ଭୁବନେଶ୍ୱର: ୪୦୩ ବିଧାନସଭା ଆସନ ବିଶିଷ୍ଟ ଦେଶର ସର୍ବବୃହତ୍ତମ ରାଜ୍ୟ ଉତ୍ତରପ୍ରଦେଶ ନିର୍ବାଚନ ଦାୟିତ୍ୱ ମିଳିଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ । ଆସନ୍ତାବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ତାଙ୍କୁ ଦଳୀୟ ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି । ଧର୍ମେନ୍ଦ୍ରଙ୍କୁ ସହଯୋଗ କରିବା ପାଇଁ ୭ ସହପ୍ରଭାରୀଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା । ସେମାନେ ହେଲେ ଅନୁରାଗ ସିଂ ଠାକୁର, ଅର୍ଜୁନ ମେଘୱାଲ୍, ସରୋଜ ପାଣ୍ଡେ, ଶୋଭା କରନ୍ଦଲାଜେ, କ୍ୟାପଟେନ ଅଭିମନ୍ୟୁ, ଅନ୍ନପୂର୍ଣ୍ଣା ଦେବୀ ଏବଂ ବିବେକ ଠାକୁର ।
ଉତ୍ତର ପ୍ରଦେଶ ଭଳି ରାଜ୍ୟର ନିର୍ବାଚନ ଦାୟିତ୍ୱ ମିଳିବା ପରେ ଦଳରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁୁରୁତ୍ୱ ସ୍ପଷ୍ଟ ବୁଝାପଡୁଛି । ଗତ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ଧର୍ମେନ୍ଦ୍ରଙ୍କ ହାତରୁ ପେଟ୍ରୋଲିୟମ୍ ବିଭାଗ ଚାଲିଯିବା ପରେ ତାଙ୍କର ଗୁରୁତ୍ୱ ହ୍ରାସ୍ ପାଇଥିବା ବିରୋଧୀ ଶିବିର ପକ୍ଷରୁ ପ୍ରଚାର କରାଯାଇଥିଲା । ଏପରିକି ଧର୍ମେନ୍ଦ୍ରଙ୍କ ପତ୍ତା କାଟିବା ପାଇଁ ରାଜ୍ୟ ବିଜେପିର ଗୋଟେ ଗୋଷ୍ଠୀ ମନ୍ତ୍ରଣା ଆରମ୍ଭ କରିଦେଇଥିଲେ ।
ସୂଚନାଥାଉକି, କିଛି ଦିନ ତଳେ ହୋଟେଲ ମେ ଫେୟାରରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଆୟୋଜିତ ଘରୋଇ ପାର୍ଟିରେ ବୈଜୟନ୍ତ ପଣ୍ଡା, ବିଜୟ ମହାପାତ୍ର, ଜୁଏଲ୍ ଓରାମ, ପ୍ରତାପ ଷଡ଼ଙ୍ଗୀ ଓ ସୁରେଶ ପୂଜାରୀଙ୍କ ମେଳି ସୋସିଆଲ୍ ମିଡ଼ିଆରେ ଖୁବ୍ ଚର୍ଚ୍ଚା ହୋଇଥିଲା । ଧର୍ମେନ୍ଦ୍ରଙ୍କ ବିରୋଧରେ ଏହି ମେଳି ହୋଇଥିବା ଖୋଦ୍ ଦଳୀୟ ମହଲରେ ଟୁପୁରୁ ଟାପର୍ ହୋଇଥିଲା ।
ଏହାପୂର୍ବରୁ ବିଜେପି ଭୁବନେଶ୍ୱର, ସୋସିଆଲ୍ ମିଡ଼ିଆରେ ଏକ ପୋଷ୍ଟିଂ ଦଳୀୟ ମହଲରେ ଚର୍ଚ୍ଚାର ବିଷୟ ହୋଇଥିଲା । ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଓଡ଼ିଶାର ଆଗାମୀ ଭବିଷ୍ୟତ ଭାବେ ଏଥିରେ ଉପସ୍ଥାପନ କରାଯାଇ ତାଙ୍କୁ ବିରୋଧ କରୁଥିବା ନେତାଙ୍କୁ ସତର୍କ କରାଯାଇଥିଲା । ଏହି ପୋଷ୍ଟ୍ ରେ ଲେଖାଥିଲା- ରାଜନୀତିର ସଂଜ୍ଞା ବଦଳାଇ ଇତିହାସ ରଚିବାକୁ ଯାଉଛନ୍ତି ଅପରାଜିତା ଷଡ଼ଙ୍ଗୀ । ସାଥୀରେ ଅଛନ୍ତି ଲକ୍ଷ ଲକ୍ଷ ଓଡ଼ିଶାବାସୀ । ସୁଧୁରିବା ନେତା ସୁଧୁରି ଯାନ୍ତୁ । ନହେଲେ ଇତିହାସରେ ଏକ କଳଙ୍କିତ ନେତା ଭାବେ ଚିତ୍ରିତ ହେବେ । ଏହି ପୋଷ୍ଟକୁ ବହୁମାତ୍ରାରେ ସେୟାର୍ କରିବାକୁ ନିବେଦନ କରାଯାଇଥିଲା । ଧର୍ମେନ୍ଦ୍ରଙ୍କ ବିରୋଧରେ ଲେଖାଟି ଉଦ୍ଦିଷ୍ଟ ଥିବା ସେତେବେଳେ ଚର୍ଚ୍ଚା ହୋଇଥିଲା ।
ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କ ମତରେ ଓଡ଼ିଶା ବିଜେପିରେ ଧର୍ମେନ୍ଦ୍ରଙ୍କ ଜାଗା ନେବାକୁ ଅପରାଜିତା କିମ୍ବା ବୈଜୟନ୍ତଙ୍କ ଗୋଟିଚାଳନା ନୂଆ ଚର୍ଚ୍ଚା ନୁହେଁ । ଧର୍ମେନ୍ଦ୍ର ବିରୋଧୀଙ୍କୁ ଏକଜୁଟ୍ କରିବା ରାଜନୈତିକ ଦୃଷ୍ଟିକୋଣରୁ ସେମାନଙ୍କ ପାଇଁ ପ୍ରାସଙ୍ଗିକ ହୋଇପାରେ । ମାତ୍ର ଉଭୟ ଦଳୀୟ ସଂଗଠନରେ ସେଭଳି ପତିଆରା ତିଆରି କରିପାରିନାହାନ୍ତି ।
ବୈଜୟନ୍ତ କେନ୍ଦ୍ରାପଡ଼ା ନିର୍ବାଚନ ହାରିବା ପରେ ଓଡ଼ିଶା ରାଜନୀତିରେ ତାଙ୍କର ପ୍ରାସଙ୍ଗିକତା ଆଉ ନାହିଁ କହିଲେ ଚଳେ । ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପରିଚୟ ତାଙ୍କ ପାଇଁ ବଡ଼ ହୋଇଥିବା ବେଳେ ଆସାମ ପ୍ରଭାରୀ ଦାୟିତ୍ୱରେ ସେ ନିଜକୁ ସନ୍ତୁଷ୍ଟ ରଖିଛନ୍ତି । ଅନ୍ୟପକ୍ଷରେ ଅପରାଜିତା ଷଡ଼ଙ୍ଗୀ ଦଳୀୟ ସଂଗଠନରେ ଧ୍ୟାନ ନ ଦେଇ ବ୍ୟକ୍ତିଗତ ଭାବେ ସମାନ୍ତରାଳ ସଂଗଠନ ଗଢ଼ି ନିଜର ପ୍ରଚାର କରୁଥିବାରୁ ଏହା ତାଙ୍କ ପାଇଁ ବୁମେରାଂ ସଦୃଶ । ଧର୍ମେନ୍ଦ୍ରଙ୍କ ସହ ଟକ୍କର ଦେବା ପାଇଁ ହେଲେ ଅପରାଜିତାଙ୍କୁ ଆଗ ସଂଗଠନ ପାଠ ପଢ଼ିବାକୁ ପଡ଼ିବ ବୋଲି ସେମାନଙ୍କ ମତ ।