ଭୁବନେଶ୍ୱର: ବିଜେଡ଼ିର ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ବୋହୁ ସାକ୍ଷୀ । ଅଧିକ ଯୌତୁକ ଆଣିବା ପାଇଁ ଶ୍ୱଶୁର ଭର୍ତ୍ତୃହରି, ଶାଶୁ ଏବଂ ପୁଅ ଲୋକରଂଜନ ମିଶି ତାଙ୍କୁ ନିର୍ଯ୍ୟାତନା ଏବଂ ହତ୍ୟା ଧମକ ଦେଉଥିବା ଗତକାଲି ସାକ୍ଷୀ ଭୋପାଳ ମହିଳା ଥାନାରେ ଏତଲା ଦେଇଛନ୍ତି । ପୁଲିସ ଏତଲା ଗ୍ରହଣ କରି ଭର୍ତ୍ତୃରି, ପତ୍ନୀ ଏବଂ ପୁଅଙ୍କ ବିରୋଧରେ ୪୯୮-ଏ, ୪୦୬, ୫୦୬ ଏବଂ ୩୪ ରେ ମାମଲା ରୁଜୁ କରିଛି ।
୨୦୧୬ ଡିସେମ୍ବରରେ ଭର୍ତ୍ତୃହରି ମହତାବଙ୍କ ପୁଅ ଲୋକରଂଜନ ମଧ୍ୟପ୍ରଦେଶ ଭୋପାଳର ସାକ୍ଷୀଙ୍କୁ ବିବାହ କରିଥିଲେ । ବିବାହ ବେଳେ ସାକ୍ଷୀଙ୍କ ଘର ପକ୍ଷରୁ ଶାଢ଼ୀ, ଗହଣା ସହ ଅଢ଼େଇ କୋଟି ଟଙ୍କାର ଯୌତୁକ ଦିଆଯାଇଥିଲା । ଅଭିଯୋଗ ଅନୁଯାୟୀ, ବିବାହର ମାତ୍ର ୪ ଦିନ ପରେ ସାକ୍ଷୀଙ୍କ ଉପରେ ଯୌତୁକ ନିର୍ଯ୍ୟାତନା ଆରମ୍ଭ ହୋଇଯାଇଥିଲା । ଅଧିକ ଯୌତୁକ ଦାବି କରି ଶ୍ୱଶୁର ଭର୍ତ୍ତୃହରି, ଶାଶୁ ମହାଶ୍ୱେତା ଏବଂ ସ୍ୱାମୀ ଲୋକରଂଜନ ତାଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ । ସ୍ୱାମୀଙ୍କ ସହ ସମ୍ପର୍କ ରଖିବାକୁ ସାକ୍ଷୀଙ୍କୁ ଦିଆଯାଇ ନ ଥିଲା । କଟକ ବାସଭବନରେ ଏକ ସିଢ଼ି, ପରିତ୍ୟକ୍ତ ଘରେ ତାଙ୍କୁ ରହିବାକୁ ଦିଆଯାଇଥିଲା । ଘରର ଚାକରାଣୀ ଭାବେ ତାଙ୍କୁ ଖଟାଯାଉଥିଲା ।
ବର୍ଷେ ପରେ ତାଙ୍କୁ ବାପ ଘରକୁ ତଡ଼ି ଦିଆଯାଇଥିଲା । ସାକ୍ଷୀ ଏବଂ ତାଙ୍କ ବାପା ମାଆ ଯେତେ ନେହୁରା ହୋଇଥିଲେ ବି ଭର୍ତ୍ତୃହରି ଓ ତାଙ୍କ ପରିବାର ଲୋକଙ୍କ ହୃଦୟ ତରଳି ନ ଥିଲା । ପରବର୍ତ୍ତୀ ସମୟରେ ସାକ୍ଷୀ ତାଙ୍କ ଶ୍ୱଶୁର ଘରର ଦିଲ୍ଲୀ ବାସଭବନରେ ରହିବାକୁ ଉଦ୍ୟମ କରିଥିଲେ ମଧ୍ୟ ତାଙ୍କୁ ସେଠାରେ ମଧ୍ୟ ରଖାଯାଇ ନ ଥିଲା । ୨୦୧୮ ମସିହା ଦିଲ୍ଲୀର ଏକ ଅଦାଲତରେ ସାକ୍ଷୀ ଆଶ୍ରୟ ନେବାରୁ ତାଙ୍କ ବାପଘର ଲୋକଙ୍କୁ ଧମକ ଦିଆଯାଇଥିଲା । ପ୍ରଭାବଶାଳୀ ଲୋକ ହୋଇଥିବାରୁ ସାକ୍ଷୀଙ୍କ ବାପଘର ଲୋକେ ଚୁପ୍ ରହିବାକୁ ବାଧ୍ୟ ହୋଇ ମିଳାମିଶା କରିବାକୁ ଉଦ୍ୟମ କରିଥିଲେ । ତେବେ ଶ୍ୱଶୁର ଘର ଲୋକେ ଅଧିକ ଉତକ୍ଷିପ୍ତ ହୋଇ ସାକ୍ଷୀଙ୍କୁ ହତ୍ୟା ଧମକ ଦେଇଥିଲେ । ଏଭଳି ଭାବେ ନିର୍ଯ୍ୟାତନା ଅତିଷ୍ଠ ହେବାକୁ ଗତକାଲି ସାକ୍ଷୀ ଭୋପାଳ ମହିଳା ଥାନାରେ ନ୍ୟାୟଭିକ୍ଷା କରିଛନ୍ତି ।
ତେବେ ଏହି ମାମଲା ଉପରେ ସାଂସଦ ଭର୍ତ୍ତୃହରି ଏବଂ ତାଙ୍କ ପରିବାରର ପ୍ରତିକ୍ରିୟା ମିଳିନାହିଁ ।
ଭର୍ତ୍ତୃହରି ମହତାବ ଓ ତାଙ୍କ ପରିବାର ବିରୋଧରେ ଯୌତୁକ ନିର୍ଯ୍ୟାତନା ଓ ହତ୍ୟା ଧମକ ଅଭିଯୋଗ ଆସିବା ଘଟଣା ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ସେମାନଙ୍କ ବିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରାଯାଇଥିଲା ବେଳେ ଏଭଳି ସଙ୍ଗୀନ ମାମଲାରେ ଛନ୍ଦି ହୋଇଥିବା ଭର୍ତ୍ତୃହରିଙ୍କ ବିରୋଧରେ ଦଳ ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କି ପଦକ୍ଷେପ ନେଉଛନ୍ତି ତାହା ସମସ୍ତଙ୍କର ଉକ୍ରଣ୍ଠା ବଢ଼ାଇଛି । ଅତୀତରେ ପାୱାରଫୁଲ୍ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ବିରୋଧରେ ତାଙ୍କ ବୋହୁ ବର୍ଷାସୋନୀ ଚୌଧୁରୀ ଯୌତୁକ ନିର୍ଯ୍ୟାତନା ଆଣିବା ପରେ ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କୁ ମନ୍ତ୍ରୀ ପଦରୁ ହଟାଇ ଦେଇଥିଲେ । ଫେରାର ରଘୁନାଥଙ୍କୁ ପୁଲିସ କୋଲକତାରୁ ଗିରଫ କରିଥିଲା । ସମାନ ମାମଲାରେ ଛନ୍ଦି ହୋଇଥିବା ଭର୍ତ୍ତୃହରିଙ୍କ ବିରୋଧରେ ନବୀନ କି ପଦକ୍ଷେପ ନେଉଛନ୍ତି ଏବେ ଦେଖିବାର କଥା ।