ଭୁବନେଶ୍ୱର: ଦୁଇଟି ଯାକ ଗୋଡ ହରାଇଛନ୍ତି ସତ, ହେଲେ ନିଜ ଦମ୍ ରେ ସମାଜ ପାଇଁ ଲମ୍ବା ରାସ୍ତା ଚାଲିବାର ଦୃଢ଼ ଇଚ୍ଛାଶକ୍ତି ତାଙ୍କର । ଖାଲି ଇଚ୍ଛା ନୁହେଁ, ଖୁବ୍ କମ ବୟସରୁ କାମରେ କରିକି ଦେଖାଇ ସାରିଲେଣି ୨୨ ବର୍ଷର ଯୁବକ ଅମରେଶ ପ୍ରସାଦ ଗୌଡ଼ । ଗ୍ଲୋବାଲ୍ ଆଇଟି ଚାଲେଂଜରେ ସ୍ୱର୍ଣ୍ଣପଦକ ଜିତିଥିବା ଅମରେଶ ରକ୍ତଦାନ ଭଳି ମହାନ୍ କାର୍ଯ୍ୟକୁ ନିଜ ଜୀବନର ବ୍ରତ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ଆଜି ଯୁବ ଉତ୍କଳ ଫାଉଣ୍ଡେସନ୍ ସହଯୋଗରେ ଓଡ଼ିଶା-ମୋ ପରିବାର ଓ ଜୀବନବିନ୍ଦୁ ପକ୍ଷରୁ ଲକ୍ଷ୍ମୀସାଗର ଚିନ୍ତାମଣିଶ୍ୱର ଅଞ୍ଚଳରେ ଆୟୋଜିତ ରକ୍ତଦାନ ଶିବିରରେ ଏହି ପ୍ରତିଭାଙ୍କ ଯୋଗଦାନ ଚର୍ଚ୍ଚାର ବିଷୟ ହୋଇଥିଲା ।
ଗଂଜାମ ଜିଲ୍ଲା ଖଲିକୋଟ ଅନ୍ତର୍ଗତ ବାଲୁଙ୍କେଶ୍ୱରପୁରରେ ଜନ୍ମିତ ଅମରେଶଙ୍କର ଜନ୍ମରୁ ମେରୁଦଣ୍ଡ ଜନିତ ସମସ୍ୟା ଥିଲା । ପରବର୍ତ୍ତୀ ସମୟରେ ଦୁଇଟିଯାକ ଗୋଡକୁ ରୋଗ ସଂକ୍ରମିତ ହୋଇ କ୍ୟାନସର ଆଡକୁ ଗତି କରୁଥିଲା । ୨୦୧୫ ମସିହାରେ ଡାକ୍ତରମାନେ ତାଙ୍କର ଦୁଇଟିଯାକ ଗୋଡ କାଟିବାକୁ ବାଧ୍ୟହେଲେ । ସେବେଠାରୁ ଅମରେଶଙ୍କର ସାହାରା ହୋଇଛି କୃତ୍ରିମ ଗୋଡ । ଏହି ଗୋଡରେ ବୁଲି ବୁଲି ସମାଜସେବା ପାଇଁ ତାଙ୍କର ପିଲାଦିନ ଆଗ୍ରହରୁ ସେ ହଟିନାହାନ୍ତି । ୧୦ ଥରରୁ ଅଧିକ ଥର ସ୍ୱେଚ୍ଛାକୃତ ରକ୍ତଦାନ କଲେଣି । ସବୁଠାରୁ ବଡ଼କଥା ହେଲା, ଯେଉଁଠି ରକ୍ତଦାନ ଶିବିରର ଖବର ଅମରେଶ ପାଆନ୍ତି ନିଜ ଉଦ୍ୟମରେ ସେଠାକୁ ଯାଇ ରକ୍ତଦାନ କରନ୍ତି ।
ଆଜି ଯୁବ ଉତ୍କଳ ଫାଉଣ୍ଡେସନ୍ ସହଯୋଗରେ ଓଡ଼ିଶା-ମୋ ପରିବାର ଓ ଜୀବନବିନ୍ଦୁ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ ଖବର ପାଇ ସେଠାରେ ପହଞ୍ଚି ରକ୍ତଦାନ କରିଥିଲେ । ରକ୍ତ ଦେଇ ଚାରି ଚାରିଟା ଜୀବନ ବଞ୍ଚେଇପାରୁଥିବାରୁ ମୁଁ ବହୁତ ଖୁସି ବୋଲି ଅମରେଶ କହିବା ସହ ସମସ୍ତେ ରକ୍ତଦାନ ପାଇଁ ଆଗେଇ ଆସିବାକୁ ଅନୁରୋଧ କରିଥିଲେ । ରକ୍ତଦାନ ଶିବିର ଭଳି ମହତ୍ କାର୍ଯ୍ୟକୁ ଓଡ଼ିଶା- ମୋ ପରିବାର ନିରବଚ୍ଛିନ୍ନ ଭାବରେ କରିଆସୁଥିବାରୁ ସେ କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ ।
କେବଳ ସମାଜସେବା ନୁହେଁ, ପରିବାର ଉପରେ ଭାର ନହୋଇ ନିଜେ ବଞ୍ଚିବାର କଳା ଆହରଣ କରିସାରିଛନ୍ତି ଅମରେଶ । ପିଲାଦିନୁ ମେଧାବୀ ଛାତ୍ର ଭାବେ ପରିଚିତ ଅମରେଶ ଗତବର୍ଷ କମ୍ପୁ୍ୟଟର ବିଜ୍ଞାନରେ ଡିପ୍ଲୋମା ପାସ୍ କଲା ନିଜସ୍ୱ ଉଦ୍ୟମରେ ଷ୍ଟାର୍ଟ ଅପ୍ ବିଜନେସ୍ ଆରମ୍ଭ କରିଛନ୍ତି । ବମିଖାଲଠାରେ ଏକ ଘରଭଡ଼ା ନେଇ ସେଠାରେ ପୋଷାକ ବ୍ୟବସାୟ କରୁଛନ୍ତି । ମାତ୍ର ୪ ମାସ ତଳେ ବ୍ୟବସାୟ ଆରମ୍ଭ କରି ସଫଳତା ପାଇଲେଣି ବୋଲି ସେ କହିଛନ୍ତି । ଆଗକୁ ଦିବ୍ୟାଙ୍ଗମାନଙ୍କୁ ନେଇ ଏକ ବିରାଟ ଫେସନ୍ ସୋ କରିବା ଯୋଜନା ରଖିଛନ୍ତି ।
ସୂଚନାଥାଉକି, ୨୦୧୯ ମସିହାରେ ଅମରେଶ ଗ୍ଲୋବାଲ୍ ଆଇଟି ଚାଲେଂଜ୍ ରେ ଭାରତରୁ ପ୍ରତିନିଧିତ୍ୱ କରିଥିଲେ । ଦକ୍ଷିଣ କୋରିଆରେ ଆୟୋଜିତ ଏହି ପ୍ରତିଯୋଗିତାରେ ୨୧ ଟି ଦେଶକୁ ହରାଇ ଭାରତ ପାଇଁ ଗୋଟିଏ ସ୍ୱର୍ଣ୍ଣପଦକ ଏବଂ ଗୋଟିଏ ରୋ÷ପ୍ୟପଦକ ଆଣିଥିଲେ ।