଁ ଏକ ଆଶ୍ୱସ୍ତିର ଖବର ଆସିଛି । ଡିଆରଡିଓ ପ୍ରସ୍ତୁତ କରିଛି ନୂଆ କରୋନା ଔଷଧ ୨-ଡିଅକ୍ସି- ଡି-କ୍ଲୁକୋଜ୍ ବା ୨-ଡିଜି 2-deoxy-D-glucose (2-DG)। ହାଇଦ୍ରାବାଦର ଡକ୍ଟର ରେଡି ଲାବେରେଟୋରି ସହଯୋଗିତାରେ ଡିଆରଡିଓର ଇନଷ୍ଟିଚ୍ୟୁଟ୍ ଅଫ ନ୍ୟୁକ୍ଲିୟର୍ ମେଡିସିନ୍ ଆଣ୍ଡ ଆଲାଏଡ ସାଇସେନ୍ସ ଏହି ଓରାଲ୍ ଡ୍ରଗ୍ ପ୍ରସ୍ତୁତ କରିଛି । ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣରେ ଅଦ୍ଭୂତପୂର୍ବ ସଫଳତା ମିଳିବା ପରେ ଡ୍ରଗସ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ ଇଣ୍ଡିଆ(ଡିସିଜିଆଇ) ଏହାର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦେଇଛନ୍ତି ।
ଗ୍ଲୁକୋଜ୍ ଭଳି ଏହାକୁ ପାଣିରେ ଫେଣ୍ଟି ପିଆଯିବ । ଗୋଟିଏ ସପ୍ତାହ ଧରି ଦିନକୁ ଦୁଇଥର ଲେଖାଏଁ ନେଲେ ରୋଗୀଙ୍କୁ ଏହା ତୁରନ୍ତ ଉପଶମ ଦେଇପାରୁଛି । ସଂକ୍ରମିତ ଭୂତାଣୁକୁ ଶରୀରରେ ଆଉ ବଢ଼ିବାକୁ ଦେଉନି । ରୋଗୀର ଅମ୍ଲଜାନ୍ ନିର୍ଭରତାକୁ ମଧ୍ୟ କମାଇ ପାରୁଛି । କରୋନା ରୋଗୀଙ୍କ ଚିକିତ୍ସାରେ ଏହାର ସମ୍ପୂର୍ଣ୍ଣ ସଫଳତା ନେଇ ଡିଆରଡିଓ ବିଶେଷଜ୍ଞମାନେ ଦୃଢ଼ ବିଶ୍ୱାସ ଦେଖାଇଛନ୍ତି ।
କରୋନାର ପ୍ରଥମ ଲହର ଆରମ୍ଭରେ ଗତବର୍ଷ ଏପ୍ରିଲ୍ ମାସରେ ଏହାର ପ୍ରଥମ ପରୀକ୍ଷଣ ହୋଇଥିଲା । ଏହାର ଫଳାଫଳକୁ ଭିତ୍ତି କରି ଗତ ମେ” ମାସରେ ଡିଜିଜିଆଇ ଏହାର ଫେଜ୍ ଟୁ କ୍ଲିନିକାଲ୍ ଟ୍ରାଏଲ୍ ଅନୁମତି ଦେଇଥିଲେ । ମେ’ ରୁ ଅକ୍ଟୋବର ମାସ ମଧ୍ୟରେ ସାରା ଦେଶର ୧୭ କୋଭିଡ୍ ହସ୍ପିଟାଲ୍ ରେ ଚିକିତ୍ସିତ ୧୧୦ ରୋଗୀଙ୍କଠାରେ ଏହାର ପରୀକ୍ଷଣ କରାଯାଇଥିଲା ।
ଏଥିରୁ ଆଶାତୀତ ସଫଳତା ମିଳିବା ପରେ ଗତ ନଭେମ୍ବର ମାସରେ ଡିସିଜିଆଇ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଅନୁମତି ଦେଇଥିଲେ । ୨୦୨୦ ଡିସେମ୍ବରରୁ ୨୦୨୧ ମାର୍ଚ୍ଚ ମଧ୍ୟରେ ୨୭ ଟି କୋଭିଡ୍ ହସ୍ପିଟାଲ୍ ରେ ଚିକିତ୍ସିତ ୨୨୦ ରୋଗୀଙ୍କଠାରେ ଏହାର ପରୀକ୍ଷଣ କରାଯାଇଥିଲା ।
ତୃତୀୟ ପର୍ଯ୍ୟାୟ ପରୀକ୍ଷଣରୁ ଆଶ୍ଚର୍ଯ୍ୟଜନକ ସଫଳତା ମିଳିଥିବା କୁହାଯାଇଛି । ଡିସିଜିଆଇ ଏହାର ଜରୁରୀକାଳୀନ ବ୍ୟବହାର ପାଇଁ ଆଜି ଅନୁମତି ଦେଇଛନ୍ତି ।
ଏହି ଓରାଲ୍ ଡ୍ରଗ୍ ର ବ୍ୟାପକ ଉତ୍ପାଦନରେ କୌଣସିସମସ୍ୟା ନାହିଁ ବୋଲି ଇନଷ୍ଟିଚ୍ୟୁଟ୍ ଅଫ ନ୍ୟୁକ୍ଲିୟର୍ ମେଡିସିନ୍ ଆଣ୍ଡ ଆଲାଏଡ ସାଇସେନ୍ସ ପକ୍ଷରୁ ଦାବି କରାଯାଇଛି ।