ଭୁବନେଶ୍ୱର/ବାଲେଶ୍ୱର: ପୁଲିସ ଏନକାଉଣ୍ଟରରେ ସଫା ହୋଇଗଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର । ବାରିପଦା ଜେଲ୍ ସ୍ଥାନାନ୍ତର ବେଳେ ପୁଲିସ ହାତରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ହାଇଦର ପୁଲିସ ଗୁଳିରେ ପ୍ରାଣ ହରାଇଛି । ସଙ୍କଟାପନ୍ନ ଅବସ୍ଥାରେ ତାକୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେତେବେଳକୁ ତାର ପ୍ରାଣ ଚାଲିଯାଇଥିଲା ।
ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ କଟକ ଡିସିପି ପ୍ରତୀକ ସିଂହଙ୍କ ସୂଚନା ଅନୁଯାୟୀ, ଚୌଦ୍ୱାର ସର୍କଲ୍ ଜେଲ୍ ରୁ ବାରିପଦା ଜେଲ୍ କୁ ଆଜି ହାଇଦରକୁ ସ୍ଥାନାନ୍ତର କରାଯାଉଥିଲା । ଜଣେ ଇନସପେକ୍ଟର, ଜଣେ ସବ ଇନସପେକ୍ଟର ତାକୁ ସାଙ୍ଗରେ ନେଇ ଯାଉଥିବା ବେଳେ ଗୋଟିଏ ସେକ୍ସନ୍ ସଶସ୍ତ୍ର ପୁଲିସ ବାହିନୀ ଏସକର୍ଟ କରୁଥିଲେ ।
ବାଲେଶ୍ୱର ଜିଲ୍ଲା ସିମୁଳିଆ ନିକଟରେ ଗାଡ଼ି ପହଞ୍ଚିଲା ବେଳେ ପରିସ୍ରା ଯିବ କହି ହାଇଦର ଗାଡ଼ି ଅଟକାଇଥିଲା । ସେତେବେଳକୁ ସମୟ ହୋଇଥିଲା ଅପରାହ୍ନ ୩ଟା ୨୦ । ହାଇଦରକୁ ଗାଡ଼ିରୁ ଓହ୍ଲାଇ ପୁଲିସ ତାକୁ ପରିସ୍ରା ପାଇଁ ନେଉଥିଲା ବେଳେ ସେ ଏସଆଇଙ୍କ ହାତରୁ ହଠାତ୍ ବନ୍ଧୁକ ଛଡ଼ାଇ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲା । ଏଭଳି ନ କରିବାକୁ ତାକୁ ୱାର୍ଣ୍ଣିଂ ଦିଆଯାଇଥିଲେ ମଧ୍ୟ ସେ ଶୁଣି ନ ଥିଲା । ଫଳରେ ଏସଆଇ ବାଧ୍ୟହୋଇ ତା ଉପରକୁ ଗୁଳି ଚଳାଇଥିଲେ । ଗୁଳି ହାଇଦରର ପେଟରେ ବାଜିଥିଲା ।
ଗୁରୁତର ଅବସ୍ଥାରେ ହାଇଦରକୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା । ମାତ୍ର ଡାକ୍ତରମାନେ ତାକୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି ।
ସୂଚନାଥାଉକି, ସମ୍ବଲପୁଲ ସର୍କଲ୍ ଜେଲ୍ ରେ ସଜ୍ଜା କାଟୁଥିବା ହାଇଦର କିଛି ମାସ ତଳେ ଚିକିତ୍ସା ବାହାନାରେ କଟକ ଆସି ଏସସିବି ୫ ନଂ ସର୍ଜରୀ ୱାର୍ଡରେ ଭର୍ତ୍ତି ହୋଇଥିଲା । ଗତ ଏପ୍ରିଲ୍ ୧୦ ତାରିଖରେ ଏସସିବି ମେଡ଼ିକାଲ୍ କଲେଜରୁ ସୁରକ୍ଷାକର୍ମୀଙ୍କୁ ବିରିୟାନିରେ ନିଶା ଖୁଆଇ ଚମ୍ପଟ୍ ମାରିଥିଲା । ୪ ଦିନ ପରେ ଏପ୍ରିଲ୍ ୧୫ ରେ ପୁଲିସ ତାକୁ ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରୁ ଧରିବାରେ ସକ୍ଷମ ହୋଇଥିଲା । ସେବେଠାରୁ ତାକୁ ଚୌଦ୍ୱାର ସର୍କଲ ରେ ଜେଲ୍ ରେ ରଖାଯାଇଥିଲା । ତେବେ ସୁରକ୍ଷା ଦୃଷ୍ଟିରୁ କୋର୍ଟଙ୍କ ଅନୁମତିକ୍ରମେ ଆଜି ତାକୁ ବାରିପଦା ଜେଲ୍ କୁ ସ୍ଥାନାନ୍ତର କରାଯାଉଥିବା କୁହାଯାଇଛି ।