ଭୁୁବନେଶ୍ୱର: ମାମଲାକୁ ଅଢ଼େଇ ମାସ ବିତିଯାଇଥିଲେ ବି ଅଭିଯୁକ୍ତଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହୋଇନି? ଘଟଣାକୁ ଚାପି ଦେବାକୁ ଚେଷ୍ଟା କରାଯାଇଛି କି? ଡିସେମ୍ବର ୧୬ ସୁଦ୍ଧା ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେଇ ହାଇକୋର୍ଟରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କର ।
ରାଜଧାନୀରେ ୧୩ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ପୁଲିସ ତଦନ୍ତର ଶିଥିଳତାକୁ ନେଇ ଆଜି ଓଡିଶା ହାଇକୋର୍ଟ ରାଜ୍ୟର ପୁଲିସ ମୁଖିଆ ଡିଜିପି ଶ୍ରୀ ଅଭୟଙ୍କୁ ଏଭଳି କଡ଼ା ଶବ୍ଦରେ ଭର୍ତ୍ସନା କରିଛନ୍ତି । ଡିଜିପି ବ୍ୟକ୍ତିଗତ ହାଜିରା ହୋଇ ତଦନ୍ତ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆଜି ଶ୍ରୀ ଅଭୟ ଭିଡିଓ କନଫରେନ୍ସିଂ ଯୋଗେ ହାଜିରା ହୋଇଥିଲେ । ଅତିରିକ୍ତ ଡିଜି ଏକ ଜଉମୁଦା ଲଫାପାରେ ତଦନ୍ତ ଅଗ୍ରଗତି ରିପୋର୍ଟ ଦେଇଥିଲେ ।
ଗତ ୯ ତାରିଖରେ ହାଇକୋର୍ଟ ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ୧୮ ତାରିଖରେ ଡିଜିପି ନିଜେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ମଝିରେ ଆହୁରି ୯ ଦିନ ପାଇଥିଲେ ମଧ୍ୟ ତଦନ୍ତକାରୀ କ୍ରାଇବ୍ରାଞ୍ଚ ସଂସ୍ଥାର ଆଖି ଖୋଲିଲା ନାହିଁ କି ଖୋଦ୍ ଡିଜିପି ମଧ୍ୟ ତତ୍ପରତା ଦେଖାଇଲେ ନାହିଁ । ଯାହାର ପରିଣାମ ଆଜି ଡିଜିଙ୍କୁ ଭୋଗିବାକୁ ପଡ଼ିଛି ।
ପୁଲିସର ତଦନ୍ତ ପ୍ରକ୍ରିୟା ଓ ଏହାର ଫଳାଫଳକୁ ନେଇ ଆଜି ପୁଣି ଥରେ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ ଭୀଷଣ କ୍ଷୁବ୍ଧ ହୋଇପଡ଼ିଥିଲେ । ଯଦି ନ ପାରୁଚ ହାଇକୋର୍ଟ ନିଜ ଆଡୁ ପଦକ୍ଷେପ ନେବେ ବୋଲି ସିଧା ଶୁଣାଇ ଡିଜିପିଙ୍କୁ ଭର୍ତ୍ସନା କରିଥିଲେ । ଆସନ୍ତା ୧୬ ତାରିଖ ସୁଦ୍ଧା ତଦନ୍ତ ଶେଷ କରି କାର୍ଯ୍ୟାନୁଷ୍ଠାନ ନିଅ । ୧୬ ତାରିଖ ପରବର୍ତ୍ତୀ ଶୁଣାଣିରେ ପୂର୍ଣ୍ଣାଙ୍ଗ ରିପୋର୍ଟ ସହ ହାଇକୋର୍ଟରେ ହାଜର ହୁଅ । ସେଦିନ କ୍ରାଇମବ୍ରାଞ୍ଚ ଡିଜି ଉପସ୍ଥିତ ରହିବାକୁ ହାଇକୋର୍ଟ ବେଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ।
ହାଇକୋର୍ଟଙ୍କ ବିରକ୍ତି ଓ ଅସନ୍ତୋଷ ସହ ଜନସାଧାରଣ ମଧ୍ୟ ଏକମତ । ଏହି ଜଘନ୍ୟ ଓ ସମ୍ବେଦନଶୀଳ ମାମଲାରେ କମିଶନରେଟ୍ ପୁଲିସ ଓ ପରେ କ୍ରାଇମବ୍ରାଞ୍ଚ ପୁଲିସର ତଦନ୍ତ ପକ୍ରିୟା ଏକପ୍ରକାର ସ୍ଥାଣୁ ହୋଇପଡ଼ିଛି । ମାମଲାକୁ ୮୦ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ହାତବାନ୍ଧି ବସିବା ସମସ୍ତଙ୍କୁ ଚକିତ କରିଛି । ପୋକସୋ ଆକ୍ଟ ଲାଗିଥିବା ଅଭିଯୁକ୍ତ ଖୁଲମ୍ ଖୋଲା ଅଫିସ୍ ଆସୁଥିଲେ ମଧ୍ୟ ଓଡିଶା ପୁଲିସ ସେମାନଙ୍କୁ ଗିରଫ କରୁନାହିଁ । ମାମଲା ଚାପିଦେବାକୁ ଷଡ଼ଯନ୍ତ୍ର କରିଥିବା ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବାକୁ ସାହାସ କରୁନାହିଁ ।
ଛୋଟ ଛୋଟ ଅପରାଧରେ ପୁଲିସ ସିଂହଭଳି ଆଚରଣ ଦେଖାଉଥିଲା ବେଳେ ନାବାଳିକା ଗଣଦୁଷ୍କର୍ମ ଭଳି ସଙ୍ଗୀନ ମାମଲାରେ ପୁଲିସ ମୂଷା ଭଳି ଆଚରଣ କରିବା ପଛର ରହସ୍ୟ କାହାରିକୁ ବୁଝାପଡୁନାହିଁ । ଏକ ନମ୍ବର ଟିଭି ଚାନେଲ୍ ର ସଂପୃକ୍ତି ଥିବାରୁ ଅପରାଧୀଙ୍କୁ ସୁରକ୍ଷା ଦେବାରେ ଖୋଦ୍ ରାଜ୍ୟ ସରକାରଙ୍କ ଭୂମିକା ମଧ୍ୟ ସନ୍ଦେହ ସୃଷ୍ଟି କରିଛି ।
ସୂଚନାଥାଉକି, ଗଣଦୁଷ୍କର୍ମର ଶିକାର ନାବାଳିକା ହେଉଛନ୍ତି ଓଟିଭିର ପୂର୍ବତନ କର୍ମଚାରୀଙ୍କ ଝିଅ । ଓଟିଭିର ୪ ଜଣ କର୍ମଚାରୀ, ଜଣେ ପୁଲିସ କର୍ମଚାରୀଙ୍କ ସମେତ ସମୁଦାୟ ୭ ଜଣ ଅଭିଯୁକ୍ତଙ୍କ ବିରୋଧରେ ମହିଳା ଥାନା ପୁଲିସ ପୋକସୋ ଆକ୍ଟରେ ମାମଲା ରୁଜୁ କରିଛି । ମାମଲା ଚାପିଦେବାକୁ ଓଟିଭି ଏମଡି ଜାଗୀମଙ୍ଗତ ପଣ୍ଡା ଉଦ୍ୟମ କରିଥିବା ନିଜେ ପୀଡ଼ିତାଙ୍କ ମାଆ ଅଭିଯୋଗ କରିଛନ୍ତି ।
ଅଗଷ୍ଟ ୩୦ରେ ଭୁବନେଶ୍ୱର ମହିଳା ଥାନାରେ ମାମଲା ରୁଜୁ ହୋଇଥିଲା । ଏକ ସ୍ୱତନ୍ତ୍ର ସ୍କ୍ୱାଡ୍ ମାମଲାର ତଦନ୍ତ କରୁଥିବା ଡିସିପି ଗଣମାଧ୍ୟମକୁ ବୟାନ ଦେଇଥିଲେ । ସମୟ ଗଡ଼ିବା ସହ ତଦନ୍ତ ଶିଥିଳ ହେଉଥିବାରୁ କରୋନାର ଆଳ ଦେଖାଇଥିଲେ ଡିସିପି ଏବଂ କମିଶନର । ଦୁଇ ଦୁଇ ଥର ହାଇକୋର୍ଟଙ୍କ ତାଗିଦ୍ କୁ ମଧ୍ୟ କମିଶନରେଟ୍ ପୁଲିସ ଖାତିର କରି ନ ଥିଲା । ନାଁକୁ ମାତ୍ର ଓଟିଭି ଅଫିସକୁ ଥରେ ଦୁଇଥର ଯାଇ ଖାଲି ହାତରେ ଫେରି ଆସିଥିଲା ।
କମିଶନରେଟ୍ ପୁଲିସ ତଦନ୍ତରେ ଶିଥିଳତା ଯୋଗୁଁ ଗତ ଅକ୍ଟୋବର ୮ ରେ କ୍ରାଇମବ୍ରାଞ୍ଚ ହାତକୁ ମାମଲା ହସ୍ତାନ୍ତର ହୋଇଥିଲା । ତଦନ୍ତଭାର ପାଉ ପାଉ କ୍ରାଇବ୍ରାଞ୍ଚ ପୁଲିସ ନିଜର ପାରଙ୍ଗମପଣିଆର ଫାର୍ସ ଦେଖାଇଥିଲା । ଓଟିଭିର ଦୁଇ କର୍ମଚାରୀଙ୍କୁ ଡାକି ଜେରା କରିଥିଲା । ଓଟିଭି ଏମଡି ଜାଗୀ ପଣ୍ଡାଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ନୋଟିସ୍ ପଠାଇଥିଲା । ମାତ୍ର ଓଟିଭି ଏମଡି ହାଜିରା ଦେଇ ନ ଥିଲେ । କ୍ରାଇବ୍ରାଞ୍ଚକୁ ସମୟ ମାଗି ତଦନ୍ତକାରୀ ଅଧିକାରୀମାନେ ତାଙ୍କ ଅଫିସ ଆସନ୍ତୁ ବୋଲି ଜାଗୀ ମେଲ୍ ପଠାଇଥିଲେ । ତାହାପରଠୁ କ୍ରାଇବ୍ରାଞ୍ଚ ର ପଦକ୍ଷେପ ଜଣାପଡ଼ିନାହିଁ ।