ନବରଙ୍ଗପୁର/ଭୁବନେଶ୍ୱର: ଚେନ୍ନାଇରେ ପୁଅର ମୃତୁ୍ୟ ଖବର ଶୁଣିଲା ପରେ ମୁକ ପାଲଟି ଯାଇଥିଲେ କ୍ରିଷ୍ଣାଙ୍କ ପରିବାର । ସେଠି କାହାରିକୁ ଯୋଗାଯୋଗ କରି ଶବ ଫେରାଇ ଆଣିବା ଏହି ଅଶିକ୍ଷିତ, ଗରିବ ପରିବାର ପକ୍ଷରେ ସମ୍ଭବ ନ ଥିଲା । ଗାଁରେ ସମ୍ପୂର୍ଣ୍ଣ ଅସହାୟ ଅବସ୍ଥାରେ ଭାଗ୍ୟକୁ ଆଦରି ପଡ଼ିଥିଲା ବେଳେ ଭଗବାନ ସେମାନଙ୍କ ଦୁଃଖ ବୁଝିଛନ୍ତି । ଦେବଦୂତ ଭାବେ ଉଭା ହୋଇଥିଲେ ‘ଓଡ଼ିଶା-ମୋ ପରିବାର’ । ‘ଓଡ଼ିଶା-ମୋ ପରିବାର’ ସହଯୋଗରେ ଆଜି ସକାଳେ ଚେନ୍ନାଇରୁ ଶବ ଆସିବା ପରେ ନବରଙ୍ଗପୁର ନିଜ ଗାଁରେ ସକ୍ରାର କରାଯାଇଛି ।
ଘଟଣାରୁ ଜଣାପଡ଼ିଛି, ନବରଙ୍ଗପୁର ଜିଲ୍ଲା ତେଲିପଡ଼ା ଗାଁର କ୍ରିଷ୍ଣା ହରିଜନ ତାମିଲନାଡୁର ଏକ ରାଇସ୍ ମିଲ୍ ରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ମାତ୍ର ବୁଧବାର ସକାଳୁ କ୍ରିଷ୍ଣାଙ୍କ ମୃତଦେହ ମିଲ୍ ପରିସରରୁ ସନ୍ଦେହଜନକ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ ହୋଇଥିଲା । ତେବେ ମିଲ୍ ମାଲିକ ଶବକୁ ଗାଏବ କରି ଘଟଣାକୁ ଚପାଇଦେବାକୁ ଉଦ୍ୟମ କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଏହି ଖବର ‘ଓଡ଼ିଶା-ମୋ ପରିବାର’ କାର୍ଯ୍ୟାଳୟକୁ ଆସିଥିଲା । କ୍ରିଷ୍ଣାଙ୍କ ଶବକୁ ଉଦ୍ଧାର କରି ଗାଁକୁ ଫେରାଇ ଆଣିବା ଲାଗି ଓଡ଼ିଶା-ମୋ ପରିବାର ଟିମ୍ ଉଦ୍ୟମ ଆରମ୍ଭ କରିଥିଲେ । ତାମିଲନାଡୁ ଅତିରିକ୍ତ ପୁଲିସ ଡିଜି ଅଶୋକ ଦାସଙ୍କ ସହିତ ଯୋଗାଯୋଗ କରିଥିଲେ । ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀ ଆଇଜି ଅମିତାଭ ଠାକୁର ମଧ୍ୟ ଏଥିରେ ସହଯୋଗ କରିଥିଲେ । ଶ୍ରୀ ଦାସଙ୍କ ନିର୍ଦ୍ଦେଶରେ ତାମିଲନାଡୁ ଅତିରିକ୍ତ ପୁଲିସ କମିଶନର(ଟ୍ରାଫିକ) ଏ.ଅରୁଣ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରି ମିଲ୍ ମାଲିକ ହେପାଜତରୁ ଶବ ଉଦ୍ଧାର କରି ଓଡ଼ିଶା ଫେରାଇବାର ବ୍ୟବସ୍ଥା କରିଥିଲେ ।
ସାଧାରଣତଃ ଏହିଭଳି ମୃତ୍ୟୁରେ, ବ୍ୟବଚ୍ଛେଦ ପରେ ମର ଶରୀର ପଠାଯାଏ ନାହିଁ । କିନ୍ତୁ ଓଡ଼ିଶା-ମୋ ପରିବାରର ଅନୁରୋଧକ୍ରମେ ତାମିଲନାଡୁ ପୁଲିସ ମୃତ ଶରୀରକୁ ସସମ୍ମାନେ ଓଡ଼ିଶା ପଠାଇଛନ୍ତି । ‘ଓଡ଼ିଶା-ମୋ ପରିବାର’ ଟିମ୍ ସଦସ୍ୟମାନେ ସେଠାରୁ ଆମ୍ବୁଲାନସ୍ ଯୋଗେ ଶବକୁ ନବରଙ୍ଗପୁରର କ୍ରିଷ୍ଣାଙ୍କ ଗାଁ ତେଲିପଡ଼ା ଆଣି ଆଜି ଦିନ ୧୧ଟାରେ ପହଞ୍ଚିଥିଲେ । ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରାନ୍ଧାରୀଙ୍କ ସମେତ ‘ଓଡ଼ିଶା-ମୋ ପରିବାର’ ର ସଦସ୍ୟମାନଙ୍କ ସହଯୋଗ ଓ ଉପସ୍ଥିତିରେ କ୍ରିଷ୍ଣାଙ୍କ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହୋଇଛି ।
‘ଓଡ଼ିଶା ମୋ ପରିବାର’ର ଏହି ପ୍ରଚେଷ୍ଟାକୁ ସର୍ବତ୍ର ପ୍ରଶଂସା କରାଯାଇଛି ।