ୟୁନିଟ୍ ପିଛା ୨୦ ପଇସା ବଢ଼ିଲା
ଭୁବନେଶ୍ୱର: ମହାମାରୀ କରୋନା ଦାଉରେ ଯୁଝୁଥିବା ରାଜ୍ୟବାସୀଙ୍କ ଉପରକୁ ପୁଣି ଆସିଛି ବିଜୁଳି ଚଡକ । ଆସନ୍ତା ଅକ୍ଟୋବର ପହିଲାରୁ ରାଜ୍ୟରେ ବିଜୁଳି ଦର ୟୁନିଟ୍ ପିଛା ୨୦ ପଇସା ବୃଦ୍ଧି କରାଯାଇଛି । ଅର୍ଥାତ୍ ବିଜୁଳି ଉପଭୋକ୍ତା ଏବେ ଯେତିକି ଦେଉଛନ୍ତି ଆସନ୍ତାମାସରୁ ୟୁନିଟ୍ ପିଛା ୨୦ ପଇସା ଅଧିକ ଦେବାକୁ ପଡ଼ିବ । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ଆଜି ଏହି ନିଷ୍ପତ୍ତି ନେଇଛନ୍ତି ।
ଏହି ଦର ବୃଦ୍ଧି ପଛର ଯୁକ୍ତି ହେଉଛି ବିଦ୍ୟୁତ ବିତରଣରେ କ୍ଷତି । ବିତରଣ କମ୍ପାନୀଗୁଡ଼ିକ ଏଥିପାଇଁ ପ୍ରବଳ କ୍ଷତି ସହୁଥିବା ଆୟୋଗଙ୍କ ପାଖରେ ଦର୍ଶାଯାଇଛି । ଓଇଆରସି ଏହାକୁ ଗ୍ରହଣ କରି ସାଧାରଣ ଉପଭୋକ୍ତାଙ୍କ ଉପରେ ବୋଝ ଲଦି ଦେଇଛନ୍ତି । ତେବେ କୁଟୀର ଜ୍ୟୋତି ଓ ବିପିଏଲ୍ ଚାଷୀ ଉପଭୋକ୍ତାଙ୍କ ପାଇଁ ବର୍ଦ୍ଧିତ ଦର ଲାଗୁ ହେବ ନାହିଁ । ମିଟର ଭଡ଼ା ଓ ମାସିକ ସ୍ଥିର ଦେୟରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନାହିଁ । ବିଦ୍ୟୁତ କମ୍ପାନୀ ଗ୍ରାହକଙ୍କଠାରୁ ଆଉ ମିଟର ରେଣ୍ଟ ନେବେ ନାହିଁ ।
ଦରଧାର୍ଯ୍ୟ ଶୁଣାଣି ବେଳେ ଗ୍ରୀଡ଼କୋ ୬୭୦ କୋଟିର ନିଅଣ୍ଟ ଭରଣା ଦାବି କରିଥିଲା । ତେବେ ୩୪୧ କୋଟିର ଭରଣା ପାଇଁ ଓଇଆରସି ମଂଜୁରି ଦେଇଛନ୍ତି ।
ବିଜୁଳି ଦର ବୃଦ୍ଧି ନିଷ୍ପତ୍ତିକୁ ଓଡ଼ିଶା ବିଦୁ୍ୟତ ଉପଭୋକ୍ତା ମହାସଂଘ ବିରୋଧ କରିଛି । ବିତରଣ କମ୍ପାନୀଗୁଡ଼ିକର ଅପରାଗତା ପାଇଁ ସେମାନେ କ୍ଷତି ସହୁଛନ୍ତି । ସେଥିପାଇଁ ଉପଭୋକ୍ତାମାନେ କାହିଁକି ବୋଝ ବୋହିବେ ବୋଲି ପ୍ରଶ୍ନ କରିଛନ୍ତି । କରୋନା ବେଳେ ଲୋକେ ଖାଇବାକୁ ପାଉ ନ ଥିଲା ବେଳେ ଏହା ସେମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ । ରାଜ୍ୟ ସରକାର ଓଇଆରସିକୁ ନିର୍ଦ୍ଦେଶକ ଦେଇ ଦର ବୃଦ୍ଧି ଉପରେ ରୋକ୍ ଲଗାଇବାକୁ ମହାସଂଘର ସଭାପତି ରମେଶ ଶତପଥୀ ଦାବି କରିଛନ୍ତି ।